ଆଧ୍ୟାତ୍ମିକତା ଓ ଅସ୍ମିତାର ମହାମିଳନ: ପବିତ୍ର ମକର ସଂକ୍ରାନ୍ତି ଓ ବ୍ୟାସକବି ଜୟନ୍ତୀ
ପବିତ୍ର ମକର ସଂକ୍ରାନ୍ତି, ଯାହା ହଜାର ହଜାର ବର୍ଷ ଧରି ସମଗ୍ର ଭାରତ ବର୍ଷରେ କେବଳ ନୁହେଁ, ଅବିଭକ୍ତ ଭାରତ ତଥା ବିଦେଶର ଅନେକ ଦେଶରେ ସୂର୍ଯ୍ୟ ଉପାସନା ର କେବଳ ପର୍ବ ନୁହେଁ ଅଧିକନ୍ତୁ ବହୁବିଧ ଦର୍ଶନ ଆଧାରିତ ପର୍ବ ଭାବେ ପାଳିତ ହୋଇଆସୁଛି । ଆଜି ମହାଭାରତର ପିତାମହ ଭୀଷ୍ମଙ୍କ ମହାଭାରତମହାପ୍ରୟାଣ ଦିବସ ହୋଇଥିବା ବେଳେ ଓଡ଼ିଆ ଭାଷା ଆନ୍ଦୋଳନର ପିତାମହ ଭୀଷ୍ମ ,କଥା ସମ୍ରାଟ, ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକୀରମୋହନ ଙ୍କ ଆବିର୍ଭାବ ତିଥି । ଯୁଦ୍ଧ ସମୟରେ ଶର ଶଯ୍ୟାଶାୟୀ ପିତାମହ ଭୀଷ୍ମ ସୂର୍ଯ୍ୟଙ୍କ ଉତ୍ତରାୟଣ ସମୟରେ ଦେହ ତ୍ୟାଗ କରିବେ ବୋଲି ଶରଶଯ୍ୟାରେ ଅପେକ୍ଷା କରିଥିଲେ । ମକର ସଂକ୍ରାନ୍ତି ରେ ସୂର୍ଯ୍ୟ ଉତ୍ତରାୟଣ ହେବା ମାତ୍ରେ ସେ ଦେହତ୍ୟାଗ କରିଥିଲେ । ଅତଏବ ଆଜି ତାଙ୍କର ମହାପ୍ରୟାଣ ତିଥି, ଶ୍ରାଦ୍ଧ ତିଥି । ବହୁ ବିଧ କାରଣରୁ ମକର ସଂକ୍ରାନ୍ତି ଏକ ସାର୍ବଜନୀନ ମହାପାର୍ବଣ ପର୍ବ । ହଜାର ହଜାର ବର୍ଷ ଧରି ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହି ପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରି ସେଥିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ,ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ । ଏହି ସମୟରେ ଅଭୀଷ୍ଟ ସିଦ୍ଧି ପାଇଁ ସୂଯ୍ୟ ଉପାସନ କରାଯାଏ । ଓଡ଼ିଆ ପ୍ରବାଦ ଅନୁଯାୟୀ ‘ମକର ଠାରୁ ଦିନ ବକର ହୁଏ’, ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୁଏ । ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଯେଉଁମାନଙ୍କର ପରଲୋକ ହୁଏ, ସେମାନଙ୍କୁ ସ୍ୱର୍ଗଲୋକ ପ୍ରାପ୍ତ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି । ଆଉ କେତେକ ସ୍ଥାନରେ ଏହି ଦିନ ଶିବଙ୍କୁ ପୂଜା କରାଯାଏ । କେତେକ ଏହି ଦିନ ଉଭୟ ଶିବ ଓ ସୂର୍ଯ୍ୟଙ୍କୁ ପୂଜା କରନ୍ତି । ଏହି ମକର ସଂକ୍ରାନ୍ତିର ପୂଣ୍ୟକାଳରେ ପ୍ରତ୍ୟୁଷରୁ ନଦୀ, ପୋଖରୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ, ସକଳ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ।”ରବି ସଂକ୍ରମଣ ପ୍ରାପ୍ତେ ନ ସ୍ନାୟ ଦ୍ୟଷ୍ତୁ ମାନବାଃ,ସପ୍ତ ଜନ୍ମସୁ ରୋଗୀସ୍ୟାର୍ଧନଶ୍ଚୈବ ଜାୟତେ ।” ( ଧର୍ମ ସିନ୍ଧୁ) । ତେଣୁ କେଉଁ ଆବାହମାନ କାଳରୁ ସରୋବର, ନଦୀ ତଟ, ମହୋଦଧି ତୀର ପ୍ରଭୃତି ପବିତ୍ର ସ୍ଥାନମାନଙ୍କରେ ମକର ମେଳା, ସାଧୁସଙ୍ଗ ଓ ମହୋତ୍ସବର ପରମ୍ପରା ଚାଲିଆସିଛି । ଏହି ଦିନ ପ୍ରସିଦ୍ଧ ଗଙ୍ଗାସାଗରଠାରେ ଏକ ବିରାଟ ମେଳା ହୁଏ । ପୁଣ୍ୟଲାଭ ଆଶାରେ ଏହି ଦିନ ଅନେକ ଧାର୍ମିକ ଲୋକ ଗଙ୍ଗାସାଗରରେ ବୁଡ଼ ପକାଇଥାନ୍ତି । ମକର ସଂକ୍ରାନ୍ତି ଦିନ ଅନେକ ସ୍ଥାନରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥାଏ । ବିଶ୍ୱାସ କରାଯାଏ, ଏହି କାଳ ମଧ୍ୟରେ ମୃତ୍ୟୁବରଣ କରୁଥିବା ମନୁଷ୍ୟ ବିଷ୍ଣୁଲୋକରେ ସ୍ଥାନ ପାଇଥାଏ । ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ‘ଉତ୍ତରାୟଣ ଯାତ୍ରା’ ବା ମକର ସଂକ୍ରାନ୍ତି ଉତ୍ସବ ମହାସମାରୋହରେ ପାଳିତ ହୋଇଆସୁଛି । ଏହି ଯାତ୍ରା ସମ୍ବନ୍ଧରେ ସ୍କନ୍ଦପୁରାଣରେ ଉଲ୍ଲେଖ ରହିଛି ଯେ, ମହା ପୁଣ୍ୟମୟ ମକର ସଂକ୍ରାନ୍ତି ଦିନ ଶ୍ରୀକ୍ଷେତ୍ରରେ ତୀର୍ଥରାଜ ମହୋଦଧିରେ ସ୍ନାନ କରି ଶ୍ରୀମନ୍ଦିରରେ କଳ୍ପବଟ ପ୍ରଦକ୍ଷିଣପୂର୍ବକ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଅଶେଷ ଫଳପ୍ରାପ୍ତି ହୋଇଥାଏ ।ମକର ସଂକ୍ରାନ୍ତି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜୀଉମାନଙ୍କର ପଟା ପହରଣ (ପତଳା ସୂତାର ଜାଲିକନା) ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ । ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିଥାଏ । ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥାଏ । ଘଣ୍ଟ, ଛତା, କାହାଳୀ ପଟୁଆର ସହିତ ତଳିଚ୍ଛୁ ଓ ପ୍ରଧାନୀ (ସେବକ)ଙ୍କ ହାତପୈଠ (ହାତୁଆଣୀ) ହୋଇ ରୋଷଘରଠାରୁ ଭୋଗ ଶ୍ରୀଛାମୁକୁ ଆସିଥାଏ । ଭୋଗଟେରା (ଭୋଗପୂଜା ସମୟରେ ସାଧାରଣଙ୍କ ପ୍ରବେଶ ନିରୋଧ କରିବାକୁ ଶ୍ରୀମନ୍ଦିର ଭିତର କଳାହାଟ ଦ୍ୱାର ସମ୍ମୁଖରେ ବନ୍ଧା ହେଉଥିବା କନାର ଲୁଗା) ବନ୍ଧାହେବା ପରେ ଦିଗପାଳ ବଳି ନୀତି ହୋଇଥାଏ । ଭୋଗ ବଢ଼ିବା ପରେ ପାଣି ପଡ଼ି ଧୋପଖାଳ (ଲୋକମାନଙ୍କୁ ବାହାର କରାଯାଇ ଭୋଗ ବଢ଼ାଯିବା ସ୍ଥାନ ଧୁଆଧୋଇ କରି ପରିଷ୍କାର କରାଯିବା) ହୋଇ ଟେରା ବନ୍ଧାଯାଏ । ଇତି ମଧ୍ୟରେ ମକରଚାଉଳ ପ୍ରସ୍ତୁତି ନିମନ୍ତେ ରୋଷଘରକୁ ଗୋଦାମରୁ ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧସରମାନ ଅଣାଯାଇଥାଏ । ହାଣ୍ଡି କୁଡ଼ୁଆ ଇତ୍ୟାଦି ସଜଡ଼ା ଯାଇଥାଏ । ସୁଦୁ ସୁଆର ସେବକ ଉପରୋକ୍ତ ଦ୍ରବ୍ୟଗୁଡ଼ିକରେ ମକରଚାଉଳ ପ୍ରସ୍ତୁତ କରି ରଖିଥାନ୍ତି । ଏହାପରେ ପୂର୍ବ ଦିନରୁ ଭୋଗମଣ୍ଡପ ଘରେ ଶୁଦ୍ଧପୂତ ଭାବେ ଅଧିବାସ ହୋଇ ରଖାଯାଇଥିବା ମକରଚାଉଳକୁ ପତ୍ରିବଡ଼ୁ / ପନ୍ତିବଡ଼ୁ (ଶ୍ରୀଛାମୁରେ କୋଠଭୋଗ ବାଢ଼ିବା ସେବକ) ସେବକମାନେ ମୁହଁରେ ବାଘମୁହାଁ (ଭୋଗ ନେବାବେଳେ ପାଟିରୁ ଛେପ ନ ପଡ଼ିବା ପାଇଁ ମୁହଁରେ ବନ୍ଧାଯାଉଥିବା କନା) ବାନ୍ଧି ଘଣ୍ଟ, ଛତା, କାହାଳୀ ପଟୁଆରରେ ତଳିଚ୍ଛୁ (ମହାନାୟକ ସେବକ ଓ ପରିଚ୍ଛାଙ୍କ ପ୍ରତିନିଧି)ଙ୍କ ସହ ମୁଖ୍ୟ ମନ୍ଦିରକୁ ତିନିଥର ପରିକ୍ରମା କରି ଶ୍ରୀଛାମୁରେ ପନ୍ତି ବାଢ଼ିଥାନ୍ତି । ଏହାପରେ ମହାଭୋଇ (ଶ୍ରୀମନ୍ଦିରର ମୁଖ୍ୟ ଗଉଡ଼ ସେବକ) ଦୁଧ, ଗୁଡ଼ିଆ ଶାକର ଓ ଣାସବୁକୁ ଉପରୋକ୍ତ ପ୍ରକାରେ ଏକଥର ବଡ଼ଦେଉଳ ପରିକ୍ରମା କରି ଜୟବିଜୟ ଦ୍ୱାରଠାରେ ମହାସୁଆରଙ୍କ ଜିମା ଦେଲେ ମହାସୁଆର ତାକୁ ନେଇ ଛାମୁରେ ବାଢ଼ି ଥାଆନ୍ତି । ହଡ଼ପ ନାୟକ ସେବକ (ମହାପ୍ରଭୁଙ୍କ ପାଇଁ ବିଭିନ୍ନ ନୀତିରେ ରୂପାବଟାରେ ବିଡ଼ିଆପାନ ଯୋଗାଉଥିବା ସେବକ) ହଡ଼ପ (ଖିଲିପାନର ଉପକରଣ) ଘରଠାରୁ ଘଣ୍ଟ, ଛତା, କାହାଳୀ ପଟୁଆରରେ ମୁଖ୍ୟ ମନ୍ଦିର ଭିତର ବେଢ଼ାକୁ ଏକଥର ବୁଲି ଭୋଗ ବାଢ଼ିବା ନିମନ୍ତେ ମହାସୁଆରକୁ ଦେଇ ଥାଆନ୍ତି । ମୁଦିରସ୍ତ / ମୁଦିହସ୍ତ / ମୁଦିରଥ (ବିବିଧ ନାମରେ ପରିଚିତ ସେବକ, ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ମହାପ୍ରଭୁଙ୍କ ସେବାକାରୀ) ପ୍ରସାଦ ଲାଗି କରିବା ପରେ ତିନି ବାଡ଼ରେ ତିନି ପୂଜାପଣ୍ଡା ପଞ୍ଚୋପଚାରରେ ମଣୋହି କରନ୍ତି । ଭୋଗ ସରିବା ପରେ ଶ୍ରୀଜିଉମାନଙ୍କୁ ବନ୍ଦାପନା କରାଯାଏ । ଏ ସଂପର୍କରେ ସ୍କନ୍ଦପୁରାଣର ବିଷ୍ଣୁଖଣ୍ଡରେ ଉଲ୍ଲେଖ ରହିଛି ଯେ ମହର୍ଷି କଶ୍ୟପ ପୂର୍ବ କଳ୍ପ (ବ୍ରହ୍ମାଙ୍କର ଏକଦିନ ମନୁଷ୍ୟ ଗଣନାରେ ୪୩୨ କୋଟି ବର୍ଷ)ରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରୀତି ନିମନ୍ତେ ଶ୍ରୀମନ୍ଦିରରେ ଏହି ମହୋତ୍ସବ ପାଳନ କରିଥିଲେ । ଏହି ନୀତି ସଂପାଦନ ସମୟରେ ଘଣ୍ଟ, ଛତା, କାହାଳୀର ମହାର୍ଘ ପଟୁଆରରେ ହଜାର ହଜାର ଭକ୍ତ ମନ୍ଦିର ପ୍ରଦକ୍ଷିଣ କରନ୍ତି । ବିଶେଷଭାବେ ଜଗମୋହନରେ ଶ୍ରୀଜିଉଙ୍କର ଅର୍ପିତ ଅମୃତୋଗମ ମକରଚାଉଳ (ମକରାନ୍ନ କୈବଲ୍ୟ) ବା ମକରଭୋଗ ଲାଭ କରିବା ନିମନ୍ତେ ଦର୍ଶକମାନଙ୍କଠାରେ ପ୍ରବଳ ଆଗ୍ରହ ଦେଖାଦିଏ । ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ଏହି ମକର ସଂକ୍ରାନ୍ତି ଦିନ ଜଗନ୍ନାଥଙ୍କ ଦର୍ଶନରେ ରାଜସୂୟ ଯଜ୍ଞର ‘ଳ ପ୍ରାପ୍ତି ହୋଇଥାଏ । ଯେଉଁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ବିଧିପୂର୍ବକ ବେଢ଼ା ପ୍ରଦକ୍ଷିଣ କରନ୍ତି, ସେମାନେ ପୁଣ୍ୟଲାଭ ସହିତ ମୁକ୍ତିଲାଭ କରିଥାଆନ୍ତି ।ଓଡ଼ିଶାର ଉତ୍ତରାଞ୍ଚଳରେ, ବିଶେଷତଃ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଦିବାସୀମାନଙ୍କର ମକରଯାତ୍ରା ଏକ ପ୍ରଧାନ ପର୍ବ । ଏହି ଅଞ୍ଚଳରେ ବସ ବାସ କରୁ ଥିବା କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ଟୁସୁ ପରବ ରୂପେ ପାଳନ କରିଥା’ନ୍ତି । ମକର ସଂକ୍ରାନ୍ତିର ପୂର୍ବରୁ ଓ ପରେ ସମସ୍ତଙ୍କ ଘରେ ଭିନ୍ନଭିନ୍ନ ପ୍ରକାର ବ୍ୟଞ୍ଜନ ବିଭିନ୍ନ ଦିନରେ ହୋଇଥାଏ । ଏହି ପର୍ବରେ ସମସ୍ତେ ନୂଆବସ୍ତ୍ର ପରିଧାନ କରନ୍ତି । ନାଚଗୀତ ଓ ଭୋଜିଭାତରେ ମାଧ୍ୟମରେ ଏହିପର୍ବକୁ ମହା ଆନନ୍ଦରେ ଆଦିବାସୀମାନେ ପାଳନ କରିଥା’ନ୍ତି । ମକର ପର୍ବର ଟୁସୁଗୀତ ଅତ୍ୟନ୍ତ ହୃଦୟସ୍ପର୍ଶୀ । ଓଡ଼ିଶାର ସମତଳ ଅଞ୍ଚଳ ଅପେକ୍ଷା ମାଳ ଅଞ୍ଚଳରେ ମକର ଯାତ୍ରା ବଡ ଜାକଜମକକରେ ଦୀର୍ଘଦିନ ଧରି ପାଳନ କରାଯାଏ । ପ୍ରାୟ ପ୍ରତ୍ୟେକ ଆଦିବାସୀ ଗୋଷ୍ଠି ଏହି ପର୍ବ ପାଳନ କରନ୍ତି । ଏହି ସମୟରେ ଆଦିବାସୀ ଅଞ୍ଚଳଗୁଡିକ ଯାତ୍ରା ମେଳଣର ଆମୋଦପ୍ରମୋଦରେ ଜୀବନ୍ତ ହୋଇଉଠେ । ସେମାନଙ୍କ ପରମ୍ପରାରେ ମକରଯାତ୍ରା ଏକ ସ୍ନେହ, ପ୍ରେମ ଓ ସଦ୍ଭାବନାର ମହୋତ୍ସବ ।କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଆସାମ, ବଙ୍ଗଳା ଓ ଓଡ଼ିଶା ପ୍ରଭୃତି ସ୍ଥାନରେ କୃଷକମାନେ ମକର ପର୍ବକୁ ଦୁଇଦିନ ବା ତିନିଦିନ ପାଳନ କରିଥା’ନ୍ତି । ଦକ୍ଷିଣ ଭାରତରେ ଏହା ପୋଙ୍ଗଲ ଓ ଅନ୍ୟାନ୍ୟ ସ୍ଥାନରେ ଭୋଗୀ ପର୍ବ ଭାବେ ପରିଚିତ । ଏହିଦିନଠାରୁ ଦକ୍ଷିଣରେ ନୂଆବର୍ଷ ଆରମ୍ଭ ହୋଇଥାଏ । ଏହି ପର୍ବଟିକୁ ଦାକ୍ଷିଣାତ୍ୟରେ ତିନିଦିନ ଧରି ପାଳନ କରାଯାଇଥାଏ । ଓଡ଼ିଆ ଜନ ଜୀବନ ଓ ଆଧ୍ୟାତ୍ମିକ ଚେତନା ରେ ମକର ସଂକ୍ରାନ୍ତି ପାରମ୍ପରିକ ସନାତନ ହିନ୍ଦୁ ସଂସ୍କୃତି ପାଇଁ ଏକ ସ୍ମରଣୀୟ ଦିବସ । ଏହା ମଧ୍ୟ ନିର୍ଵିବାଦୀୟ ସତ୍ୟ ଯେ ଓଡ଼ିଶା ର ୧୨ ମାସରେ ୧୩ ପର୍ବ ପାଳନ ପାଳନ ର ଭିତ୍ତି ହିଁ କୃଷି ଆଧାରିତ । ମକର ସଂକ୍ରାନ୍ତି ସମୟ କୁ ଓଡ଼ିଶା ରେ ଅମଳ ହେଉଥିବା ଶସ୍ୟ ମଧ୍ୟରେ ପ୍ରମୁଖ ଧାନ ଓ ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ । ତେଣୁ କୃତଜ୍ଞ ଚାଷୀ ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ନୂଆ ଗୁଡ଼, ଛେନା, ନଡ଼ିଆ ଆଦି