ସନ୍ଥ ଶିଶୁ ଅନନ୍ତ



ପଞ୍ଚ ସଖା ଯୁଗର ଶେଷ ସାଧକ ଅନନ୍ତ ମହାନ୍ତି ଓରଫ ଅନନ୍ତ ଦାସ, ଓରଫ୍ ଶିଶୁ ଅନନ୍ତଙ୍କ ଆଜି ୫୫୪ ତମ ଜୟନ୍ତୀ ତିଥି । ଅନେକ ଗବେଷକ ତାଙ୍କ ଜନ୍ମ ସମ୍ଭବତଃ ୧୪୯୩ରେ କୋଣାର୍କ ନିକଟବର୍ତ୍ତୀ କୈାଣସି ଗ୍ରାମରେ ବୋଲି ଉଲ୍ଲେଖ କରିଥିବା ସମୟରେ କେତେକ ଗବେଷକ ୧୪୭୨ ବୋଲି ଉଲ୍ଲେଖ କରିଛନ୍ତି । ଅନେକ ଗବେଷକ ଶିଶୁ ଅନନ୍ତଙ୍କ ପିତାଙ୍କ ନାମ କପିଳ ମହାନ୍ତି ଓ ମା’ଙ୍କ ନାମ ଗୌରୀ ଓ ତାଙ୍କ ଜନ୍ମ ‘ବାଲିପାଟଣା’ ଅଞ୍ଚଳରେ ବୋଲି ଉଲ୍ଲେଖ କରିଛନ୍ତି । ଗବେଷକ ସୂର୍ଯ୍ୟନାରାୟଣ ଦାଶଙ୍କ ମତରେ ଶିଶୁ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ରାଜତ୍ୱର ୨୫ ଅଙ୍କରେ ଖ୍ରୀଷ୍ଟାବ୍ଦ ୧୪୮୬ରେ ଜନ୍ମଗ୍ରହଣ କରିଥିବା ଅଚ୍ୟୁତାନନ୍ଦଙ୍କ ‘ଉଦୟ କାହାଣୀ’ରୁ ଜଣାଯାଏ । ୧୪୭୨ ବୋଲି ଉଲ୍ଲେଖ କରିଥିବା ଗବେଷକ ମାନଙ୍କ ବଳିଷ୍ଠ ମତ କୁ ଗ୍ରହଣ କରି ଆମେ ଆଜି ତାଙ୍କର ୫୫୦ତମ ଜୟନ୍ତୀ ବୋଲି ଉଲ୍ଲେଖ କରୁ । ସୂର୍ଯ୍ୟ ନାରାୟଣ ଉପାସକ ଶିଶୁ ଅନନ୍ତ ଉତ୍କଳୀୟ ବୈଷ୍ଣବ ଧର୍ମ ଓ ଦର୍ଶନର ଅତୁଳନୀୟ କାଳଜୟୀ ଧର୍ମସାଧକ ଭାବେ ଚିର ବନ୍ଦନୀୟ । ମହାତ୍ମା ଅନନ୍ତ ମହାନ୍ତି ଙ୍କୁ କାହିଁକି ” ଶିଶୁ ଅନନ୍ତ” ବୋଲି ସମ୍ବୋଧିତ କରାଯାଏ ତା’ର ଏକ ରୋଚକ କାହାଣୀ ଗବେଷକ ମାନଙ୍କ ସୌଜନ୍ୟରୁ ମିଳେ । ଏକ କିମ୍ବଦନ୍ତୀରୁ ଜଣାଯାଏ ଯେ ଜଗତସିଂହପୁର ଜିଲ୍ଲା ଅଞ୍ଚଳରେ ତିର୍ତ୍ତୋଲ ଥାନା ଅରିଲୋ ଗ୍ରାମ ଅବସ୍ଥିତ । ଏହି ଗ୍ରାମଟି ପାଇକା ଓ ମୁକୁପାଇକା ନଦୀର ମଧ୍ୟସ୍ଥଳରେ ରହିଛି । ସେହି ଗାଁ ପାଖ ଗହୀର ଜମି ରାଧାକାନ୍ତ ଠାକୁରଙ୍କର । ସେହି ଜମି