ଭଗବାନ ବୁଦ୍ଧଙ୍କ ପିପ୍ରାହାୱା ପବିତ୍ର ଅବଶେଷର ଭବ୍ୟ ଅନ୍ତର୍ଜାତୀୟ ପ୍ରଦର୍ଶନୀ

 ଭଗବାନ ବୁଦ୍ଧଙ୍କ ପିପ୍ରାହାୱା ପବିତ୍ର ଅବଶେଷର ଭବ୍ୟ ଅନ୍ତର୍ଜାତୀୟ ପ୍ରଦର୍ଶନୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ରାଇ ପିଥୋରା ସାଂସ୍କୃତିକ କମ୍ପ୍ଲେକ୍ସରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ଏକ ମହାନ ଅନ୍ତର୍ଜାତୀୟ ପ୍ରଦର୍ଶନୀ, “ଦି ଲାଇଟ୍ ଆଣ୍ଡ୍ ଦି ଲୋଟସ: ରିଲିକ୍ସ ଅଫ୍ ଦି ଆଓ୍ବେକେନଡ୍ ୱାନ୍”କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏକ ଶହ ପଚିଶ ବର୍ଷର ଅପେକ୍ଷା ପରେ ଭାରତର ଏହି ମହାନ ଐତିହ୍ୟ ଫେରି ଆସିଛି । ଆଜିଠାରୁ ଭାରତର ଲୋକମାନେ ଭଗବାନ ବୁଦ୍ଧଙ୍କ ଏହି ପବିତ୍ର ଅବଶେଷର ଦର୍ଶନ କରିପାରିବେ ଏବଂ ସେମାନଙ୍କର ଆଶୀର୍ବାଦ ପାଇପାରିବେ। ଶ୍ରୀ ମୋଦୀ ଏହି ପବିତ୍ର ଅବଶେଷର ଆଗମନ ଅବସରରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ସ୍ୱାଗତ ଏବଂ ଅଭିବାଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବୌଦ୍ଧ ପରମ୍ପରା ସହିତ ଜଡିତ ଭିକ୍ଷୁ ଏବଂ ଧର୍ମାଚାର୍ଯ୍ୟମାନଙ୍କ ପ୍ରତି ସେ ନିଜର ସମ୍ମାନ ଜଣାଇଥିଲେ ଓ କହିଥିଲେ ଯେ ସେମାନଙ୍କର ଉପସ୍ଥିତି ଏହି କାର୍ଯ୍ୟକ୍ରମରେ ନୂତନ ଶକ୍ତି ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୨୬ ଆରମ୍ଭରେ ଆୟୋଜିତ ଏହି ପବିତ୍ର ଉତ୍ସବ ଅତ୍ୟନ୍ତ ପ୍ରେରଣାଦାୟକ। ସେ କାମନା କରିଥିଲେ ଯେ ଭଗବାନ ବୁଦ୍ଧଙ୍କ ଆଶୀର୍ବାଦ ସହିତ, ୨୦୨୬ ବିଶ୍ୱ ପାଇଁ ଶାନ୍ତି, ସମୃଦ୍ଧି ଏବଂ ସଦ୍ଭାବର ଏକ ନୂତନ ଯୁଗର ସୂତ୍ରପାତ କରିବ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି ପ୍ରଦର୍ଶନୀ ଯେଉଁ ସ୍ଥାନରେ ଆୟୋଜନ କରାଯାଇଛି ତାହା ଏକ ସ୍ବତନ୍ତ୍ର ସ୍ଥାନ। ସେ ଉଲ୍ଲେଖ କରିଥିଲେ ଯେ କିଲା ରାଇ ପିଥୋରା ସ୍ଥଳ ଭାରତର ଗୌରବମୟ ଇତିହାସର ଏକ ଭୂମି, ଯେଉଁଠାରେ ପ୍ରାୟ ଏକ ହଜାର ବର୍ଷ ପୂର୍ବେ ପୂର୍ବ ଶାସକମାନେ ଏକ ଦୃଢ଼ ଏବଂ ସୁରକ୍ଷିତ ପ୍ରାଚୀରବେଷ୍ଟିତ ନଗର ପ୍ରତିଷ୍ଠା କରିଥିଲେ। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଆଜି ସେହି ଐତିହାସିକ ନଗର ପରିସରରେ ଇତିହାସର ଏକ ଆଧ୍ୟାତ୍ମିକ ଏବଂ ପବିତ୍ର ଅଧ୍ୟାୟ ଯୋଡା ହେଉଛି। ଶ୍ରୀ ମୋଦୀ କହିଛନ୍ତି ଯେ ଏଠାକୁ ଆସିବା ପୂର୍ବରୁ ସେ ଏହି ଐତିହାସିକ ପ୍ରଦର୍ଶନୀକୁ ଭଲଭାବରେ ବୁଲି ଦେଖିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଆମ ମଧ୍ୟରେ ରହିବା ସମସ୍ତଙ୍କୁ ଆଶୀର୍ବାଦ କରିଥାଏ। ସେ ଉଲ୍ଲେଖ କରିଥିଲେ ଯେ ସେଗୁଡ଼ିକ ଭାରତରୁ ବାହାରକୁ ଯିବା ଓ ପ୍ରତ୍ୟାବର୍ତ୍ତନ ଆମକୁ କେତେକ ଶିକ୍ଷା ପ୍ରଦାନ କରେ । ତାହା ହେଉଛି, ଦାସତ୍ୱ କେବଳ ରାଜନୈତିକ ଏବଂ ଅର୍ଥନୈତିକ ନୁହେଁ, ବରଂ ଆମର ଐତିହ୍ୟକୁ ମଧ୍ୟ ନଷ୍ଟ କରେ ।  
ଏହି ଶିକ୍ଷା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ସହିତ ସମାନ ଘଟଣା ଘଟିଥିଲା, ଯାହାକୁ ଦାସତ୍ୱ ସମୟରେ ନିଆଯାଇଥିଲା ଏବଂ ପ୍ରାୟ ଏକ ଶହ ପଚିଶ ବର୍ଷ ଧରି ତାହା ଦେଶ ବାହାରେ ରହିଥିଲା। ସେ ଯେଉଁମାନେ ସେଗୁଡ଼ିକୁ ବାହାରକୁ ନେଇଯାଇଥିଲେ ଓ ସେମାନଙ୍କ ବଂଶଧରମାନଙ୍କ ପାଇଁ ଏହି ଅବଶେଷ କେବଳ ନିର୍ଜୀବ ଆଣ୍ଟିକ୍ ସାମଗ୍ରୀ ଥିଲା। ଏହି କାରଣରୁ ସେମାନେ ଏହି ପବିତ୍ର କୀର୍ତ୍ତିରାଜିକୁ ଅନ୍ତର୍ଜାତୀୟ ବଜାରରେ ନିଲାମ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭାରତ ପାଇଁ, ଏହି କୀର୍ତ୍ତିଗୁଡ଼ିକ ଆମର ପୂଜ୍ୟ ଦେବତାଙ୍କ ଏକ ଅଂଶ, ଆମ ସଭ୍ୟତାର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଘୋଷଣା କରିଥିଲେ ଯେ ଭାରତ ନିଷ୍ପତ୍ତି ନେଇଛି ଯେ ସେହି ପବିତ୍ର ଅବଶେଷର ସାର୍ବଜନୀନ ନିଲାମକୁ ଅନୁମତି ଦିଆଯିବ ନାହିଁ। ଶ୍ରୀ ମୋଦୀ ଗୋଦରେଜ୍ ଗ୍ରୁପ୍ ପ୍ରତି କୃତଜ୍ଞତା ପ୍ରକାଶ କରି ଉଲ୍ଲେଖ କରିଥିଲେ ଯେ ସେମାନଙ୍କ ସହଯୋଗରେ, ଭଗବାନ ବୁଦ୍ଧଙ୍କ ସହିତ ଜଡିତ ଏହି ପବିତ୍ର କୀର୍ତ୍ତିଗୁଡ଼ିକ ତାଙ୍କର କର୍ମଭୂମି, ତାଙ୍କର ଚିନ୍ତନଭୂମି, ତାଙ୍କର ମହାବୋଧି ଭୂମି ଏବଂ ତାଙ୍କର ମହାପରିନିର୍ବାଣ ଭୂମିକୁ ଫେରି ଆସିଛି।
