ଓଳାଶୁଣୀ ସାଧକ ସନ୍ଥ ଅରକ୍ଷିତ

ଓଳାଶୁଣୀ ସାଧକ ସନ୍ଥ ଅରକ୍ଷିତ

ଆମେ ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧି ଧରି କ୍ରମାଗତ ଭାବେ କହି ଓ ଲେଖି ଆସିଛୁ ଯେ ଉତ୍କଳ ଜନନୀ ପ୍ରତିଭା ପ୍ରସବିନୀ । ଏହା ଉଲ୍ଲେଖ କରିବା ପୃଷ୍ଠଭୂମିରେ କୌଣସି ସମୟରେ ଜଣେ ଭାବପ୍ରବଣ ଓଡ଼ିଆ ଭାବେ ନୁହେଁ , ଏହା ଆମର ସୀମିତ ଅଧ୍ୟବସାୟ ତଥା ତତ୍ ଆଧାରିତ ଗବେଷଣା ଲବ୍ଧ ତଥ୍ୟ ସମୂହକୁ ଉପଜିବ୍ୟ କରି । ଆମର ଜନ୍ମମାଟି ଯେ ଦେବ ଭୂମି
ତଥା ସିଦ୍ଧସାଧକମାନଙ୍କର ପୁଣ୍ୟକ୍ଷେତ୍ର ଓ ସାଧନକ୍ଷେତ୍ର , ଏହା ନିର୍ବିବାଦୀୟ ସତ୍ୟ । ଅନେକ ଜ୍ଞାନୀ, ଗୁଣୀ, ସାଧୁସନ୍ଥ, ମହାତ୍ମା ଓ ମହାପୁରୁଷ ଏହି ଉତ୍କଳ ଭୂଖଣ୍ଡରେ ଜନ୍ମଗ୍ରହଣ କରି ନିଜର ସାଧନା, ସିଦ୍ଧି ଓ ମହିମାର ପ୍ରଚାର କରିଯାଇଛନ୍ତି। ବିଗତ ସମୟରେ ଉଲ୍ଲେଖ କରି ଆସିଛୁ ଯେ ଯେକୌଣସି ବିଷୟର ଅଭିନବ ଅନୁଶୀଳନ , ସାରସ୍ବତ ତଥା ସାମାଜିକ ବିଜ୍ଞାନ ଆଧାରିତ ଅନୁସନ୍ଧାନ,ଅନୁସନ୍ଧିତ୍ସା , ଅନ୍ବେଷଣ‌ , ପରିଶୀଳନ , ବିଶେଷ କରି ଗର୍ଭାନୁଶୀଳନ ପୂର୍ବକ ସମ୍ପୃକ୍ତ ବିଷୟ  ସଂପର୍କିତ ନୂତନ ତଥ୍ୟ ଜାଣି ସମାଜକୁ ଜଣାଇବା ଭଳି ମହନୀୟ କାର୍ଯ୍ୟ ସମ୍ପାଦିତ କରିଥିବା ଓ କରି ଆସୁଥିବା ବ୍ୟକ୍ତିତ୍ବ ମାନେ ସର୍ବଦା ଯଶୋଦେହେ ଚିର ଆୟୁଷ୍ମାନ  । ଏହା ମଧ୍ୟ ନିର୍ବିବାଦୀୟ ସତ୍ୟ ଯେ ଆମ ପବିତ୍ର ଜନ୍ମମାଟିର ସାଧାରଣ ମଣିଷଟିଏ କିପରି ସ୍ଵକୀୟ ସାଧନାଧାରରେ ଜଣେ ଅସାଧାରଣ ବ୍ୟକ୍ତିତ୍ଵର ଅଧିକାରୀ ହୋଇପାରନ୍ତି, କିପରି ସାଧାରଣ ମଣିଷଟି ଭିତରେ ଅସାଧାରଣ ବ୍ୟକ୍ତିସତ୍ତା ଆତ୍ମଗୋପନ କରିଥାଇପାରେ ଆଉ ଦୁର୍ଦ୍ଦମନୀୟ ସଙ୍କଳ୍ପର