ରାଜ୍ୟରେ ଜୁଆ ଖେଳିବା ଜନିତ ଅପରାଧ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିଛି। ବିଧାନସଭାରେ ‘ଓଡ଼ିଶା ଜନବିଶ୍ୱାସ ବିଲ୍, ୨୦୨୫’ ପାରିତ ହେବା ପରେ ଏଣିକି ଜୁଆ ଖେଳି ଧରାପଡ଼ିଲେ ଜେଲ୍ ଯିବାକୁ ପଡ଼ିବ ନାହିଁ। ଜେଲ୍ ଦଣ୍ଡ ବଦଳରେ କେବଳ ଜରିମାନା ଦେଇ ଅପରାଧକୁ ମାଫ୍ କରିହେବାର ବ୍ୟବସ୍ଥା ଏହି ବିଲ୍ ମାଧ୍ୟମରେ କରାଯାଇଛି।
ଓଡ଼ିଶା ଜନବିଶ୍ୱାସ ବିଲ୍, ୨୦୨୫ ରେ ମୁଖ୍ୟତଃ ୯ଟି ବିଭାଗର ୧୬ଟି ଆଇନରେ ସଂଶୋଧନ କରାଯାଇଛି। ଏହାର ସବୁଠାରୁ ବଡ଼ ପ୍ରଭାବ ଓଡ଼ିଶା ଜୁଆ ଖେଳ ପ୍ରତିରୋଧ ଅଧିନିୟମ, ୧୯୫୫ ଉପରେ ପଡ଼ିଛି। ପୂର୍ବରୁ ଜୁଆ ଖେଳିଲେ ଯେଉଁ ୧ ମାସରୁ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ ଥିଲା, ତାହାକୁ ଏହି ବିଲ୍ରେ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି।
ଏହା ବଦଳରେ ଜୁଆ ଖେଳାଳି ଏବଂ ସଂସ୍ଥାଙ୍କ ଅପରାଧ ମାଫ୍ କରିବା ପାଇଁ ୫ ହଜାରରୁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାର ବ୍ୟବସ୍ଥା କରାଯାଇଛି। ବିଧାନସଭାରେ ଏହି ବିଲ୍କୁ ପାରିତ କରିବା ପାଇଁ ୪ ଘଣ୍ଟା କାଳ ଆଲୋଚନା ହୋଇଥିଲା। ତେବେ ବିରୋଧୀ ବିଜେଡି ଏବଂ କଂଗ୍ରେସ ଏହାକୁ କଡ଼ା ବିରୋଧ କରିଥିଲେ। ବିରୋଧୀମାନେ ଅଭିଯୋଗ କରିଥିଲେ ଯେ ବିଲ୍ଟିକୁ ରାତାରାତି ପ୍ରସ୍ତୁତ କରାଯାଇଛି ଏବଂ ତରବରିଆ ଭାବେ ପାରିତ ନକରି ଏହାକୁ ଯାଞ୍ଚ କମିଟିକୁ ପଠାଇବାକୁ ଦାବି କରିଥିଲେ।
