ଆଜି ଡିସେମ୍ବର ୭ ତାରିଖ , ବିଶ୍ବ ଇତିହାସର ଏକ ଭୟଙ୍କର ଘଟିଥିବା ଘଟଣାର ସ୍ମରଣୀୟ ତଥା ସତର୍କ ପ୍ରଦାୟକ ଦିବସ । ୮୪ ବର୍ଷ ତଳେ ୧୯୪୧ ମସିହା, ଡିସେମ୍ବର ୭ ତାରିଖରେ ଜାପାନ , ପର୍ଲହାର୍ବର ଉପରେ ଆକ୍ରମଣ କରିଥିଲା , ଯାହା ଆମେରିକାକୁ ଦ୍ବିତୀୟ ବିଶ୍ବଯୁଦ୍ଧରେ ସାମିଲ ହେବାକୁ ପ୍ରେରିତ କରିଥିଲା । ସେହିପରି ଆଜି ଭାରତ ପାଳନ କରିଆସୁଛି ସଶସ୍ତ୍ର ବାହିନୀର ପତାକା ଦିବସ । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ଦ୍ବିତୀୟ ବିଶ୍ବଯୁଦ୍ଧର ବିଭୀଷିକା ପରେ ଯୁଦ୍ଧକୁ ନେଇ ସାରା ବିଶ୍ବରେ ସୃଷ୍ଟି ହୋଇଥିଲା ଏକ ଅନାସ୍ଥା ଭାବ। ଦେଶ ଦେଶ ଭିତରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଏକାଠି ହୋଇଥିଲେ ଅନେକ ରାଷ୍ଟ୍ରମୁଖ୍ୟ , କରିଥିଲେ ବିଚାର ବିମର୍ଶ । ବିଶ୍ବଯୁଦ୍ଧର ଧ୍ବଂସ ସ୍ତୂପ ମଧ୍ୟରୁ ଜନ୍ମ ନେଇଥିଲା (୧୯୪୫ ଅକ୍ଟୋବର ୨୪) ମିଳିତ ଜାତିସଂଘ। ପୃଥିବୀ ମାନଚିତ୍ର ସହିତ ଦୁଇଟି ଅଲିଭ ବୃକ୍ଷର ଚିତ୍ରଥିବା ଜାତିସଂଘର ନୀଳ ରଙ୍ଗର ପତାକା ହେଉଛି ଶାନ୍ତି, ମୈତ୍ରୀ ଓ ଐକ୍ୟର ପ୍ରତୀକ। ବିଶ୍ବରେ ଶାନ୍ତି ପ୍ରତିଷ୍ଠା ହିଁ ଜାତିସଂଘର ପ୍ରଧାନ ଲକ୍ଷ୍ୟ। ଜାତିସଂଘ ତା’ର ଜନ୍ମଲଗ୍ନରୁ ଏକଥା ସନନ୍ଦ ମାଧ୍ୟମରେ ଘୋଷଣା କରିଛି ଏବଂ ଦେଶ ଦେଶ ଭିତରେ ଶାନ୍ତି ପ୍ରତିଷ୍ଠା ପାଇଁ ଗଠନ କରିଛି ନିରାପତ୍ତା ପରିଷଦ। ପରିଚାଳନାଗତ ସୁବିଧା ପାଇଁ ସାଧାରଣ ପରିଷଦ, ନିରାପତ୍ତା ପରିଷଦ, ଅର୍ଥନୀତିକ ଓ ସାମାଜିକ ପରିଷଦ, ଆନ୍ତର୍ଜାତିକ ବିଚାର ଅଦାଲତ ଆଦି ଜାତିସଂଘର ଯେତେ ପରିଷଦ ରହିଛି, ସେସବୁ ମଧ୍ୟରେ ବେଶି ଶକ୍ତିଶାଳୀ ହେଉଛି ନିରାପତ୍ତା ପରିଷଦ।ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷିଆ ଓ ଚାଇନା ଭଳି ବୃହତ୍ ଶକ୍ତିମାନଙ୍କୁ ମିଳିଛି ଏହି ପରିଷଦର ସ୍ଥାୟୀ ସଦସ୍ୟ ପଦ ( ଭିଟୋ)। ଏକକ ଭାବରେ ଏହି ପାଞ୍ଚଟି ରାଷ୍ଟ୍ର ପାଖରେ ହିଁ ରହିଛି ନିରାପତ୍ତା ପରିଷଦର ସିଦ୍ଧାନ୍ତକୁ ଅଚଳ କରିଦେବାର ଭିଟୋ କ୍ଷମତା। ଜାତିସଂଘ ଗଠନ ପରେ ଆଶ୍ବସ୍ତ ହୋଇଥିଲା ଯୁଦ୍ଧୋତ୍ତର ପୃଥିବୀ।ଚିନ୍ତାଶୀଳ ଲୋକେ ଭାବିଥିଲେ ଜାତିସଂଘର ହସ୍ତକ୍ଷେପ ଫଳରେ ପୃଥିବୀରେ ଆଉ ପରମାଣୁ ବୋମା ତିଆରି ହେବନି କି ରହିବନି ଯୁଦ୍ଧର ଭୟ। ଦେଶ ଦେଶ ଭିତରେ ଉତ୍ତେଜନା ହ୍ରାସ ପାଇବା ସହିତ ତିଆରି ହେବ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ। ମାତ୍ର ବୃହତ୍ ଶକ୍ତିମାନଙ୍କର ଆସୁରିକ ଓ ଉପନିବେଶବାଦୀ ମାନସିକତା , ଶୋଷଣ ଲୁଣ୍ଠନ ଆଭିମୁଖ୍ୟ ଆଗରେ ବ୍ୟର୍ଥ ହେଲା ଶାନ୍ତିକାମୀ ବିଶ୍ୱବାସୀଙ୍କ ଆଶା ଓ ବିଶ୍ବାସ।