ରାଜ୍ୟର ଅନ୍ୟତମ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରାଉରକେଲାର “ନୃତ୍ୟ ମହ୍ଲାର” ପକ୍ଷରୁ ଏହାର ବାର୍ଷିକୋତ୍ସବ ଅବସରରେ ଅନୁଷ୍ଠିତ ହୋଇଯାଇଛି ୨ୟ ରାଜ୍ୟସ୍ତରୀୟ ‘ଶୃଙ୍ଗାର ମହୋତ୍ସବ’।
ଏହି ଏକଦିନିଆ ସାଂସ୍କୃତିକ ମହୋତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାର, ଅତିଥି ଓ କଳାପ୍ରେମୀ ଦର୍ଶକମାନଙ୍କ ସମେତ ପ୍ରାୟ ୧୫୦୦ରୁ ଉର୍ଦ୍ଧ ଲୋକଙ୍କ ଉପସ୍ଥିତି ସିଭିକ ସେଣ୍ଟର୍ ରେ ଦେଖିବାକୁ ମିଳିଥିଲା।
ନୃତ୍ୟ ମହ୍ଲାରର ଅଧ୍ୟକ୍ଷା, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ, ଗବେଷକ ଓ ସ୍ୱର୍ଣ୍ଣ ପଦକ ପ୍ରାପ୍ତା ସୁଶ୍ରୀ ବର୍ଷାରାଣି ପଣ୍ଡାଙ୍କ ଅଧ୍ୟକ୍ଷତାରେ ଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ ମହୋତ୍ସବର ଶୁଭାରମ୍ଭ କରାଯାଇଥିଲା। ପ୍ରଭାତ ଅଧିବେଶନରେ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଓଡ଼ିଶୀ, କଥକ ଓ ଲୋକନୃତ୍ୟ କ୍ଷେତ୍ରର ଖ୍ୟାତନାମା ଗୁରୁମାନେ ନ୍ୟାୟଧୀଶ ଭାବେ ଯୋଗଦେଇ ଉଦୀୟମାନ କଳାକାରମାନଙ୍କ ପ୍ରତିଭାକୁ ମୂଲ୍ୟାୟନ କରିଥିଲେ। ଉସ୍ତାଦ ବିସ୍ମିଲ୍ଲା ଖାଁ ପୁରସ୍କାର ପ୍ରାପ୍ତ କଳାକାର ସର୍ବେଶ୍ୱର ଭୋଇ ବିଶେଷ ଅତିଥି ଭାବେ ଯୋଗଦେଇ କଳାକାରମାନଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଥିଲେ।
ସେହିଭଳି ସନ୍ଧ୍ୟା ଅଧିବେଶନରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଖ୍ୟାତନାମା ନୃତ୍ୟ ସଂସ୍ଥା ଓ କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆକର୍ଷଣୀୟ ଓଡ଼ିଶୀ, କଥକ ଓ ଲୋକନୃତ୍ୟ ଭଳି ସାଂସ୍କୃତିକ ପ୍ରଦର୍ଶନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। କାର୍ଯ୍ୟକ୍ରମକୁ ଅନିଲ କୁମାର ମଲ୍ଲିକ ଓ ଜ୍ୟୋତ୍ସ୍ନାରାଣୀ ସାହୁ ସୁଚାରୁ ଭାବେ ସଂଚାଳନା କରିଥିଲେ।
ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ, ନନ୍ଦିନୀ ମୁଣ୍ଡାରି ଓ ଖ୍ୟାତନାମା ନାଟ୍ୟ ଅଭିନେତା ଓ ନିର୍ଦ୍ଦେଶକ ଡ଼ଃ ସମର ମୁଦାଲି ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ବରିଷ୍ଠ ଓ ଯୁବ କଳାକାରମାନଙ୍କୁ ମହାନ ଶାସ୍ତ୍ରୀୟ କୀର୍ତ୍ତି ସମ୍ମାନ, ଲୋକକଳା ସମ୍ମାନ ଓ ଯୁବ କୀର୍ତ୍ତି ସମ୍ମାନରେ ସମ୍ବର୍ଦ୍ଧିତ କରାଯିବା ସହ ସ୍ମାରକ ପତ୍ରିକା ‘ଶିଖର’ ଉନ୍ମୋଚିତ ହୋଇଥଲା। କାର୍ଯ୍ୟକ୍ରମ ଶେଷରେ ନିଜ ସମାପନୀ ଅଭିଭାଷଣରେ ନୃତ୍ୟ ମହ୍ଲାରର ଅଧ୍ୟକ୍ଷା ସୁଶ୍ରୀ ବର୍ଷାରାଣୀ ସମସ୍ତ ଅତିଥି, କଳାକାର, ଅଭିଭାବକ ଓ ଦର୍ଶକଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ।