ମଧ୍ୟରେ ଏକ ଉଇହୁଙ୍କା ଥିଲା । ଗ୍ରାମର ପୁରୁଖା ଲୋକ ଓ ବୁଢ଼ୀମାନେ କହନ୍ତି, କେନ୍ଦ୍ରାପଡ଼ା ବଳଦେବ ଜୀଉଙ୍କୁ ମନାସୁଥିବା ଭୋଗ ନପାଇ ପାରିଲେ ଏହି ରାଧାକାନ୍ତ ହୁଙ୍କା ପାଖରେ ସମର୍ପଣ କରିଦିଆଯାଏ । ଏହି ହୁଙ୍କାଟି କଣ୍ଟକିତ ଗୁଳ୍ମଦ୍ୱାରା ଆଚ୍ଛାଦିତ । ବହୁ ସର୍ପଙ୍କର ବାସସ୍ଥଳୀ । ମୁଖ୍ୟ ସର୍ପଟି ଅତି ଭୟଙ୍କର , ଏଇ ହୁଙ୍କା ମଧ୍ୟରେ ଶିଶୁ ଅନନ୍ତଙ୍କ ଆଭାସ ଉଦ୍ଭାସିତ ହୋଇଥିବାର ଜଣାଯାଏ । ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ, ପାଖଡ଼ ଗ୍ରାମର ସତ୍ୟାନନ୍ଦ ସାହୁ ସେହି ହୁଙ୍କାବାଟେ ଯାଉଥିଲେ । ହୁଙ୍କାପାଖ ହିଡମୁଣ୍ଡରୁ ଜଣେ ବାବାଜୀ ତାଙ୍କୁ ଡାକିଲେ । ତାଙ୍କଠାରୁ ପାଚିଲା କଦଳୀ ଖାଇବାକୁ ମାଗିଲେ । ନାମ ପଚାରିବାରୁ କହିଲେ ‘ ମୁଁ, ଶିଶୁ ଅନନ୍ତ’ । କଦଳୀ ଖାଇ ସେ ଅଦୃଶ୍ୟ ହୋଇଗଲେ । ସେହିଦିନଠାରୁ ଶିଶୁ ଅନନ୍ତଙ୍କ ନାମ ପ୍ରଚାରିତ ହେଲା । ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ, ପଞ୍ଚସଖାଙ୍କ ମଧ୍ୟରୁ ମହାପୁରୁଷ ଅନନ୍ତ ଦାସ ‘ଶିଶୁ’ ସମ୍ପ୍ରଦାୟର ପ୍ରତିଷ୍ଠାତା ଓ ପ୍ରବର୍ତ୍ତକ ହୋଇଥିବାରୁ ଶିଶୁ ଅନନ୍ତ ଦାସ ନାମରେ ସର୍ବତ୍ର ପରିଚିତ । ପରବର୍ତ୍ତୀ କାଳରେ ‘ଶିଶୁ’ ଗୋଷ୍ଠୀର କବିମାନେ ଉପାଧି ଧାରଣ କରିଥିବା ଜଣାଯାଏ, ଯେପରି- ଶିଶୁ ଅର୍ଜୁନ ଦାସ (କଳ୍ପଲତା, ରାମବିଭା), ଶିଶୁ ବନମାଳି ଦାସ (ରାସ), ଶିଶୁ ଶଙ୍କର ଦାସ (ଉଷାଭିଳାଷ), ଶିଶୁ ପ୍ରତାପରାୟ (ଶଶିସେଣା) ଓ ଶିଶୁ ଦୟାନିଧି ଦାସ (ଅଶ୍ୱମେଧ ଯାଗ) ।ଜଗନ୍ନାଥ, ବଳରାମ, ଅଚ୍ୟୁତ, ଯଶୋବନ୍ତଙ୍କ ସହିତ ଅନନ୍ତ ଥିଲେ ଯୋଗଜ୍ଞାନ ଉପରେ ଆଧାରିତ ଉତ୍କଳୀୟ ବୈଷ୍ଣବ ମତବାଦର ଜଣେ ପରିପୋଷକ ସନ୍ଥ । ତାଙ୍କର ଅନେକ କାଳଜୟୀ ସୃଷ୍ଟି ଓଡ଼ିଆ ବାଣୀ ଭଣ୍ଡାର ର ଅମ୍ଲାନ ପଣ୍ୟ । ତନ୍ମଧ୍ୟରେ” ଗୁପ୍ତବାଣୀ”,”ଉଦେବାଖର”,”କଳି ମାଳିକା”,କଳି ଭାଗବତ”ଗୁପ୍ତ ବ୍ରହ୍ମତତ୍ତ୍ୱ ଦର୍ଶନ”,”ତତ୍ତ୍ୱପୂର୍ଣ୍ଣ ଗୀତା”,”ତାଣ୍ଡବ ରାସ”, ” ପଦକଳ୍ପତରୁ”, “ପଦ ପୋଥି”, “ପଦ୍ମବନ ରାସ”
“ବ୍ରହ୍ମପାର୍ଥିବ ତତ୍ତ୍ୱସାର ଗୀତା”,”ଭବିଷ୍ୟ ତତ୍ତ୍ୱ ଲେଖନ”,” “ମୋହକଳ୍ପ ତତ୍ତ୍ୱଟୀକା”, “ଶବ୍ଦବ୍ରହ୍ମ ବା ସୁପ୍ରକାଶ”
“ଜ୍ଞାନଲହରୀ”,”ଶୂନ୍ୟନାମ ଭେଦ”, “ଶୂନ୍ୟରାଦ ଓ ସନ୍ଧିଜ୍ଞାନ”,
“ସଂସାର ତତ୍ତ୍ୱବୋଧ ଲେଖନ”, “ହେତୁ ଉଦୟ ଭାଗବତ”
ଗରୁଡ଼ କେଶବ (ସମ୍ବାଦ) ଚଉତିଶା, “ଭବିଷ୍ୟ ପୁରାଣ”,
“ଚୁମ୍ବକ ଆଗତ ଭବିଷ୍ୟ ମାଳିକା” “ଅର୍ଥତାରେଣୀ”,”ପ୍ରଶ୍ନୋତ୍ତର”
“ଅଣାକାର ଶବଦ”, “ଭକ୍ତିମୁକ୍ତିଦାୟକ ଗୀତା” ପ୍ରଭୃତି କାଳଜୟୀ । ଆମର ପୋଷ୍ୟ ପିତା ପଣ୍ଡିତ ଜଗନ୍ନାଥ ଶତପଥୀ ଶିଶୁ ଅନନ୍ତ ଙ୍କ ଅନେକ ଭଜନ,ଚଉତିଶା, ସ୍ତୋତ୍ର ମୁଖସ୍ଥ କରିଥିଲେ, ଯାହା ଆମେ ଛୋଟ ପିଲା ବେଳୁ ତାଙ୍କ ଠାରୁ ଶୁଣିଥିଲୁ ଏବଂ ତା’ର ପ୍ରଭାବ ରେ ଆମେ ଶିଶୁ ଅନନ୍ତ ଙ୍କୁ ସ୍ବଳ୍ପ କିଛି ପଡିଛୁ । ସ୍ଵକୀୟ ମତରେ” ହେତୁଦୟ ଭାଗବତ” ତାଙ୍କର ଏକ ଅମୃତ ଅମ୍ଲାନ କାଳଜୟୀ ସାରସ୍ଵତ କୃତି । ଏଥିରେ ମନ- ଚୈତନ୍ୟ କଥୋପକଥନ ବା ପ୍ରଶ୍ନୋତ୍ତର ଛଳରେ ରାଧା-କୃଷ୍ଣ ଯୁଗଳ ତତ୍ତ୍ଵ ର ଯୈ।ଗିକ ବ୍ୟାଖ୍ୟା ଅତି ଭାବୋଦ୍ଦୀପକ ଭାବେ ବର୍ଣ୍ଣିତ ହୋଇଅଛି । ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅଚଳା ଭକ୍ତି ଭାବ ପୋଷଣ କରି ଶିଶୁ ଅନନ୍ତ ଯେଉଁ ଭାବରେ ସିଦ୍ଧି ଲାଭ କରିଥିଲେ ଓ ସେ ଯେପରି ଚୈତନ୍ୟ ଙ୍କ ସମ୍ପର୍କରେ ଆସିଥିଲେ ଏବଂ ଏହି ପ୍ରଜ୍ଞାମିଳନରୁ ଜାତ ଉତ୍କଳୀୟ ବୈଷ୍ଣବ ମତବାଦ ” ହେତୁଦୟ ଭାଗବତ” ରେ ଅତି ପ୍ରାଞ୍ଜଳ ଚିତ୍ର ଉଲ୍ଲେଖିତ । ପ୍ରଭୁ ଜଗନ୍ନାଥଙ୍କ ବୁଦ୍ଧତ୍ବ,କାୟା -ସାଧନା, ପିଣ୍ଡ-ବ୍ରହ୍ମାଣ୍ଡତତ୍ତ୍ବ, ଶରୀର ରେ ଜଗନ୍ନାଥଙ୍କ ଅବସ୍ଥିତି ପ୍ରଭୃତି ଉଲ୍ଲେଖ ସହିତ ରାଧାକୃଷ୍ଣ ଙ୍କୁ ଜୀବାତ୍ମା ଓ ପରମାତ୍ମା ରୂପେ କଳ୍ପିତ କରାଇଛନ୍ତି । ବୈ।ଦ୍ଧ ସହଜିଆ ଧର୍ମର ୮୪ ଜଣ ସିଦ୍ଧାଚାର୍ଯ୍ୟ ଙ୍କ ସମ୍ପର୍କରେ ଏକ ଦୂରନ୍ତ ଧାରଣା ଏହି ମହାନ ଗ୍ରନ୍ଥ ରୁ ମିଳିଥାଏ । ଚୈତନ୍ୟ ଙ୍କ ପ୍ରେମଭକ୍ତିଧର୍ମର ପରାକାଷ୍ଠା ଶିଶୁ ଅନନ୍ତ ଙ୍କ ସୃଷ୍ଟି ସମୂହ କୁ ବିଶେଷ ଭାବରେ ପ୍ରଭାବିତ କରିଥିବା ସମ୍ପର୍କରେ ସ୍ଵକୀୟ ମତ ପ୍ରଦାନ ପୂର୍ବକ ଏହି ” ହେତୁଦୟ ଭାଗବତ” ଶିଶୁ ଅନନ୍ତ ଙ୍କ ଏକ ମନୋରମ କଥାବସ୍ତୁ ର ଆଶ୍ରମରେ ପରିପୃଷ୍ଟ ବୋଲି ଦୃଢ ଭାବରେ ଉଲ୍ଲେଖ କରୁଛୁ । ରାଜା ଶୁକସେନ ଙ୍କ ପୁତ୍ର କୃତସେନ କିଭଳି ବିଦେଶୀ ଆକ୍ରମଣକାରୀଙ୍କ କବଳରୁ ରକ୍ଷା ପାଇବା ପାଇଁ ସୁବଳ ନାମକ ଜଣେ ଗୋପାଳ ର ଆଶ୍ରୟ ପାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଯୁବାବସ୍ଥାରେ ସୁବଳ ଙ୍କ ସୁନ୍ଦରୀ କନ୍ୟା ଙ୍କ ପାଣି ଗ୍ରହଣ କରିଥିଲେ ଏବଂ କୃତସେନ କିଭଳି ସୁବଳ ଙ୍କ ବିଲବାଡ଼ି ଚାଷ କାମରେ ନିୟୋଜିତ ଥିଲେ, ପତ୍ନୀ ସୁକୁମାରୀ ଙ୍କ ଚରିତ୍ର ପ୍ରତି ସନ୍ଦେହ କରିବାରୁ କ୍ରୋଧିତ ସୁବଳ ତାଙ୍କର ମରଣାନ୍ତକ ଆକ୍ରମଣ ରେ ଅଙ୍ଗଛେଦନ , ଗୋରେଖନାଥ ଙ୍କ ଆଗମନ, ଅବଧୂତ ଦୀକ୍ଷା ଗ୍ରହଣ,ଯୋଗସାଧନ ଓ ସିଦ୍ଧିଲାଭ ର ବର୍ଣ୍ଣନା ଅତ୍ୟନ୍ତ ଭାବୋଦ୍ଦୀପକ । ସିଦ୍ଧିଲାଭ ପରେ କୃତସେନ କିଭଳି ଜଣେ ବେପାରୀ ଶଗଡ଼ ଗାଡ଼ି ରେ ନେଉଥିବା ଦ୍ରବ୍ୟ କ’ଣ ବୋଲି ପଚାରିବାରୁ ବେଖାତିର ଭାବେ ବେପାରୀ କହିଥିଲେ ” ପାଉଁଶ”, ଏବଂ ସତକୁ ସତ ବେପାରୀ ଦେଖିବାକୁ ପାଇଥିଲେ ଯେ ତାଙ୍କର ମୂଲ୍ୟବାନ ଦ୍ରବ୍ୟ ସବୁ ପାଉଁଶ ହୋଇଯାଇଛି ଏବଂ ସେ କିପରି ପୁନଃ ସେହି ବାଟ ଦେଇ ଶଗଡ଼ ଗାଡ଼ି ରେ ପାଉଁଶ ନେଇ ଯାଇଛି ଓ କୃତସେନ ” କ’ଣ ଶଗଡ଼ ରେ ନେଉଛ” ବୋଲି ପଚାରନ୍ତେ ” ସୁନା ନେଉଛି” ବୋଲି ଉତ୍ତର ଦେବା ପରେ ସତକୁ ସତ ପାଉଁଶ ସୁନା ହୋଇଯିବା ଦେଖି ସମ୍ପୃକ୍ତ ବଣିକ କିଭଳି ପରିବର୍ତ୍ତନ ହୋଇଛି, ତା’ର ଦୃଷ୍ଟାନ୍ତ ଦୁର୍ଲଭ , ଯାହା ଯୋଗସାଧନା ର ଅଲୈ।କିକ ମହତ୍ତ୍ଵ ପ୍ରତି ପିଢି ପରେ ପିଢ଼ି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ ତଥା ଜନସଚେତନତା ସୃଷ୍ଟି ପାଇଁ ମହାତ୍ମା ଶିଶୁ ଅନନ୍ତ ଙ୍କ ଏହି କାଳଜୟୀ ସୃଷ୍ଟି ର ପ୍ରଧାନ ଲକ୍ଷ୍ୟ ବା ଉଦ୍ଦେଶ୍ୟ । ତାଙ୍କ ପ୍ରବର୍ତ୍ତିତ ସମ୍ପ୍ରଦାୟକୁ ” ଶିଶୁ ସମ୍ପ୍ରଦାୟ” ବୋଲି କୁହାଯାଏ ।ନାଥଧର୍ମ ର ଅନୁରୂପ ପ୍ରାଣ,ମନ ଓ ଶରୀରେ ସମ୍ପର୍କିତ ନାନା ଯୈ।ଠିକ୍ ଆଚାର ଅବଲମ୍ବନ କରୁଥିବାରୁ ଏହି ସମ୍ପ୍ରଦାୟର ବୈଷ୍ଣବ ମାନେ ଶିଶୁ ବୈଷ୍ଣବ ନାମରେ ପରିଚିତ ଥିଲେ ମଧ୍ୟ, ଶିଶୁ ଅନନ୍ତ ଓ ତାଙ୍କ ସମ୍ପ୍ରଦାୟ ଯଥାର୍ଥ ରେ ଉତ୍କଳୀୟ ବୈଷ୍ଣବ ଧର୍ମର ଥିଲେ ଅନୁଗାମୀ,ପ୍ରଚାରକ ଓ ପ୍ରବର୍ତ୍ତକ । ମହାତ୍ମା ଶିଶୁ ଅନନ୍ତ ଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ।

Posted in Uncategorized.