ପରମାଣୁ ଅସ୍ତ୍ର ଉପରେ ଆମେରିକାର ଏକଚାଟିଆ ଅଧିକାରକୁ ନେଇ ବାଧାପ୍ରାପ୍ତ ହେଲା ନିରସ୍ତ୍ରୀକରଣ ପ୍ରକ୍ରିୟା। ଆମେରିକାର ଆଧିପତ୍ୟକୁ ଅସ୍ବୀକାର କରି ଦ୍ବିତୀୟ ଅଣୁଶକ୍ତି ଭାବରେ ଉଭା ହେଲା (୧୯୪୯) ସୋଭିଏଟ୍ ରୁଷ। ଠିକ୍ ତା’ର ତିନି ବର୍ଷ ପରେ(୧୯୫୨)ସଫଳତାର ସହ ଆଣବିକ ପରୀକ୍ଷା କଲା ବ୍ରିଟେନ। ପରବର୍ତ୍ତୀ ସମୟରେ ଆତ୍ମରକ୍ଷାର ଦ୍ବାହିଦେଇ ଅଣୁଅସ୍ତ୍ରର ଅଧିକାରୀ ହେଲେ ଚାଇନା, ଭାରତ, ପାକିସ୍ତାନ, ଉତ୍ତର କୋରିଆ ଓ ଇସ୍ରାଏଲ ଆଦି ଅନେକ ରାଷ୍ଟ୍ର।ଗୋଟିଏ ପଟେ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ବାନ, ଅନ୍ୟ ପଟରେ ପରସ୍ପର ରକ୍ତରେ ସ୍ନାନ କରିବା ପାଇଁ ବୃହତ୍ ଶକ୍ତିମାନଙ୍କର ପରୋକ୍ଷ ରଣ ହୁଙ୍କାର। ଛୋଟ ଛୋଟ ଦେଶକୁ ତୋପ ବା ମୋହରା ବନେଇ ସେମାନେ ବିଶ୍ବ ପାଇଁ ତିଆରି କରୁଛନ୍ତି ନୂଆ ନୂଆ ବିବାଦ। ଫଳରେ ଦେଶ ଦେଶ ଭିତରେ ବଢୁଛି ଉତ୍ତେଜନା। ପୃଥିବୀରେ ବୃଦ୍ଧିପାଉଛି ଯୁଦ୍ଧାସ୍ତ୍ରର ପରିମାଣ ।କୁହାଯାଉଛି ୧୯୪୫ ପରେ ବିଶ୍ବର ଜନସଂଖ୍ୟା ଯେତେ ଗୁଣ ବଢ଼ିଛି, ପ୍ରାୟତଃ ତା’ର ଲକ୍ଷେ ଗୁଣ ବଢ଼ିଛି ପରମାଣୁ ଶକ୍ତି। ଅର୍ଥାତ୍ ଏବେ ଏକ ଅଣୁଗଦା ଉପରେ ଠିଆ ହୋଇଛି ଆଧୁନିକ ବିଶ୍ବ। ଏଭଳି ସ୍ଥିତିରେ ଜାତିସଂଘ ଖୋଜି ପାଉନି ଶାନ୍ତି ପ୍ରତିଷ୍ଠାର ବାଟ। ଗୋଟିଏ ପଟରେ ଦେଶ ଦେଶ ଭିତରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନର ଆହ୍ବାନ ଦେଇ ସେପ୍ଟେମ୍ବର-୨୧ ରେ ପାଳନ କରୁଛି ଆନ୍ତର୍ଜାତିକ ଶାନ୍ତି ଦିବସ। ଅଥଚ ଆଫଗାନିସ୍ତାନରେ ତାଲିବାନ ଚଳେଇ ଥିବା ବର୍ବରତାକୁ ବିିରୋଧ କରିପାରୁନି ଅନ୍ଧ ଧୃତରାଷ୍ଟ୍ରଙ୍କ ପରି। କାରଣ ସାମ୍ରାଜ୍ୟବାଦର ଔଦ୍ଧତ୍ୟ ଆଗରେ ଜାତିସଂଘ ପାଲଟି ଯାଇଛି ତର୍କ ଓ ପ୍ରସ୍ତାବର କେବଳ ଏକ ଅସହାୟ ମଞ୍ଚ। ବିଶ୍ବ ରାଜନୀତିରେ ଦଖଲ ରଖିଥିବା ବିଶେଷଜ୍ଞଙ୍କ ମତରେ ଜାତିସଂଘ ଯଦି ଆରମ୍ଭରୁ ନିରପେକ୍ଷ ରହି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ନିଷ୍ଠାପର ଉଦ୍ୟମ କରିଥାନ୍ତା, ତେବେ ନିଶ୍ଚୟ ରୋକାଯାଇ ପାରିଥାନ୍ତା ଭାରତ-ଚାଇନା, ଭାରତ-ପାକିସ୍ତାନ, ଆମେରିକା-ଭିଏତ୍ନାମ ଓ ଇରାକ-ଇରାନ ତଥା ଆହୁରି ଅନେକ ଯୁଦ୍ଧ। ଆତଙ୍କବାଦୀ ବର୍ବରତାରେ ବିଶ୍ବ ଆଜି ଜର୍ଜରିତ ହେଉ ନ ଥାନ୍ତା କି ଆଫଗାନିସ୍ତାନକୁ ବନ୍ଧୁକ ମୁନରେ ଶାସନ କରିବାକୁ ସାହସ କରି ନ ଥାନ୍ତା ତାଲିବାନ। ଭାରତ ଗୌରବ ମଧୁସୂଦନ ଲେଖିଥିଲେ- ‘ଜାତିର ଉନ୍ନତି ସେ କାହୁଁ କରିବ ସ୍ବାର୍ଥେ ଯା’ର ବ୍ୟସ୍ତ ମନ, ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ !’ ଏକଥା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ମାରଣାସ୍ତ୍ର ନିର୍ମାଣରେ ଯେଉଁମାନଙ୍କର ବିଳାସ, ଜାତିସଂଘ ଯଦି ସେହିମାନଙ୍କ ହାତର କ୍ରୀଡ଼ନକ ହୋଇଯାଏ ତେବେ କେମିତି ଆଗକୁ ବଢ଼ିବ ନିରସ୍ତ୍ରୀକରଣ ପ୍ରକ୍ରିୟା ?କଥାରେ ଅଛି ଲୁହାରେ ଯଦି କେବଳ ଖଣ୍ଡା ବର୍ଚ୍ଛା ତିଆରି ହୁଏ, ତେବେ ବୃଦ୍ଧିପାଏ ରକ୍ତପାତ। ମାତ୍ର ସେହି ଲୁହାରେ ଯଦି ଲଙ୍ଗଳର ଫାଳ ତିଆରି ହୁଏ, ତେବେ ବୃଦ୍ଧି ପାଏ କୃଷି ଉତ୍ପାଦନ। ଅର୍ଥାତ୍ ଯେଉଁ ଦେଶ ସମୃଦ୍ଧିଠାରୁ ସଂହାରକୁ ଅଧିକ ଗୁରୁତ୍ୱ ଦିଏ, ସେ ଦେଶରେ ବେସାମରିକ ଖର୍ଚ୍ଚକୁ ଟପିଯାଏ ସାମରିକ ଖର୍ଚ୍ଚ।