ପ୍ରଧାନମନ୍ତ୍ରୀ କହିଥିଲେ “ଭଗବାନ ବୁଦ୍ଧଙ୍କ ଜ୍ଞାନ ଏବଂ ତାଙ୍କ ପ୍ରଦର୍ଶିତ ପଥ ସମଗ୍ର ମାନବ ଜାତିର ଓ ଏହି ଭାବନା ଗତ କିଛି ମାସ ମଧ୍ୟରେ ବାରମ୍ବାର ଅନୁଭୂତ ହୋଇଛି।” ସେ ଉଲ୍ଲେଖ କରିଥିଲେ ଯେ ବିଗତ ମାସଗୁଡ଼ିକରେ, ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଯେଉଁଠାରେ ଯାତ୍ରା କରିଛନ୍ତି, ସେଠାରେ ବିଶ୍ୱାସ ଏବଂ ଭକ୍ତିର ଲହରୀ ସୃଷ୍ଟି ହୋଇଛି। ଶ୍ରୀ ମୋଦୀ କହିଥିଲେ ଯେ ଥାଇଲ୍ୟାଣ୍ଡରେ, ଯେଉଁଠାରେ ଏପରି ପବିତ୍ର ଅବଶେଷ ବିଭିନ୍ନ ସ୍ଥାନରେ ରଖାଯାଏ, ଗୋଟିଏ ମାସରୁ କମ୍ ସମୟ ମଧ୍ୟରେ ଚାରି ଲକ୍ଷରୁ ଅଧିକ ଭକ୍ତ ଦର୍ଶନ ପାଇଁ ଆସିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭିଏତନାମରେ ଜନ ଭାବନା ଏତେ ପ୍ରବଳ ଥିଲା ଯେ ପ୍ରଦର୍ଶନୀର ଅବଧି ବୃଦ୍ଧି କରିବାକୁ ପଡିଲା ଏବଂ ନଅଟି ସହରର ପ୍ରାୟ ୧.୭୫ କୋଟି ଲୋକ ପ୍ରବିତ୍ର ଅବଶେଷକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ସୂଚାଇଥିଲେ ଯେ ହଜାର ହଜାର ଲୋକ ମଙ୍ଗୋଲିଆର ଗଣ୍ଡନ ମଠ ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ ଏବଂ ଅନେକ ଲୋକ ଭାରତୀୟ ପ୍ରତିନିଧିମାନଙ୍କୁ ସ୍ପର୍ଶ କରିବାକୁ ଚାହୁଁଥିଲେ କେବଳ ଏଇଥିପାଇଁ ଯେ ସେମାନେ ବୁଦ୍ଧଙ୍କ ଭୂମିରୁ ଆସିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ରୁଷର କାଲମିକିଆ ଅଞ୍ଚଳରେ, ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୧.୫ ଲକ୍ଷରୁ ଅଧିକ ଲୋକ, ଯାହା ସ୍ଥାନୀୟ ଜନସଂଖ୍ୟାର ଅଧାରୁ ଅଧିକ, ଆସି ପବିତ୍ର ଅବଶେଷକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବିଭିନ୍ନ ଦେଶର ଏହି କାର୍ଯ୍ୟକ୍ରମଗୁଡ଼ିକ ସାଧାରଣ ନାଗରିକ ହୁଅନ୍ତୁ କି ସରକାରୀ ମୁଖ୍ୟ, ସମସ୍ତେ ସମାନଭାବେ ଏକଜୁଟ ହୋଇଥିବା କଥା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଭଗବାନ ବୁଦ୍ଧ ସମସ୍ତଙ୍କର ଏବଂ ସେ ସମସ୍ତଙ୍କୁ ସଂଯୋଗ କରନ୍ତି।

Posted in ଦେଶ ବିଦେଶ.