ଆଗ୍ନେୟ ସ୍ପର୍ଶରେ ହିଁ ସମ୍ପୃକ୍ତଙ୍କର ଆତ୍ମଜାଗରଣ ଓ ପରିପ୍ରକାଶ ସମ୍ଭବ ହୋଇପାରେ , ଏହି ସତ୍ୟର ପ୍ରକୃଷ୍ଟ ହଜାର ହଜାର ଜ୍ୱଳନ୍ତ ଉଦାହରଣର ମାଟି ଆମର ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀ । ଏଭଳି ମହିମା ବିମଣ୍ଡିତ ବ୍ୟକ୍ତିସତ୍ତାଙ୍କ ପରିଚୟ ମିଳେ, ଯେଉଁମାନଙ୍କର ବ୍ୟକ୍ତିତ୍ଵର ସମ୍ପୂର୍ଣ୍ଣ ଓ ଯଥାର୍ଥ ଅବବୋଧକୁ ଚିହ୍ନିବା ଓ ଚିହ୍ନେଇବା ସହଜ କଥା ନୁହେଁ,, ସହଜ କଥା ନୁହେଁ ମଧ୍ୟ ସେହି ବହୁବିଧ ଉଜ୍ଜ୍ୱଳଦିଗ ସମ୍ପନ୍ନ ମହିମାମୟ ବ୍ୟକ୍ତିସତ୍ତାଙ୍କ ଯଥାର୍ଥ ଓ ସମ୍ପୂର୍ଣ୍ଣ ପରିଚୟ ଦେବା  ବା ସେମାନଙ୍କ କୀର୍ତ୍ତି ଓ କୃତି କୁ ଗର୍ଭାନୁଶୀଳନ ପୂର୍ବକ ଅଭିମତ ରଖିବା ।  ଗତକାଲି ଆମେ  ଶ୍ରଦ୍ଧେୟ ସୁଧାଂଶୁ ( ବାପି) ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଓଡ଼ିଶା ସମ୍ବାଦଦାତା ସଂଘର ତୃତୀୟ ଶତାବ୍ଦୀ ଉତ୍ସବରେ   ଯୋଗ ଦେବା ପାଇଁ  ମାଆ ଓଳାଶୁଣି  ମନ୍ଦିର ପରିସରରେ ପହଞ୍ଚିବା ମାତ୍ରେ ଅନେକ ଅବିସ୍ମରଣୀୟ ତଥ୍ୟ ଆମର ସ୍ମୃତି ଗହ୍ବରରୁ ଆତ୍ମପ୍ରକାଶ କରିବା ସମୟରେ ଯେଉଁ ଓଡ଼ିଆ ଜାତିର ସର୍ବକାଳୀନ ବନ୍ଦନୀୟ ମହାତ୍ମାଙ୍କ ଅମ୍ଲାନ ସ୍ମୃତି ପ୍ରତିଫଳିତ ହୋଇଛି , ସେ ମହାତ୍ମା ହେଉଛନ୍ତି ସନ୍ଥ ଅରକ୍ଷିତ ଦାସ , ଯାହାର ପବିତ୍ର ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । ଆଜକୁ ୨୪୭ ବର୍ଷ ତଳେ ୧୭୭୮ ମସିହାରେ ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡିର ବିଜୟନଗର ଗଡ଼ରେ ଏହି ଦେବ ଓ ଦିବ୍ୟ ଶିଶୁ ଜନ୍ମ ଗ୍ରହଣ କରିଥିଲେ , ଯାହାଙ୍କର ଶୈଶବର ନାମ ଥିଲା ବଳଭଦ୍ର ।। ତୁଳସୀ ଦୁଇ ପତ୍ରରୁ ବାସିବା ନ୍ୟାୟରେ ଶୈଶବରୁ ହିଁ ତାଙ୍କର ଧର୍ମଭାବ ଜାଗ୍ରତ ହୋଇଥିଲା । ତାଙ୍କୁ ବାରବର୍ଷ ହୋଇଥିବାବେଳେ ତାଙ୍କର ପିତା ପଦ୍ମନାଭ ଦେବ ପାଠ ପରୀକ୍ଷା କରିବା ସମୟରେ ସେ ପିତାଙ୍କୁ କହିଲେ, “ହେ ପିତା ! ମୁଁ ତ ପରମ ପାଠ ପଡୁଛି, ଅନ୍ୟପାଠ ପଢିବାର ପ୍ରୟୋଜନ କ’ଣ ?”  ସେ କହିଥିଲେ  “ବିଦ୍ୟାଟି ବେଦ ଯେ ବୋଲଇ ,ତହିଁଁରେ ମୋର କାର୍ଯ୍ୟ ନାହିଁ  ,ଭାବେ ଅବିଦ୍ୟା ପରମକୁ , ଭାବେ ଭରସା ମୋର ତାଙ୍କୁ ” ।ଏହି ପରି ଚିନ୍ତାରୁ ନିବୃତ କରିବା ପାଇଁ ତାଙ୍କ ପିତା ରାଜକନ୍ୟାକୁ ବିବାହ ଦେବା କଥା କହିବାରୁ ମହାମୁନି କପିଳ ଶୁଭଦେବଙ୍କ ଭଳି ପିତାଙ୍କୁ ପରମ ତତ୍ତ୍ୱ ବୁଝାଇ କହିଲେ, “ହେ ପିତା ! ଯେ ମାତା ରୂପେ ଜନ୍ମ କରି ପୁତ୍ର ହୋଇଲି ମୁଁ ତାଙ୍କରି ପ୍ରତିମାକୁ ବିଭା ହେଲେ ଧର୍ମଟି ସହିବକି ଭଲେ, କି କଥା କହିଲ ହେତାତ ସେଇଟି ମୋର ନିଜ ମାତା ତା’ ପରେ ଘର ତ୍ୟାଗ କରି କଚେରୀ ଘରକୁ ଚାଲିଆସିଥିଲେ । ସେଠାରେ ରହୁଥିବା ସାଧୁସନ୍ଥମାନଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ସାଧୁସନ୍ନ୍ୟାସୀମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ। ରାତିରେ ପ୍ରସାଦ ସେବନ କାଳରେ କଦଳୀ ପତ୍ର ଆଣିବା ପାଇଁ ସେ ପଡ଼ିଶାରେ ଥିବା ଜନୈକା ବ୍ରାହ୍ମଣୀଙ୍କ କଦଳୀ ବଗିଚାରେ ପଶି ପତ୍ର କାଟୁଥିଲେ। ପତ୍ର କାଟିବାର ଶବ୍ଦ ଶୁଣି ବ୍ରାହ୍ମଣୀ ପାଟି କଲେ-କେଉଁ ଅରକ୍ଷିତଟା କଦଳୀ ବଗିଚାରେ ପଶି ପତ୍ର କାଟୁଛି। ଏହି ଅରକ୍ଷିତ ଶବ୍ଦ ଶୁଣିବା ପରେ ବଳଭଦ୍ରଙ୍କର ଚେତନା ଜାଗ୍ରତ ହେଲା। ତାଙ୍କର ମନେହେଲା ଏହା ହିଁ ମୋର