ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳ (BJD) ସଂଗଠନ ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଉଥିବା ଦେଖି ରାଜ୍ୟ ନେତୃତ୍ୱ ଚିନ୍ତାରେ ପଡ଼ିଛି। ଗତ ଚାରି ଦିନ ତଳେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲାର ସମସ୍ତ ବରିଷ୍ଠ ନେତା ଏବଂ ବିଧାୟକଙ୍କୁ ଡାକି ଦଳକୁ ସଂଗଠିତ କରି ରଖିବା ପାଇଁ ପରାମର୍ଶ ଦେଇଥିଲେ।
ଜିଲ୍ଲାରେ ଦେଖା ଦେଇଥିବା ଅସନ୍ତୋଷକୁ ପ୍ରଶମିତ କରିବା ଏବଂ ୪ ବ୍ଲକ୍ ଅଧ୍ୟକ୍ଷ ଯେପରି ବିଜେପିକୁ ନ ଯାଆନ୍ତି ଏବଂ ଅନ୍ୟ ସରପଞ୍ଚ ତଥା ସମିତି ସଭ୍ୟମାନେ ଦଳ ନ ଛାଡ଼ିବେ, ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଦିଆଯାଇଥିଲା।
ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳକୁ ସୁଦୃଢ଼ କରିବା ପାଇଁ ପ୍ରଫୁଲ୍ଲ ସାମଲ ଆଜି ଭଦ୍ରକ ଜିଲ୍ଲା ବିଜେଡି ପାର୍ଟି କାର୍ଯ୍ୟାଳୟରେ ଏକ ବୈଠକ ଡକାଇଥିଲେ।
କିନ୍ତୁ ସାମଲଙ୍କ ଡାକରାରେ ଅନୁଷ୍ଠିତ ଏହି ବୈଠକରେ ହାତଗଣତି କିଛି ପଞ୍ଚାୟତ ସରପଞ୍ଚ ଏବଂ ସମିତି ସଭ୍ୟ ଯୋଗ ଦେଇଥିଲେ। ଅଧିକାଂଶ ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ଜନପ୍ରତିନିଧିମାନେ ଏହି ବୈଠକରୁ ଦୂରେଇ ରହିଥିଲେ।
