ସମ୍ବଲପୁରରେ ‘ମାରୱାଡ଼ ମହୋତ୍ସବ- ୨୦୨୫’ର ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁରରେ ‘ମାରୱାଡ଼ ମହୋତ୍ସବ- ୨୦୨୫’ର ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଐତିହାସିକ ସମ୍ବଲପୁରରେ ପାଞ୍ଚ ଦିନ ଧରି ଆୟୋଜିତ ହୋଇଥିବା ‘ମାରୱାଡ଼ ମହୋତ୍ସବ- ୨୦୨୫’ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ, ଶ୍ରେଷ୍ଠ ଭାରତ’କୁ ପ୍ରତିଫଳିତ କରିଛି ବୋଲି ସୋମବାର ଏହି କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଯୋଗ ଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମାରୱାଡ଼ି ଯୁବା ମଞ୍ଚ, ଖେତରାଜପୁର ଏବଂ ରାଜସ୍ଥାନ ଫାଉଣ୍ଡେସନ, ଓଡ଼ିଶା ସୌଜନ୍ୟରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସମ୍ବଲପୁରର ସାଂସ୍କୃତିକ ବିବିଧତା ଏବଂ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ସ୍ୱପ୍ନକୁ ଏହି ମହୋତ୍ସବ ବାସ୍ତବ ରୂପ ଦେଉଛି । ବିଭିନ୍ନ ପ୍ରାନ୍ତର ସଂସ୍କୃତିର ମିଳନ ହିଁ ଭାରତର ପ୍ରକୃତ ଶକ୍ତି । ରାଜସ୍ଥାନ ଏବଂ ଓଡ଼ିଶା ଉଭୟ ରାଜ୍ୟରେ ‘ଡବଲ ଇଞ୍ଜିନ’ ସରକାର ଥିବାରୁ ବିକାଶର ଗତି ତ୍ୱରାନ୍ୱିତ ହୋଇଛି । ଉଭୟ ରାଜ୍ୟ ପରସ୍ପରର ବିକାଶ ପାଇଁ ଦାୟିତ୍ୱ ନେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।

ସମ୍ବଲପୁରର ଚେହେରା ଆଜି ବଦଳିବାରେ ଲାଗିଛି । ଏହି ସହର ସାଂସ୍କୃତିକ ଐତିହ୍ୟ ଏବଂ ଆଧୁନିକ ପ୍ରଗତିର ଏକ ସୁନ୍ଦର ପ୍ରତୀକ ଭାବେ ଉଭା ହେଉଛି । ଏହି ମହୋତ୍ସବ ସାଂସ୍କୃତିକ ଐତିହ୍ୟକୁ ଉଜାଗର କରିବାର ଏକ ମହାନ ଅବସର । ଏଥିରେ ଯୋଗଦେଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ଓ ଜନସାଧାରଣଙ୍କୁ ଶ୍ରୀ ପ୍ରଧାନ ଆନ୍ତରିକ ସ୍ୱାଗତ ଓ ଅଭିନନ୍ଦନ ଜଣାଇଛନ୍ତି ।

ଏହି ସମାରୋହରେ ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଶର୍ମା, ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାଏକ, ସମ୍ବଲପୁର ବିଧାୟକ ଶ୍ରୀ ଜୟ ନାରାୟଣ ମିଶ୍ର, ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ମାରୱାଡ଼ି ଯୁବା ମଞ୍ଚର ସଦସ୍ୟ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

Posted in Uncategorized.