ଏକମାତ୍ର ପ୍ରଯୁଜ୍ୟ ନାମ। ସେହିଦିନରୁ ବଳଭଦ୍ର ପରିବର୍ତ୍ତେ ସେ ବହନ କଲେ ଅରକ୍ଷିତ ନାମକୁ ଏବଂ ସନ୍ନ୍ୟାସୀ ଅରକ୍ଷିତ ଦାସ ଭାବେ ପରିଚିତ ହେଲେ। ରାଜପ୍ରାସାଦର ମୋହକୁ ତୁଚ୍ଛ କରି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିର ଗଭୀର ଅନ୍ଧାର ରାତିରେ ପରମ ସତ୍ୟର ସନ୍ଧାନ ପାଇଁ ଯୁବରାଜ ସନ୍ନ୍ୟାସୀ ଅରକ୍ଷିତ ନାମଧରି ବାହାରିଗଲେ।କେରାଣ୍ଡିମାଳ ପାହାଡ଼ଗୁମ୍ଫାରୁ ଚିତ୍ରକୂଟ, ଯୋଗୀ ଗୁମ୍ଫା, ଶ୍ରୀକ୍ଷେତ୍ର, ଅନ୍ଧାରୁଆ ଓ ଧଉଳି ଦେଇ ଖଣ୍ଡଗିରି ପାହାଡକୁ ଆସି କିଛିଦିନ ସାଧନାରତ ହେଲେ। ତା’ପରେ ତାଙ୍କୁ ଶୂନ୍ୟବାଣୀ ହେଲା ”ଓଁକାର ପୀଠ ଓଳାସୁଣୀ ଗୁମ୍ଫାରେ ସାଧନା ପାଇଁ। ମହିମାମଣ୍ଡିତ କ୍ଷେତ୍ର ‘ଓଳାସୁଣୀ ପାହାଡ଼’ କେନ୍ଦ୍ରାପଡ଼ାର ଜମିଦାର ରାଧାଶ୍ୟାମ ନରେନ୍ଦ୍ର ଦେବଙ୍କର ଜମିଦାରି ଅନ୍ତର୍ଗତ ଥିଲା। ଜମିଦାର ଓଳାସୁଣୀ ପାହାଡ଼କୁ ଦାନ ସୂତ୍ରରେ ସନ୍ନ୍ୟାସୀଙ୍କୁ ପ୍ରଦାନ କଲେ। ଓଳାସୁଣୀରୁ ସନ୍ନ୍ୟାସୀ ଅରକ୍ଷିତ ଦାସଙ୍କର ଆରମ୍ଭ ହେଲା ସାଧନାମୟ ଜୀବନ। ଦୀର୍ଘ ୧୮ ବର୍ଷ କାଳ ଦୁଃଖ, ଯାତନାମୟ ଜୀବନକୁ ଆଦରି ସିଦ୍ଧିଲାଭ କଲେ। ସନାତନ ହିନ୍ଦୁଧର୍ମର ବହୁ ଆଚାର, ବିଚାର ଓ ଚଳଣିକୁ ସନ୍ଥ ଅରକ୍ଷିତ ସ୍ବୀକାର କରିନାହାନ୍ତି। ସେ ନିର୍ଗୁଣ ବ୍ରହ୍ମର ଉପାସକ ଥିଲେ।
ଉତ୍କଳର ସନ୍ଥ ପରମ୍ପରାରେ ଅରକ୍ଷିତ ଦାସଙ୍କ ନିଗୂଢ଼ ଚିନ୍ତନର ସାରସ୍ବତ ସୃଷ୍ଟି ସମ୍ଭାର ବହୁ ଭାବରେ ଯଶଶ୍ରୀ ମଣ୍ଡିତ ହୋଇଛି। ସେ ବିଶେଷ କୌଣସି ଶିକ୍ଷା ଲାଭ କରି ନ ଥିଲେ ମଧ୍ୟ ଉତ୍କଳର ବିଭିନ୍ନ ପୁଣ୍ୟକ୍ଷେତ୍ର ପରିଭ୍ରମଣ କାଳରେ ଲେଖିଯାଇଛନ୍ତି ଅନେକ ମାନବବାଦୀ ତତ୍ତ୍ବବାଣୀ। ‘ମହୀମଣ୍ଡଳ ଗୀତା’ ତାଙ୍କର ଏକ ଆତ୍ମଜୀବନୀମୂଳକ ଅମୂଲ୍ୟ ଗ୍ରନ୍ଥ। ସେ ଥିଲେ ନିରାକାର ବ୍ରହ୍ମଙ୍କର ଉପାସକ। ସେ ଅବତାରମାନଙ୍କୁ ଈଶ୍ବର ରୂପେ ଗ୍ରହଣ କରୁ ନ ଥିଲେ ମଧ୍ୟ ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ, ଝଙ୍କଡ଼ପୀଠର ଦେବୀ ଶାରଳା, କଟକର କଟକଚଣ୍ଡୀ ଓ ଓଳାଶୁଣୀ ପୀଠର ଅଧିଷ୍ଠାତ୍ରୀ ଦେବୀ ଓଳାଶୁଣୀଙ୍କୁ ସାଧନା ଓ ସିଦ୍ଧିଲାଭ ପାଇଁ ପ୍ରାର୍ଥନା କରିଛନ୍ତି। ସେ ଥିଲେ ନାମବ୍ରହ୍ମର ଉପାସକ, ନିର୍ଗୁଣ ସାଧକ ତଥା ଅବଧୂତପନ୍ଥୀ।ସସାଗରା ଧରାରେ କ୍ଷୁଦ୍ରାତିକ୍ଷୁଦ୍ର ଅଣୁ ପରମାଣୁଠାରୁ ଆରମ୍ଭ କରି ସଜୀବ, ନିର୍ଜୀବ, ଜଡ଼, ସ୍ଥାବର ଓ ଜଙ୍ଗମାଦି ସର୍ବତ୍ର ନାମବ୍ରହ୍ମର ସ୍ଥିତି ଓ ସତ୍ତା ସେ ଅନୁଭବ କରିଥିଲେ। ତାଙ୍କ ଯୋଗସାଧନାରେ ଚେତନ ଓ ଅଚେତନ ଥିଲା ଏକ ଓ ଅଭିନ୍ନ। ସର୍ବଦେହରେ ବ୍ରହ୍ମଦର୍ଶନ କରିବା, ଆଚଣ୍ଡାଳ ବ୍ରାହ୍ମଣ, ଜୀବ ଓ ନିର୍ଜୀବ, ଦୃଶ୍ୟ ଓ ଅଦୃଶ୍ୟ, ସମସ୍ତଙ୍କଠାରେ ପରଂବ୍ରହ୍ମଙ୍କ ସ୍ଥିତି ଉପଲବ୍‌ଧି କରିବା ଥିଲା ତାଙ୍କ ଦର୍ଶନର ଭିତ୍ତି। ସନ୍ଥ ଅରକ୍ଷିତ ଏହି ପରମତତ୍ତ୍ବ ଦର୍ଶନ, ଚିନ୍ତନ ଏବଂ ସମଦର୍ଶୀ ଭାବକୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ପ୍ରଚାର କରିଯାଇଛନ୍ତି। ଓଳାଶୁଣୀ ଗୁମ୍ଫାଠାରେ ୧୮୩୭ ମସିହା ମାଘ କୃଷ୍ଣ ଏକାଦଶୀ ତିଥିରେ ଏହି ମହାପୁରୁଷ ଆତ୍ମସମାଧି ଗ୍ରହଣ କରିଥିଲେ  ।