ବୃହତ୍ ଶକ୍ତିମାନଙ୍କ ସ୍ବାର୍ଥ ଆଗରେ ଉପରୋକ୍ତ ବିଚାର ଆଜି ଅର୍ଥହୀନ। ତେଣୁ ସାମରିକ ଖର୍ଚ୍ଚର ଶିଖର ଆରୋହଣ କରିବା ପାଇଁ ସେମାନଙ୍କ ଭିତରେ ଅହରହ ପ୍ରତିଯୋଗିତା ଚାଲିଛି ଏବଂ ସେହି କାରଣରୁ ପୃଥିବୀରେ ଏବେ ଆଶାତୀତ ଭାବେ ବଢ଼ି ଚାଲିଛି ଅସ୍ତ୍ରଶସ୍ତ୍ର କାରବାର। ପ୍ରତିବର୍ଷ ଏଥିପାଇଁ ବିନିଯୋଗ ହେଉଛି ହଜାର ହଜାର ନୁହେଁ ଅସୀମ ଲକ୍ଷ ଲକ୍ଷ କୋଟି ଟଙ୍କା ଠାରୁ ସମ ପରିମାଣର ଡଲାର। ଅପରପକ୍ଷରେ
ପୃଥିବୀରେ ଏବେ ପ୍ରତିଦିନ ଭୋକ ବିକଳରେ ପ୍ରାଣ ହରାଉଛନ୍ତି କୋଟି କୋଟି ନିଷ୍ଫାପ ନବାଗନ୍ତୁକ ବା ଶିଶୁ ଭୋଳାନାଥ । ଦୁଇ ତୃତୀୟାଂଶ ଲୋକ ଶଢୁଛନ୍ତି ଦାରିଦ୍ର୍ୟର କଷାଘାତରେ। ସେମାନଙ୍କ ପାଇଁ ନାହିଁ ପାନୀୟ ଜଳ ,ନାହିଁ ପେଟକୁ ଦାନା ,ନାହିଁ ଦେହକୁ ବସ୍ତ୍ର ,ନାହିଁ ମୁଣ୍ଡ ଉପରେ ଛାତ ,ଅଥଚ ବିପୁଳ ଅସୀମ ଅର୍ଥ ବ୍ୟୟରେ ଯୁଦ୍ଧାସ୍ତ୍ର ମହଜୁଦ କରିବା ନିମନ୍ତେ ବିକାଶଶୀଳ ଦେଶ ମାନଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ତଥ୍ୟ କହେ ପୃଥିବୀର ୫୨ ପ୍ରତିଶତ ବୈଜ୍ଞାନିକ ଏବେ ନିୟୋଜିତ ଅଛନ୍ତି ମାରଣାସ୍ତ୍ର ନିର୍ମାଣ କାର୍ଯ୍ୟରେ। ଅର୍ଥାତ୍ ଆଧୁନିକ ମଣିଷ ତା’ର ଶ୍ରେଷ୍ଠତମ ମେଧା ଉପଯୋଗ କରୁଛି ଅଧିକରୁ ଅଧିକ ଧ୍ବଂସକାରୀ ମାରଣାସ୍ତ୍ର ନିର୍ମାଣ କରିବାରେ। ସେଥିପାଇଁ ବିଖ୍ୟାତ ଦାର୍ଶନିକ ବରଣ୍ଟାଣ୍ଡ ରସେଲ କହିଥିଲେ-ଆଧୁନିକ ବିଶ୍ବରେ ଶାନ୍ତି ଏକ ବ୍ୟୋମଯାନ ପରି ଆକାଶରେ ଘୂରି ବୁଲୁଛି, ଯିଏ ଧରାବତରଣ ପାଇଁ ଖୋଜି ପାଉନି ପ୍ରକୃଷ୍ଟ ସ୍ଥାନ।ସମଗ୍ର ବିଶ୍ବ ଗୋଟିଏ ଗୃହ , ସାରା ମଣିଷ ଜାତି ଗୋଟିଏ ପରିବାର, ସମସ୍ତ ସୃଷ୍ଟି ଗୋଟିଏ ସମଷ୍ଟି ,ସେହି ସମଗ୍ରତା ମଧ୍ୟରୁ ମୁକ୍ତ ନୁହନ୍ତି କେହି। ମଣିଷର ଏହି ଉପଲବ୍ଧି ହିଁ ଶାନ୍ତି ପ୍ରକ୍ରିୟାର ମୂଳ କଥା। ମାତ୍ର ସେହି ମୂଳ ଉପରେ ବାରମ୍ବାର ଭାରି ପଡୁଛି ରାଜନୈତିକ ବିବାଦ, ଭୌଗୋଳିକ ସୀମା, କ୍ଷମତାଲିପ୍ସୁ ଅଭିଳାଷ, ମୌଳବାଦୀ ଆତଙ୍କ ଆଦି ନାନା ନକାରାତ୍ମକ ଶକ୍ତି।ମାତ୍ର ଏ ସବୁରି ଊର୍ଦ୍ଧ୍ୱରେ ମଣିଷପଣିଆ, ଯାହା ଅନେକ ସମୟରେ ବଦଳାଇ ଦିଏ ଇତିହାସର ମୋଡ଼। ବୋମା ପକାଇଥିବା ସାମରିକ ବିମାନର ପାଇଲଟ ଚାଲ୍ସ ଡୋନାଲ୍ଡ କହିଥିଲେ-‘ପୃଥିବୀ ଶାନ୍ତି ଚାହେଁ, ମାନବ ସଭ୍ୟତା ବଞ୍ଚି ରହିବା ପାଇଁ ବୋମା ନୁହେଁ, ବିଶ୍ବ ଭ୍ରାତୃତ୍ୱ ଲୋଡ଼ା।’ବିକାଶ ଓ ଶାନ୍ତି ପରସ୍ପର ପରିପୂରକ। ତେଣୁ ବିକାଶର ଧାରା ବଜାୟ ରଖିବାକୁ ହେଲେ ଯୁଦ୍ଧ ନୁହେଁ, ଶାନ୍ତିର ଧାରା ବଜାୟ ରଖିବା ଜରୁରୀ। ଶାନ୍ତିର ଅସଲ ମାର୍ଗ ହେଉଛି ବିଶ୍ବ ଭ୍ରାତୃତ୍ୱ ଭାବନା, ଯାହା ଭାରତୀୟ ସଂସ୍କୃତିର ଆତ୍ମିକ ସନନ୍ଦ। ସେଥିପାଇଁ ମହାଯୋଗୀ ଶ୍ରୀଅରବିନ୍ଦ କହିଥିଲେ, ଭାରତ ହେଉଛି ପୃଥିବୀର ଆତ୍ମା। ଭାରତ ଦ୍ବାରା ସମ୍ଭବ ହେବ ପୃଥିବୀରେ ଶାନ୍ତି ପ୍ରତିଷ୍ଠା। ଭାରତ ହେଉଛି ସତ୍ୟ ଓ ଅହିଂସାର ପୂଜାରୀ ଗାନ୍ଧିଜୀଙ୍କ ଦେଶ। ଏ ଦେଶ ଦିନେ ବିଶ୍ବରେ ପ୍ରଚାର କରିଥିଲା ଗୌତମ ବୁଦ୍ଧଙ୍କ ଶାନ୍ତି ଓ ପ୍ରେମର ବାଣୀ। ଗୌତମ ବୁଦ୍ଧଙ୍କ ପରି ଗାନ୍ଧୀ ଦର୍ଶନର ମୂଳମନ୍ତ୍ର ଥିଲା ସତ୍ୟ, ଶାନ୍ତି ଓ ଅହିଂସା। ଶାନ୍ତି ଓ ସଦ୍ଭାବନା ବଜାୟ ରଖିବା ଦିଗରେ ଭାରତୀୟଙ୍କ ଉପରେ ଗାନ୍ଧିଜୀଙ୍କର ଥିଲା ଅଖଣ୍ଡ ପ୍ରଭାବ।