ରାଉରକେଲାରେ ଏବିଭିପିର ସ୍ୱର୍ଣ୍ଣିମ ଜୟନ୍ତୀ ଓ ରାଜ୍ୟ ଅଧିବେଶନ:
ରାଉରକେଲା : ଇସ୍ପାତ ସହର ରାଉରକେଲାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଓଡ଼ିଶା ପଶ୍ଚିମର ୫୦ତମ ପ୍ରାନ୍ତ ଅଧିବେଶନ ତଥା ସ୍ୱର୍ଣ୍ଣିମ ଜୟନ୍ତୀ ଉତ୍ସବ ଅତି ଆଡ଼ମ୍ବରରେ ଆରମ୍ଭ ହୋଇଯାଇଛି। ସେକ୍ଟର-୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ଏହି ତିନି ଦିନିଆ ଅଧିବେଶନକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ଉଦଘାଟନୀ ଅଭିଭାଷଣରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଦ୍ୟାର୍ଥୀ ପରିଷଦ କେବଳ ଏକ ସଙ୍ଗଠନ ନୁହେଁ, ବରଂ ଏହା ବ୍ୟକ୍ତିତ୍ୱ ବିକାଶର ଏକ ମୁକ୍ତ ବିଶ୍ୱବିଦ୍ୟାଳୟ। ବିଦ୍ୟାର୍ଥୀ ଜୀବନର ସର୍ବାଙ୍ଗୀନ ବିକାଶ ଏବଂ ରାଷ୍ଟ୍ର ନିର୍ମାଣରେ ଏହାର ଭୂମିକା ଅତୁଳନୀୟ। ଏହି ଅବସରରେ ମନ୍ତ୍ରୀ ସ୍ୱର୍ଣ୍ଣିମ ଜୟନ୍ତୀର ‘ଥିମ୍ ସଙ୍ଗୀତ’ ଉନ୍ମୋଚନ କରିବା ସହ ପୂର୍ବତନ କାର୍ଯ୍ୟକର୍ତ୍ତା ସ୍ୱର୍ଗତ ସମୀର ରାଉତଙ୍କ ନାମରେ ନାମିତ ପ୍ରଦର୍ଶନୀ ଗୃହ ପରିଭ୍ରମଣ କରିଥିଲେ।
କାର୍ଯ୍ୟକ୍ରମରେ ଏବିଭିପି ରାଜ୍ୟ ସଭାପତି ଡକ୍ଟର ସଞ୍ଜୀବ କୁମାର ନାୟକ ଯୋଗଦେଇ ପରିଷଦର ମୂଳମନ୍ତ୍ର ‘ଜ୍ଞାନ, ଶୀଳ ଓ ଏକତା’ ଉପରେ ଆଲୋକପାତ କରିଥିଲେ। ରାଷ୍ଟ୍ରୀୟ ଉପସଭାପତି ପ୍ରଫେସର ଆଶୁତୋଷ ମାଣ୍ଡାଭି ଏବଂ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଆଞ୍ଚଳ ଚୌଧୁରୀ ନାରୀଶକ୍ତି ଓ ରାଷ୍ଟ୍ରପ୍ରେମର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ। ରାଜ୍ୟ ସମ୍ପାଦକ ଶ୍ୱେତାଂଶୁ ଶେଖର ବରାଇ ସଙ୍ଗଠନକୁ ଆହୁରି ମଜବୁତ କରିବାକୁ ସମସ୍ତ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ।
ଏହି ସମାରୋହରେ ଓଡ଼ିଶାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ଟଙ୍କଧର ତ୍ରିପାଠୀ, ଦୁର୍ଗା ଚରଣ ତନ୍ତୀଙ୍କ ସମେତ ସଂଘ ଓ ବିଜେପିର ଅନେକ ବରିଷ୍ଠ ନେତୃତ୍ୱ ଓ ପୂର୍ବତନ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ସନ୍ଧ୍ୟା ଅଧିବେଶନରେ କ୍ଷେତ୍ରୀୟ ସହ ସଙ୍ଗଠନ ସମ୍ପାଦକ ବୈଲୋଚନ ସାହୁ ପ୍ରାଧ୍ୟାପକ ଯଶୋବନ୍ତ ରାଓ କେଲକରଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାରୁ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ୧୦୦ରୁ ଅଧିକ ଅଧ୍ୟାପକ ସାମିଲ ହୋଇଛନ୍ତି। ପୂର୍ବତନ କାର୍ଯ୍ୟକର୍ତ୍ତା ସ୍ୱର୍ଗତ ନିର୍ମଳ ଷଡ଼ଙ୍ଗୀଙ୍କ ନାମରେ ଭଜନ ମଣ୍ଡପକୁ ନାମିତ କରାଯାଇଛି। ଆଗାମୀ ୩ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ବିଭିନ୍ନ ଶିକ୍ଷା ଓ ସାମାଜିକ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନୀତିଗତ ନିଷ୍ପତ୍ତି ନିଆଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଗୀତର ଗାନ ସହ ସମଗ୍ର ପରିବେଶ ଏକ ରାଷ୍ଟ୍ରୀୟ ଉତ୍ସବର ରୂପ ନେଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରାନ୍ତ ସଙ୍ଗଠନ ସମ୍ପାଦକ ନିକୁଞ୍ଜ ପଣ୍ଡାଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ସଫଳତାର ସହ ପରିଚାଳନା କରିଥିଲେ।