ଶତାଧିକ ବର୍ଷ ଧରି ସେହି ତିଥିରେ ସେଠାରେ ପାଳିତ ହେଉଛି ସପ୍ତାହ ବ୍ୟାପୀ ଓଳାଶୁଣୀ ଗୁମ୍ଫା ଯାତ୍ରା। ଭକ୍ତମାନେ ମାନସିକ କରି ଏହି ପୀଠରେ ପୋଡ଼ପିଠା ଓ କାଞ୍ଜି ଅର୍ପଣ କରିଥାନ୍ତି। ସନ୍ଥ ଅରକ୍ଷିତ ଦାସ ଲଳିତଗିରିର କଳ୍ପତରୁ ମହାରଣାଙ୍କ ପୂର୍ବପୁରୁଷଙ୍କ ଘରକୁ ଯାଉଥିଲେ । ଦିନେ ଅମ୍ବି ମହାରଣା ନାମ୍ନି ଜଣେ ବୃଦ୍ଧା ତାଙ୍କ କେଶ ପ୍ରସାଧନ କଲାବେଳେ ଗୋଟିଏ ଛିଡି ତଳେ ପଡ଼ିଗଲା । ବହୁ ପୂର୍ବରୁ ଅମ୍ବିଙ୍କ ମନସ୍କାମନା ଜାଣିପାରିଥିବା ଅରକ୍ଷିତ ତାଙ୍କୁ ସେହି କେଶଟିକୁ ନେଇ ସୁରକ୍ଷିତ କରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏବେ ସେହି କେଶଟି ବଢ଼ି ବଢ଼ି ଗୁଚ୍ଛରେ ପରିଣତ ହୋଇଗଲାଣି । ମହାପୁରୁଷଙ୍କ ଶ୍ରାଦ୍ଧୋତ୍ସବ ବା ସମାଧି ପୂର୍ବଦିନ ସେହି କେଶଗୁଚ୍ଛକୁ ଏକ ଶୋଭାଯାତ୍ରାରେ ସମାଧିପୀଠ ଓଳାଶୁଣୀକୁ ଅଣାଯାଇଥାଏ । ଏହାକୁ କେଶଯାତ୍ରା ନାମରେ ନାମିତ କରାଯାଇଛି ।ମହାପୁରୁଷଙ୍କର ତିରୋଧାନ ପରେ ଏହି ସ୍ଥାନର ସର୍ବୋଚ୍ଚ ମୁଖ୍ୟ ମନ୍ଦିରଟି ହେଉଛି ମହାପୁରୁଷଙ୍କର ସମାଧି ମନ୍ଦିର । ଏହିଠାରେ ଶ୍ରୀ ଶ୍ରୀ ଅରକ୍ଷିତ ଦାସ ସମାଧି ପ୍ରତିଷ୍ଠିତ ଓ ଆରାଧିତ । ଏହି ଓଳାଶୁଣି ପାହାଡ଼ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରିର ଅନତି ଦୂରରେ ପଲେଇ ମୌଜାସ୍ଥ ଶୁଖୁଆପଡ଼ା ଗ୍ରାମ ନିକଟରେ ଅବସ୍ଥିତ । ଏହାର ପୂର୍ବ ଦିଗରେ ଗାଙ୍ଗୀ ପାହାଡ଼, ଯହିଁରେ ପୁରାଣପ୍ରସିଦ୍ଧ ଗୋକର୍ଣ୍ଣ ବଟ । ଯେଉଁ ବୃକ୍ଷର ପତ୍ରଗୁଡିକର ଏକ ପାର୍ଶ୍ୱ ଅଶ୍ୱତ୍‌ଥ ଓ ଅନ୍ୟ ପାର୍ଶ୍ୱଟି ବରପତ୍ର । ଦକ୍ଷିଣ ଦିଗରେ ଠିକ୍ ଏହାର ତଳଦେଶରେ କଳନିନାଦିନୀ ଗୋବରୀ ନଦୀ ପଦଧୌତ କରିଚାଲିଛି । ପଶ୍ଚିମ ପାର୍ଶ୍ୱରେ ଶୁଖୁଆପୋଡ଼ା ଗ୍ରାମ । ଉତ୍ତର ଦିଗରେ ଲଳିତଗିରି ପାହାଡ଼ । ପୂର୍ବଦିଗରେ ଅବସ୍ଥିତ ଗାଙ୍ଗୀ ପାହାଡ଼ରୁ ଓଳାଶୁଣିର ଯୋଗାଯୋଗକୁ ବିଚ୍ଛିନ୍ନ କରୁଛି ରାଜପଥ । ଏହାର ପୂର୍ବ – ଦକ୍ଷିଣ କୋଣର ଅନତି ଦୂରରେ ଅବସ୍ଥିତ ପୁରାଣପ୍ରସିଦ୍ଧ ପଞ୍ଚୁପାଣ୍ଡବଙ୍କର ମନ୍ଦିର । ଏହି ଓଳାଶୁଣୀର ଆଖପାଖରେ ରତ୍ନଗିରି, କୋଲଣଗିରି, ବ୍ରଜଗିରି ଇତ୍ୟାଦି ବୌଦ୍ଧପୀଠ ଅବସ୍ଥିତ । ଏହି ପୀଠରେ ଜଗନ୍ନାଥଙ୍କ ମୂର୍ତ୍ତିର ପୂଜାରାଧନା ହୁଏ । ରାଧାକୃଷ୍ଣଙ୍କର ବିଗ୍ରହ ତଥା ସାଧନାସିଦ୍ଧ ସାତଟି ମହାପୁରୁଷଙ୍କର ସମାଧି ମନ୍ଦିର ଏବେ ବି ପୂଜାପାଇ ଆସୁଛି । ଆହୁରି ମଧ୍ୟ ମହାବୀର, ଗଣେଶ ଓ କେତୋଟି ଶାଳଗ୍ରାମ ବିଗ୍ରହ ଯଥାବିଧି ପୂଜିତ ହେଉଛନ୍ତି । ଏହି ପାହାଡ଼ର ପ୍ରାଚୀନ ବଡ଼ ଗୁମ୍ଫାଟି କେବେ କାହାଦ୍ୱାରା ନିର୍ମାଣ କରାଯାଇଥିଲା ତାହାର କୌଣସି କିମ୍ବଦନ୍ତୀ କିମ୍ବା ଇତିହାସ ଏ ପର୍ଯ୍ୟନ୍ତ ମିଳିନାହିଁ । ତେବେ ଏଥିରେ କୌଣସି ବୌଦ୍ଧଶ୍ରମଣ ନିତେଇ ଧୋବଣୀ କିମ୍ବା ପତ୍ର ସଉରୁଣୀ ଆଦି ତନ୍ତ୍ରାଚାରୀଙ୍କର ସଙ୍କେତ ପରିଦୃଷ୍ଟ ହୁଏ । ଏଠାରେ ଶ୍ରଦ୍ଧାଳୁମାନେ ପୋଡ଼ ପିଠା ସହ ମଦ, ମାଛ ଓ ଶୁଖୁଆ ମହାପୁରୁଷଙ୍କ ଭୋଗ ଭାବେ ଅର୍ପଣ କରିଥାନ୍ତି । ଏଠାରେ ମହାପୁରୁଷଙ୍କ ସମୟରୁ କୃପାମହୌଷଧି ସ୍ୱରୂପ କାଞ୍ଜିପାଣି ଏପର୍ଯ୍ୟନ୍ତ ରହି ଆସିଅଛି । ବିଶ୍ବାସ କରା ଯାଇ ଆସୁଛି ଯେ ପେଟ ଓ ଅନ୍ୟାନ୍ୟ ରୋଗ ପାଇଁ ଲୋକମାନେ ଏହାକୁ ବ୍ୟବହାରକରି ରୋଗମୁକ୍ତ ହେଉଛନ୍ତି । ଏହା ମଧ୍ୟ ଗୋମହିଷାଦିଙ୍କୁ ଆରୋଗ୍ୟ କରିବାରେ ସୁଖ୍ୟାତି ଅର୍ଜନ କରିଛି ।
ବାସ୍ତବରେ ସନ୍ଥ ଅରକ୍ଷିତ ଙ୍କ କାଳଜୟୀ ସୃଷ୍ଟି ମୋକ୍ଷ ଉପାଧି,ମହୀମଣ୍ଡଳ ଗୀତା , ଭକ୍ତିଟୀକା ହେଉଛି ଆମର ସର୍ବକାଳୀନ ଜାତୀୟ ଅମୂଲ୍ୟ ସାରସ୍ବତ ସମ୍ପଦ , ଏହା ନିର୍ବିବାଦୀୟ ସତ୍ୟ ।

Posted in ରାଜ୍ୟ.