ବିକାଶ ଓ ଶାନ୍ତି ପରସ୍ପର ପରିପୂରକ। ତେଣୁ ବିକାଶର ଧାରା ବଜାୟ ରଖିବାକୁ ହେଲେ ଯୁଦ୍ଧ ନୁହେଁ, ଶାନ୍ତିର ଧାରା ବଜାୟ ରଖିବା ଜରୁରୀ। ଶାନ୍ତିର ଅସଲ ମାର୍ଗ ହେଉଛି ବିଶ୍ବ ଭ୍ରାତୃତ୍ୱ ଭାବନା, ଯାହା ଭାରତୀୟ ସଂସ୍କୃତିର ଆତ୍ମିକ ସନନ୍ଦ। ସେଥିପାଇଁ ମହାଯୋଗୀ ଶ୍ରୀଅରବିନ୍ଦ କହିଥିଲେ, ଭାରତ ହେଉଛି ପୃଥିବୀର ଆତ୍ମା। ଭାରତ ଦ୍ବାରା ସମ୍ଭବ ହେବ ପୃଥିବୀରେ ଶାନ୍ତି ପ୍ରତିଷ୍ଠା। ଭାରତ ହେଉଛି ସତ୍ୟ ଓ ଅହିଂସାର ପୂଜାରୀ ଗାନ୍ଧିଜୀଙ୍କ ଦେଶ। ଏ ଦେଶ ଦିନେ ବିଶ୍ବରେ ପ୍ରଚାର କରିଥିଲା ଗୌତମ ବୁଦ୍ଧଙ୍କ ଶାନ୍ତି ଓ ପ୍ରେମର ବାଣୀ। ଗୌତମ ବୁଦ୍ଧଙ୍କ ପରି ଗାନ୍ଧୀ ଦର୍ଶନର ମୂଳମନ୍ତ୍ର ଥିଲା ସତ୍ୟ, ଶାନ୍ତି ଓ ଅହିଂସା। ଶାନ୍ତି ଓ ସଦ୍ଭାବନା ବଜାୟ ରଖିବା ଦିଗରେ ଭାରତୀୟଙ୍କ ଉପରେ ଗାନ୍ଧିଜୀଙ୍କର ଥିଲା ଅଖଣ୍ଡ ପ୍ରଭାବ। ଦେଶରେ ଶାନ୍ତିଭଙ୍ଗ ହେଲେ ସେ ଅନଶନ କରୁଥିଲେ, ଯା’କୁ ନେଇ ପ୍ରମାଦ ଗଣୁଥିଲେ ଉଭୟ ପକ୍ଷ।ଦୃଷ୍ଟାନ୍ତ ସ୍ବରୂପ ସ୍ବାଧୀନତାର ପ୍ରଥମ ସକାଳରେ ଦେଶରେ ଉତ୍କଟ ରୂପ ନେଇଥିବା ସାଂପ୍ରଦାୟିକ ଦଙ୍ଗାକୁ ରୋକିବା ପାଇଁ ଗାନ୍ଧିଜୀ କଲିକତାରେ ଆରମ୍ଭ କଲେ ଅନଶନ। ଯେଉଁମାନେ ପରସ୍ପର ରକ୍ତରେ ସ୍ନାନ କରିବାକୁ ବାହାରି ଥିଲେ,ସେମାନେ ଗାନ୍ଧିଜୀଙ୍କ ନିକଟରେ ତରବାରି ସମର୍ପଣ କରି ବାଣ୍ଟିଲେ ସଦ୍ଭାବନା ବାର୍ତ୍ତା। ହିନ୍ଦୁ ମୁସଲମାନ କାନ୍ଧରେ କାନ୍ଧ ମିଳାଇ ବାହାର କଲେ ଶାନ୍ତି ଶୋଭାଯାତ୍ରା। କେଉଁଠି ‘ବନ୍ଦେ ମାତରମ୍’ ତ କେଉଁଠି ” ବନ୍ଦେ ଉତ୍କଳ ଜନନୀ ତ କେଉଁଠି ‘ସା ରେ ଜହାଁସେ ଅଛା’ ସଂଗୀତ ଧ୍ବନିରେ ମୁଖରିତ ହୋଇଥିଲା କୋଲକତା ଠାରୁ କୋରାପୁଟ , ଆମକୋ ସିମକୋ ଠାରୁ ଇଞ୍ଚୁଡି, କନ୍ଧମାଳ ରୁ କଳାହାଣ୍ଡି ପର୍ଯ୍ୟନ୍ତ ଗଗନ ପବନ। ମୋହନ ଦାସଙ୍କ ମୋହିନୀ ଶକ୍ତି ବଳରେ ସେଠାରେ ଶାନ୍ତି ପୁନଃ ପ୍ରତିଷ୍ଠା ପରେ ସେ ଦିଲ୍ଲୀ ଫେରି ଆସିଲେ ଏବଂ ସମଗ୍ର ଦେଶରେ ଶାନ୍ତି ଫେରାଇ ଆଣିବା ପାଇଁ ଜୀବନକୁ ଲଗାଇ ଦେଲେ ବାଜି। ଗାନ୍ଧିଜୀଙ୍କ ପାଇଁ ଅହିଂସା କେବେ ଏକ ଉପଦେଶ ନ ଥିଲା, ତାହା ଥିଲା ତାଙ୍କ ଜୀବନର କ୍ରିୟାତ୍ମକ ସିଦ୍ଧାନ୍ତ। ବିଶ୍ବ ଶାନ୍ତି ପାଇଁ ଏକ ବ୍ରହ୍ମାସ୍ତ୍ର। ତେଣୁ ଅହିଂସାର ମନ୍ତ୍ର ପଢ଼ି ସେ କେବଳ ଭାରତକୁ ସ୍ବାଧୀନ କରି ନ ଥିଲେ, ଏଥିସହିତ ଦୁନିଆକୁ ଦେଖାଇ ଦେଇଥିଲେ ବିନା ଅସ୍ତ୍ରରେ କେମିତି ଜିଣିହୁଏ କୋଟି କୋଟି ମଣିଷଙ୍କ ହୃଦୟ। ଗାନ୍ଧିଜୀଙ୍କରଏହି ଆଦର୍ଶରେ ଉଦ୍ବୋଧିତ ହୋଇଛି ସମଗ୍ର ବିଶ୍ବ। ସେଥିପାଇଁ ତାଙ୍କ ଜନ୍ମ ଦିବସକୁ ଅହିଂସା ଦିବସ ଭାବେ ପାଳନ କରୁଛି ମିଳିତ ଜାତିସଂଘ। ମାତ୍ର କାର୍ଯ୍ୟରେ ଗାନ୍ଧିବାଦକୁ ଅଣଦେଖା କରିବା ଫଳରେ ସମଗ୍ର ବିଶ୍ବ ଆଜି ଅଶାନ୍ତ। ପୃଥିବୀର ବିଭିନ୍ନ କୋଣରୁ ଶୁଭୁଛି ଯୁଦ୍ଧର ହୁଙ୍କାର। ମୌଳବାଦୀ ଚିନ୍ତାଧାରାକୁ ନେଇ ଭୟଙ୍କର ରୂପ ନେଉଛି ସନ୍ତ୍ରାସବାଦ। ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଭାଷାରେ ‘-ଆଜିର ବିଶ୍ବଶାନ୍ତି ଓ ଯୁଦ୍ଧ- ଦୁଇଟି ଦ୍ବନ୍ଦ୍ୱାତ୍ମକ ମେରୁ ମଧ୍ୟରେ ଝୁଲୁଛି। ଗୋଟିଏ ପଟରେ ଶାନ୍ତି ପାଇଁ ବ୍ୟାକୁଳତା, ଅନ୍ୟ ପଟରେ ଯୁଦ୍ଧର କଳା ବାଦଲ।’ ଅତଏବ ସାମଗ୍ରିକ ଘଟଣା, ଅଘଟଣ ପୃଷ୍ଠଭୂମିରେ ରହିଛି ଏକ ଆସୁରିକ ମାନସିକତା । ଏହା ନିଃସନ୍ଦେହ ଯେ ତୃତୀୟ ବିଶ୍ବଯୁଦ୍ଧ ପରମାଣୁ ଅସ୍ତ୍ରର ଯୁଦ୍ଧ ହେବ- ଏ ଆଶଙ୍କା ଅମୂଳକ ନୁହେଁ। ଦ୍ବିତୀୟ ବିଶ୍ବଯୁଦ୍ଧର ପରମାଣୁ ବୋମାର ବିଭୀଷିକାକୁ ଇତିହାସ କେବେ ବି ଭୁଲିପାରିବ ନାହିଁ; ତଥାପି ସଭ୍ୟ ବୋଲାଉଥିବା ମାନବ ସମାଜ ଏବେ ପରମାଣୁ ତଥା ଅନ୍ୟାନ୍ୟ ଘାତକ ଅସ୍ତ୍ରର ବାରୁଦ ଗଦା ପରେ ଦଣ୍ଡାୟମାନ। ଗୁଳି, ବୋମା, କ୍ଷେପଣାସ୍ତ୍ର ଥରେ ‘ବେରେଲ’ରୁ ବାହାରି ଯିବା ପରେ ଚିହ୍ନି ପାରିନଥାଏ କିଏ ଶିଶୁ, ବୃଦ୍ଧ, ନିରୀହ, ଦୋଷୀ ଅଥବା ନିର୍ଦୋଷ। କେବଳ ଲକ୍ଷ୍ୟ ଥାଏ ମାରିବା ଏବଂ ଧ୍ବଂସ କରିବା। ମଣିଷର ଶତ୍ରୁ ମଣିଷ ହିଁ ପାଲଟିଛି ଓ ପାଲଟିଯାଇଛି ନିର୍ମମ, ନିଷ୍ଠୁର ତଥା ହୃଦୟହୀନ। ସୁନ୍ଦର ଧରାବକ୍ଷକୁ ଆମନ୍ତ୍ରଣ କରିଛି ତାଣ୍ଡବ ଲୀଳା; ଫଳରେ ରକ୍ତ ରଞ୍ଜିତ ଆଜି ଏହି ସୁନ୍ଦର ପୃଥିବୀ। ସମସ୍ତେ ଜାଣନ୍ତି ରକ୍ତକ୍ଷୟୀ ଯୁଦ୍ଧର ପରିଣତି କେତେ ବିଭୀଷିକାପୂର୍ଣ୍ଣ ତଥାପି ଯୁଦ୍ଧର ବିଗୁଲ ବଜାଇ ବ୍ୟବହାର କରୁଛି ସାଇତି ଥିବା ମାରଣାସ୍ତ୍ର, ବାୟୋନେଟ୍ର ରକ୍ତାକ୍ତ ପ୍ରଲେପ ଦେଖି ହେଉଛି ଉତ୍ଫୁଲ୍ଲିତ। ନିଜକୁ ସର୍ବଶକ୍ତିମାନ ବୋଲି ପ୍ରତିପାଦିତ କରିବାପାଇଁ ସମଗ୍ର ବିଶ୍ବରେ ଚାଲିଛି ଯୁଦ୍ଧାସ୍ତ୍ର ଠୁଳ କରିବାର ପ୍ରତିଯୋଗିତା। ପ୍ରଭୁତ୍ବ ବିସ୍ତାର କରିବାକୁ ଆଣବିକ, ଜୈବିକ, ରାସାୟନିକ ଅସ୍ତ୍ର ପ୍ରୟୋଗର ଭୟ ଦେଖାଇ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି। ବ୍ୟୟ ହେଉଛି ଅମାପ ଅର୍ଥ। ଆତଙ୍କବାଦର ବିଲୋପନ ବା ଯୁଦ୍ଧ ପରିସମାପ୍ତି ଅଥବା ଚିରନ୍ତନ ଶାନ୍ତି ପ୍ରତିଷ୍ଠା କଥା କହୁଥିବା ଅସ୍ତ୍ର ଉତ୍ପାଦନକାରୀ ରାଷ୍ଟ୍ରର ଏହା ଆଦୌ କାମ୍ୟ ନୁହେଁ। ଯଦି ସେଇଆ ହୋଇଥାନ୍ତା, ତେବେ ତା’ର ବୃହତ୍ ଅସ୍ତ୍ରଶସ୍ତ୍ର ନିର୍ମାଣ ଶିଳ୍ପର ବ୍ୟବସାୟ ଚାଲିବ କେମିତି? ତା’ର ଯୁଦ୍ଧାସ୍ତ୍ର ବେପାରୀମାନେ ଟ୍ରିଲିୟନ ଡଲାରର ମାଲିକ ହୁଅନ୍ତେ କିପରି? ସମସ୍ତେ ଭଲ ଭାବେ ଜାଣନ୍ତି ରକ୍ତକ୍ଷୟୀ ଯୁଦ୍ଧ ଶେଷ ହେବା ପରେ ନେତାମାନେ କରମର୍ଦନ କରନ୍ତି, କୁଣ୍ଢାକୁଣ୍ଢି ହୁଅନ୍ତି, ମାତ୍ର ସନ୍ତାନକୁ ହରାଇ ଥିବା ପିତାମାତା, ସ୍ବାମୀଙ୍କୁ ହରାଇଥିବା ପତ୍ନୀ, ପିତାଙ୍କୁ ହରାଇଥିବା ପୁତ୍ର, ଅଙ୍ଗହରାଇ ପଙ୍ଗୁ ହୋଇଯାଇଥିବା ସୈନିକ ଆଜୀବନ ଯମଯନ୍ତ୍ରଣାରେ ଜୀବନ ବିତାଇବାକୁ ବାଧ୍ୟ ହୋଇଥାନ୍ତିି। ପ୍ରତ୍ୟେକ ଯୁଦ୍ଧରେ ଯେତିକି ସଂଖ୍ୟକ ସୈନିକ ମୃତ୍ୟୁବରଣ କରନ୍ତି, ତା’ଠାରୁ ଅଧିକ ଯୁଦ୍ଧ ସହ ସଂପୃକ୍ତ ନଥିବା ସାଧାରଣ ନିରୀହଙ୍କର ମୃତ୍ୟୁ ହୋଇଥାଏ। ତଥାପି ଅସ୍ତ୍ର ନିର୍ମାଣକାରୀ ଶିଳ୍ପାନୁଷ୍ଠାନଗୁଡ଼ିକ ପୁଣି ଯୁଦ୍ଧାସ୍ତ୍ର ନିର୍ମାଣରେ ତତ୍ପର ହୁଅନ୍ତି, ଯୁଦ୍ଧାସ୍ତ୍ର ବଜାର ପୁଣି ସରଗରମ ହୋଇଉଠେ। ବର୍ତ୍ତମାନ ସାରା ବିଶ୍ବରେ ଆଧୁନିକ ଅସ୍ତ୍ର ଆହରଣ ପାଇଁ ଚାଲିଛି ପ୍ରତିଯୋଗିତା। ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ‘ଯୁଦ୍ଧ’, ‘ଜାତୀୟ ନିରାପତ୍ତା’ ଆଦି ଉପରେ ଅନର୍ଗଳ ଭାଷଣ ଦେଉଥିବାବେଳେ ମାନବ ସମାଜର ସମୂହ ଉନ୍ନତି, ଅଗ୍ରଗତି, ସାମାଜିକ ପ୍ରତିଷ୍ଠା, ବନ୍ଧୁତା ଉପରେ ଗୁରୁତ୍ବାରୋପ କମ୍ ହେଉଛି। ହିଂସା, ଘୃଣା, ପ୍ରତିଶୋଧ ପରାୟଣତାର ମାନସିକ ସ୍ଥିତିରେ ଥାଇ ସମଗ୍ର ମାନବ ସମାଜ ଶାନ୍ତି ପ୍ରଗତି ଉପରେ ଧ୍ୟାନ ନଦେଇ କେବଳ ନିଜର ସ୍ବାର୍ଥ ସାଧନରେ ବ୍ରତୀ।ଦ୍ବିତୀୟ ବିଶ୍ବଯୁଦ୍ଧ ପରେ କୋରିଆ, ଭିଏତ୍ନାମ, ଲିବ୍ୟା, ସିରିଆ, ଇରାକ୍ ଆଫଗାନିସ୍ତାନ, ୟେମେନ୍, ଚେକୋସ୍ଲୋଭାକିଆ ତଥା ଅନ୍ୟାନ୍ୟ ଛୋଟବଡ଼ ସଂଘର୍ଷ କାରଣରୁ ବିଶ୍ବ-ଅସ୍ତ୍ରବଜାରରେ ଅସ୍ତ୍ରନିର୍ମାଣକାରୀ ଶିଳ୍ପପତି ଓ ଅସ୍ତ୍ର ବିକ୍ରୟକାରୀ ସୌଦାଗରମାନେ ଅଧିକ ସକ୍ରିୟ ହୋଇ ଉଠିବା ସହ ଅଧିକ ଲାଭବାନ ହୋଇଛନ୍ତି। ଯେ କୌଣସି ଯୁଦ୍ଧରେ ବିପୁଳ ପରିମାଣର ଅସ୍ତ୍ର ବ୍ୟବହାର ହେବା କାରଣରୁ ଯୁଦ୍ଧାସ୍ତ୍ରଗୁଡ଼ିକର ନିର୍ମାଣ, ଆହରଣ ଓ ବିକ୍ରୟ ବଢ଼ିଯାଏ ଏବଂ ଅଧିକ ଅର୍ଥଲାଭର ରାସ୍ତା ମଧ୍ୟ ଖୋଲିଯାଏ। ଫଳରେ ଲାଭଖୋର ଅସ୍ତ୍ର ବ୍ୟବସାୟୀମାନେ ଅଧିକରୁ ଅଧିକ ଅର୍ଥ ଲାଭ ଲାଳସାରେ ଯୁଦ୍ଧର ପରିସମାପ୍ତି କିପରି ନଘଟିବ ଏବଂ ଏହା କିପରି ଦୀର୍ଘକାଳ ଜାରି ରହିବ, ସେଥିପାଇଁ ସେମାନେ ସମସ୍ତ ପ୍ରକାର କଳବଳ କୌଶଳ ପ୍ରୟୋଗ କରିଥାନ୍ତି।ରୁଷିଆ- ୟୁକ୍ରେନ୍ ଯୁଦ୍ଧ ଭୂମିରେ ବିଜୟର ଟିକା ହାସଲ ପାଇଁ ରୁଷ ସମସ୍ତ ପ୍ରଚେଷ୍ଟା ଜାରି ରଖିଥିଲାବେଳେ ଆମେରିକା ଯୁଦ୍ଧାସ୍ତ୍ର ନିର୍ମାଣକାରୀ ଉଦ୍ୟୋଗଗୁଡ଼ିକ କିପରି ଅସ୍ତ୍ର ଯୋଗାଇ ଅଧିକ ଲାଭବାନ ହେବେ ସେହି ଚିନ୍ତା ତାଙ୍କୁ ଘାରିଛି। ୟୁକ୍ରେନକୁ ସହାୟତା ପ୍ରଦାନ ଆଳରେ ଏବେ ନିକଟରେ ଆମେରିକା ଦ୍ବାରା ଘୋଷିତ ‘ଇମ୍ରଜେନ୍ସୀ-ଏଡ୍-ପ୍ୟାକେଜ୍’ଦ୍ବାରା ଆମେରିକୀୟ ଯୁଦ୍ଧ ନିର୍ମାଣକାରୀ ଶିଳ୍ପାନୁଷ୍ଠାନଗୁଡ଼ିକ ୧୩ ବିଲିୟନ ଡଲାରରେ ସମୃଦ୍ଧ। ରୁଷର ୟୁକ୍ରେନ ଆକ୍ରମଣର ଠିକ୍ ପୂର୍ବରୁ ଆମେରିକା ୧ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ର ୟୁକ୍ରେନ୍କୁ ଯୋଗାଇ ଦେଇଥିଲା। ଯୁଦ୍ଧ ଘନଘଟା ଭିତରେ ୩୫୦ ନିୟୁତ ଡଲାର ମୂଲ୍ୟର ଯୁଦ୍ଧାସ୍ତ୍ର ୟୁକ୍ରେନ୍କୁ ଯୋଗାଇ ଦେବାସହ ତା’ର ସୁରକ୍ଷା ପାଇଁ ଆଉ ୮୦୦ ନିୟୁତ ଡଲାର ମୂଲ୍ୟର ଯୁଦ୍ଧାସ୍ତ୍ର ଯୋଗାଇ ଦେବାକୁ ବାଇଡେନ୍ ପ୍ରଶାସନ ଘୋଷଣା କରିଛି। ଏଥିରେ ଷ୍ଟିନ୍ଜର କ୍ଷେପଣାସ୍ତ୍ର, ଜାଭେଲିନ୍ କ୍ଷେପଣାସ୍ତ୍ର, ଏଣ୍ଟି ଟ୍ୟାଙ୍କ ଉଇପନ, ମୋଟାର ବୋମା, ରାଇଫଲ, ମେସିନ୍ଗନ, ହାତରେ ଚଳାଯାଉଥିବା ଅସ୍ତ୍ରଶସ୍ତ୍ର ଏବଂ ବହୁ ପରିମାଣର ଗୁଳିଗୋଳା ସାମିଲ ଥିବାର ସୂଚନା ମିଳେ। ୟୁରୋପୀୟ ସଂଘ ମଧ୍ୟ ୫୨୦ ନିୟୁତ ଡଲାର ମୂଲ୍ୟର ଯୁଦ୍ଧାସ୍ତ୍ର ଓ କାନାଡ଼ା ୩୯୪ ନିୟୁତ ଡଲାର ମୂଲ୍ୟର ସହାୟତା ୟୁକ୍ରେନ୍ର ଶକ୍ତି ପ୍ରଦର୍ଶନରେ ସହାୟକ ହୋଇଥିବାର ଅନୁଭୂତ ହୁଏ। ବହୁ ବିଲିୟନ ଡଲାରରୁ ଊର୍ଦ୍ଧ୍ବ ମୂଲ୍ୟର ଏହି ସବୁ ଯୁଦ୍ଧାସ୍ତ୍ରଗୁଡ଼ିକ ଏହାର ନିର୍ମାଣକାରୀ ଶିଳ୍ପପତି ଓ ଏହାର ବିକ୍ରୟ ପାଇଁ ତତ୍ପର ଥିବା ବେପାରୀଙ୍କୁ ବେଶ୍ ସୁହାଉଛି- ଏଥିରେ ସନ୍ଦେହ ନାହିଁ। ବିଶ୍ବବ୍ୟାଙ୍କ୍ର ଅର୍ଥନୀତିଜ୍ଞ ଓ ହାଭାର୍ଡ ବିଶ୍ବବିଦ୍ୟାଳୟର ଆକଳନ ଅନୁସାରେ ଇରାକର ସଦ୍ଦାମ ହୁସେନ ଆଣବିକ ଓ ରାସାୟନିକ ଯୁଦ୍ଧାସ୍ତ୍ର ରଖିଥିବାର ଡିଣ୍ଡିମ ପିଟି ଆମେରିକା ତାଙ୍କୁ ଗାଦିଚ୍ୟୁତ କରିବାକୁ ଯେଉଁ ଯୁଦ୍ଧ ରଚନା କରିଥିଲା ତା’ର ପରିମାଣ ଥିଲା ୩ ଟ୍ରିଲିୟନ ଡଲାର। ଆମେରିକା ଗଠିତ ସଙ୍ଗଠନରେ ସାମିଲ ଥିବା ସାଉଦି ଆରବକୁ ୬୦ ବିଲିଅନ ଡଲାର ଓ କୁଏତ୍କୁ ୩୨ ବିଲିଅନ ଡଲାର ଦେବାକୁ ପଡ଼ିଥିଲା। ୟୁକ୍ରେନ୍ ଯୁଦ୍ଧରେ ମଧ୍ୟ ଆମେରିକା ତା’ ସପକ୍ଷରେ ଥିବା ରାଷ୍ଟ୍ରଗୁଡ଼ିକ ଠାରୁ ଅର୍ଥ ପାଇବ ବୋଲି ଆଶା କରାଯାଏ। ନିଷିଦ୍ଧ ଅସ୍ତ୍ର ପ୍ରସ୍ତୁତିରେ କେତେକ ଦେଶ ଏବେ ମଧ୍ୟ ବ୍ୟସ୍ତ। ପୃଥିବୀର ବିଭିନ୍ନ ଦେଶରେ ଆମେରିକା ପ୍ରାୟ ୩୦୦ରୁ ଅଧିକ ଜୈବ ଓ ରାସାୟନିକ ପରୀକ୍ଷାଗାର ପାଇଁ ଅର୍ଥ ଯୋଗାଇ ଦେବା ସହ ୟୁକ୍ରେନରେ ୨୦ରୁ ୨୫ ସଂଖ୍ୟକ ଏହି ପ୍ରକାର ପରୀକ୍ଷାଗାର ଥିବା ରୁଷ ଅଭିଯୋଗ କରିଥିଲା। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ‘ରୋଜାମଣ୍ଡ ସେନେକା’ କମ୍ପାନୀ ଜରିଆରେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ପୁତ୍ର ହଣ୍ଟର ବାଇଡେନ୍ ୟୁକ୍ରେନ୍ରେ ଜୈବ-ଅସ୍ତ୍ର ନିର୍ମାଣ କାର୍ଯ୍ୟକ୍ରମକୁ ଅର୍ଥ ଯୋଗାଇଛନ୍ତି। ଯେଉଁ ଅସ୍ତ୍ର ସମଗ୍ର ମାନବ ଜାତି ପାଇଁ କ୍ଷତିକାରକ ସେ ସବୁର ନିର୍ମାଣ ବନ୍ଦ କରିବାକୁ ଚିତ୍କାର କରୁଥିବା ଆମେରିକା ଏଭଳି ହୀନ, ଜଘନ୍ୟ କାର୍ଯ୍ୟରେ ଲିପ୍ତ ଯୁଦ୍ଧକ୍ଷେତ୍ର ହିଁ ଅସ୍ତ୍ର ପରୀକ୍ଷଣର ପ୍ରକୃଷ୍ଟ କ୍ଷେତ୍ର। ରୁଷ ୟୁକ୍ରେନ ବିପକ୍ଷରେ ଏବେ ନିକଟରେ ଅଧିକ ବିଧ୍ବଂସକ ‘ଭାକ୍ୟୁମ୍-ବୋମା’ ବ୍ୟବହାର କରିଥିବାର ସ୍ବୀକାର କରିଛି। ଭାକ୍ୟୁମ୍ ବୋମା ବିସ୍ଫୋରଣ କ୍ଷେତ୍ରରେ ଥିବା ବ୍ୟକ୍ତି ଏହାର ଧ୍ବଂସକାରୀ ପ୍ରଭାବରୁ ରକ୍ଷା ପାଇବା କଷ୍ଟ। ମନୁଷ୍ୟ ଶରୀରରେ ଥିବା ଚାପ ବାହାର ଠାରୁ ଅଧିକ ଥିବାରୁ ଶରୀର ମଧ୍ୟରୁ ବାୟୁ ବାହାରକୁ ଆସିଲାବେଳେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ଫଟାଇଦେଇଥାଏ। ଏହି ‘ଭାକ୍ୟୁମ୍ ବୋମା’ର ମନୁଷ୍ୟ ଶରୀରକୁ ବାଷ୍ପୀଭୂତ କରିଦେବାର କ୍ଷମତା ମଧ୍ୟ ରହିଛି।କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିବା ଦେଶଗୁଡ଼ିକୁ ଅସ୍ତ୍ର ଯୋଗାଣର ଶିଥିଳତା ପରେ ଏବେ ପୃଥବୀର ଅସ୍ତ୍ର ନିର୍ମାଣକାରୀ ସଂସ୍ଥା ଓ ଏହାର ସୌଦାଗରମାନେ ବେଶ୍ ଚଳଚଞ୍ଚଳ। ଯୁଦ୍ଧାସ୍ତ୍ରର ନିର୍ମାଣକାର୍ଯ୍ୟ ବଢ଼ାଇବା ସହ ସେଗୁଡ଼ିକୁ ବିଭିନ୍ନ ଦେଶକୁ ବିକ୍ରୟ କରି ଅଧିକ ଲାଭ ଉଠାଇପାରିବେ ସେଥିପାଇଁ ହୋଇଉଠିଛନ୍ତି ତତ୍ପର। ଆମେରିକା, ରୁଷିଆ, ଚୀନ, ଇଂଲଣ୍ଡ, ଫ୍ରାନ୍ସ ଭଳି ଦେଶଗୁଡ଼ିକ ମଧ୍ୟରେ ଅସ୍ତ୍ର ବିକ୍ରୟ କରିବାକୁ ଚାଲିଛି ପ୍ରତିଯୋଗିତା। ସାଉଦି ଆରବ, ଭାରତ, ପାକିସ୍ତାନ, ଇରାକ୍, ବାଂଲାଦେଶ, ତାଇୱାନ, ଆଫ୍ଗାନିସ୍ତାନ ଭଳି ଦେଶଗୁଡ଼ିକ ଅସ୍ତ୍ର କିଣିବାରେ ଅଧିକ ସକ୍ରିୟ। ପାକିସ୍ତାନ ଉପରେ କରଜର ଭାର ୧୧.୮ଟ୍ରିଲିଅନ୍ ଡଲାରରେ ପହଞ୍ଚିଥିଲେ ମଧ୍ୟ ଚୀନ୍ ଓ ରୁଷ୍ଠାରୁ ଅସ୍ତ୍ର ଆହରଣରେ ଅଧିକ ଆଗ୍ରହୀ। ପାକିସ୍ତାନକୁ ଅସ୍ତ୍ର ଯୋଗାଇ ସମଗ୍ର ଦକ୍ଷିଣ ଏସିଆରେ ଏବଂ ବିଶେଷ ଭାବେ ଭାରତ ବିପକ୍ଷରେ ଏହାର ବ୍ୟବହାର ହେଉଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଆମେରିକା ପାକିସ୍ତାନକୁ ଅସ୍ତ୍ର ଯୋଗାଇବାରେ ବିରତ ହୋଇନାହିଁ। ପାକିସ୍ତାନ ରୁଷ ସହ ବନ୍ଧୁତା ବଢ଼ାଇ ୨୦୨୦ ମସିହାରେ ‘ଏମ୍ଆଇ-୩୫’ ଏସଲ୍ଟ ହେଲିକପ୍ଟର ଏବଂ ଏଣ୍ଟି ଟ୍ୟାଙ୍କ୍ ସିଷ୍ଟମ ଆହରଣ କରିଛି। ଚୀନ୍ ପ୍ରାୟ ସମସ୍ତ ପ୍ରକାର ଯୁଦ୍ଧାସ୍ତ୍ର ପାକିସ୍ତାନକୁ ଯୋଗାଇବାରେ ଲାଗିଛି। ତାଇୱାନ୍ ଭଳି ଦେଶ ଆମେରିକାଠାରୁ ୧୨ ବିଲିଅନ୍ ଡଲାର ମୂଲ୍ୟର ଯୁଦ୍ଧାସ୍ତ୍ର ଖରିଦ କରିବାରେ ସମର୍ଥ ହୋଇଛି। ଯଦିଓ ଭାରତ ରୁଷଠାରୁ ପ୍ରାୟ ୭୦ ପ୍ରତିଶତ ଯୁଦ୍ଧାସ୍ତ୍ର ଆହରଣ କରିଛି, ମାତ୍ର ଏହା ଏବେ ୪୯ ପ୍ରତିଶତରେ ସୀମିତ।ଶାନ୍ତି ସ୍ଥାପନକୁ ମୂଳ ଲକ୍ଷ୍ୟ ରଖି ବହୁ ଚୁକ୍ତି ସ୍ବାକ୍ଷରିତ ହେଉଛି ମାତ୍ର ତାହା ରହିଯାଉଛି କାଗଜକଲମରେ- ସ୍ବାର୍ଥାନ୍ଧ ରାଷ୍ଟ୍ର ନାୟକଙ୍କ ଚକ୍ରାନ୍ତ କାରଣରୁ ଯୁଦ୍ଧ ଅଶାନ୍ତିର କଳା ବାଦଲରେ ସମଗ୍ର ବିଶ୍ବ ଆଜି ଆଚ୍ଛନ୍ନ। ଏହି ପ୍ରସଙ୍ଗରେ ଆଇଜେନ୍ ହାୱାର କହିଥିଲେ- ‘ପ୍ରତ୍ୟେକ ବନ୍ଧୁକ, ଯୁଦ୍ଧଜାହାଜ, କ୍ଷେପଣାସ୍ତ୍ର, ବୋମା ସୂଚନା ଦିଅନ୍ତି ଯେ ଦେଶ କିଛି ଚୋରି କରିଛି। କାହାଠାରୁ? ଦୁଇ ବେଳା ଖାଇବାକୁ ପାଉନଥିବା ଗରିବଠାରୁ, ଦେହ ଘୋଡ଼ାଇବାକୁ ଲୁଗା ଖଣ୍ଡେ ନଥିବା ଲୋକଠାରୁ, ପିଲାଙ୍କ ପଢ଼ିବାକୁ ବହି ଦେଇ ପାରୁନଥିବା ପିତାମାତାଙ୍କଠାରୁ ଚୋରି କରି ଅସ୍ତ୍ର-ଶସ୍ତ୍ର ନିର୍ମାଣ କରାଯାଉଛି।ଅସ୍ତ୍ର ବଳରେ ବଳୀୟାନ ହେବାପାଇଁ ଦେଶ କେବଳ ଟଙ୍କା ଖର୍ଚ୍ଚ କରୁନାହିଁ। ଏହା ଶ୍ରମିକର ଝାଳ, ବୈଜ୍ଞାନିକମାନଙ୍କ ଜ୍ଞାନ ଓ ପିଲାଙ୍କର ଭବିଷ୍ୟତର ଆଶା ଭରସାକୁ ବି ଖର୍ଚ୍ଚ କରି ଦେଉଛି। ପ୍ରକୃତ ଅର୍ଥରେ ଏହା ପ୍ରଗତି ନୁହେଁ; ଭୟଙ୍କର ଯୁଦ୍ଧ ବାଦଲ ତଳେ ମାନବଜାତି ଆଜି ଗୋଟିଏ ଲୌହ କ୍ରୁଶରେ ଝୁଲୁଛି।’

ଡିସେମ୍ବର ସାତ
Posted in ଦେଶ ବିଦେଶ.