ମିଶାଇ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଦେବୀ ଦେବତା ଓ ଧାନ ଖଳାରେ ଭୋଗ କରାଯାଇଥାଏ, ଯାହା ମକର ଚାଉଳ ଭାବେ ପରିଚିତ ଏବଂ ଏବେବି ପଶ୍ଚିମା ସଂସ୍କୃତି ର ପ୍ରାବଲ୍ୟ ରେ ଭୟଙ୍କର ଭାବେ ବିପର୍ଯ୍ୟସ୍ତ ଆମ ସାମାଜିକ ଜନ ଜୀବନ ରେ ପ୍ରତିପାଳିତ । ଏବେ ଏହା ଗୁଡ଼ି ଉଡାଇବାର ପରମ୍ପରା ରେ ପରିଗଣିତ ହୋଇଛି । ଅବଶ୍ୟ ଏହି ଗୁଡ଼ି ଉଡାଇବା ପରମ୍ପରା ମହାଭାରତ ସମୟରୁ ଚଳିଆସିଥିବା ସମ୍ପର୍କରେ ଆମର ପୋଷ୍ୟପିତା ପଣ୍ଡିତ ଜଗନ୍ନାଥ ଶତପଥୀ ଆମକୁ ତୁଳସୀ ଦାସ ଙ୍କ ରାମଚରିତ ମାନସ ରୁ ତଥ୍ୟ ଉଦ୍ଧାର କରି କହିଥିଲେ । ଭଗବାନ ରାମଚନ୍ଦ୍ର ଛୋଟ ପିଲା ଦିନେ ଆଜି ର ତିଥି ରେ ନୂଆ ଗୁଡ଼ି ଉଡ଼ାଇବା ବର୍ଣ୍ଣନା ” ରାମ ଇକ୍ ଦିନ ଚଙ୍ଗ ଉଡାଇ,ଇନ୍ଦ୍ର ଲୋକ ମେଁ ପହୁଞ୍ଚି ଜାଇ ।” ଅର୍ଥାତ୍ ରାମଚନ୍ଦ୍ର ଏହି ତିଥିରେ ଗୁଡ଼ି ଉଡ଼ାଇବା ସମୟରେ ତାହା ଚନ୍ଦ୍ରଲୋକ ରେ ପହଞ୍ଚି ଯାଇଥିଲା । ସେହିପରି ତାମିଲ ଭାଷା ରେ ରଚିତ ” ନନ୍ଦନାରାମାୟଣ” ରେ ଉଲ୍ଲେଖ ରହିଛି ଯେ ମକର ସଂକ୍ରାନ୍ତି ରୁ ପବିତ୍ର ଅବସରରେ ଭଗବାନ ରାମଚନ୍ଦ୍ର ଓ ହନୁମାନ ଙ୍କ ମଧ୍ୟରେ ମିତ୍ରତା ସ୍ଥାପନ ହୋଇଥିଲା । ସେହିପରି ଆଜି ପିଢ଼ି ପରେ ପିଢି ପ୍ରତ୍ୟେକ ଓଡ଼ିଆ ମାନଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ଓଡ଼ିଆ ଭାଷା ରକ୍ଷକ, ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ, ଓଡ଼ିଆ ଜାତୀୟ ଆନ୍ଦୋଳନର ପ୍ରମୁଖ ସମର୍ପିତ କାଣ୍ଡାରୀ, ସଂକ୍ରାନ୍ତି ପୁରୁଷ ,ଚିର ବନ୍ଦନୀୟ, ସ୍ମରଣୀୟ, କାଳଜୟୀ ସାରସ୍ଵତ କୀର୍ତ୍ତି ସ୍ରଷ୍ଟା ବ୍ୟାସକବି ଫକୀରମୋହନଙ୍କ ୧୮୩ ତମ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ।କଥା ସମ୍ରାଟ,ବ୍ୟାସକବି ଫକୀର ମୋହନ ସେନାପତି, ଭାରତ ଗୌରବ ମଧୁସୂଦନ ଦାସ, ବିଶ୍ୱମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀ ଓ ଭଗାରି ମାନଙ୍କ ଭୟଙ୍କର ଚକ୍ରାନ୍ତ ରୁ ବଞ୍ଚାଇ ଆମ ଭାଷା ଜନନୀଙ୍କ ସୁଯୋଗ୍ୟ ସନ୍ତାନ ଭାବେ ପିଢ଼ି ପରେ ପିଢ଼ିଙ୍କ ପାଇଁ ଆଦର୍ଶ ପ୍ରେରଣା ପ୍ରଦାତା ତଥା ସର୍ବାନ୍ତକରଣ ଚିର ବନ୍ଦନୀୟ,ସ୍ମରଣୀୟ ମହାତ୍ମା । ଆମ ଭାଷା ଜନନୀ ଉପରେ ଯେତେବେଳେ ଚତୁର୍ଦ୍ଦିଗରୁ ପ୍ରଚଣ୍ଡ ମରଣାନ୍ତକ ଆକ୍ରମଣ , ଠିକ୍ ସେତିକିବେଳେ , ସେହି ଭୟାନକ ପରିସ୍ଥିତିରେ ବ୍ୟାସକବି ଫକୀରମୋହନଙ୍କର ଆବିର୍ଭାବ ଯଥାର୍ଥରେ ବିସ୍ମୟ ସୃଷ୍ଟି କରେ । ଚିର ଅମର ସାରସ୍ଵତ ଶିଳ୍ପୀ ଫକୀର ମୋହନ ଉପନ୍ୟାସ ଓ କ୍ଷୁଦ୍ର ଗଳ୍ପ ରଚନାରେ ଅସାଧାରଣ ଶିଳ୍ପ- ନୈପୁଣ୍ୟ ପ୍ରଦର୍ଶନ କରିଥିଲେ ମଧ୍ୟ କବିତା ରଚନା ରୁ ହିଁ ତାଙ୍କ ପ୍ରତିଭା ର ସ୍ଫୁରଣ ପ୍ରତିଫଳିତ ହୋଇଥିଲା । କ୍ଷୁଦ୍ର କ୍ଷୁଦ୍ର ଘଟଣାବଳୀକୁ ଉପଜିଵ୍ୟ କରି ପଦ୍ୟ ରଚନା କରିବା ଓ ଜୀବନର ନାନା ପ୍ରକାର ଘଟଣା ରେ ଆବେଗମୟ ଅନୁଭୂତିକୁ ସରଳ କୋମଳ ପଦ୍ୟରେ ପ୍ରକାଶ କରିବା ସୂତ୍ରରେ ଗଦ୍ୟ ରଚନା କରିବା ପୂର୍ବରୁ ଜଣେ ଜନାଦୃତ କବି ଭାବରେ ଅସୀମ ଖ୍ୟାତି ଅର୍ଜନ କରି ସାରିଥିଲେ । ତାଙ୍କର ଅମୃତ ଅମ୍ଲାନ ସୃଷ୍ଟି ” ଉପହାର”,”ପୁଷ୍ପମାଳା”,
” ଅବସର ବାସରେ”ର କ୍ଷୁଦ୍ର କବିତାଗୁଡ଼ିକ ଓଡ଼ିଆ ଗୀତି-କଵିତା ରାଜ୍ୟରେ ତାଙ୍କୁ ଜଣେ ସଫଳ ଗୀତିକାର ରୂପେ ସ୍ଵୀକୃତି ଦେଇସାରିଥିଲା । ରାମାୟଣ ଓ ମହାଭାରତର ଅନୁବାଦ ସେ ପଦ୍ୟ ରେ ରଚନା କରିବା ସଙ୍ଗେ ସଙ୍ଗେ ବୁଦ୍ଧଦେବଙ୍କ ଜୀବନ ଚରିତକୁ ଅବଲମ୍ବନ କରି ” ବୌଦ୍ଧାବତାର” ଶୀର୍ଷକ ଏକ ସମ୍ପୂର୍ଣ୍ଣ କାବ୍ୟ ରଚନା କରିଥିଲେ । ଏହି ଯୁଗଜୟୀ ସାରସ୍ଵତ କୀର୍ତ୍ତି ସ୍ରଷ୍ଟା ବ୍ୟାସକବି ଫକୀରମୋହନ ୧୩ ଜାନୁଆରୀ ,୧୮୪୩, ସଂକ୍ରାନ୍ତି ତିଥିରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗାଆଁର ଲକ୍ଷ୍ମଣ ଚରଣ ସେନାପତି ଓ ତୁଳସୀ ଦେବୀ ସେନାପତିଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଏକ ବର୍ଷ ପାଞ୍ଚ ମାସ ବୟସ ବେଳେ ତାଙ୍କ ପିତା ଲକ୍ଷ୍ମଣ ଚରଣ ସେନାପତିଙ୍କର ମୃତ୍ୟୁ ଘଟିଲା । ଏହାର ମାତ୍ର ୧୪ ମାସ ପରେ ତାଙ୍କ ମାତା ତୁଳସୀ ଦେବୀ ସେନାପତି ମଧ୍ୟ ଈହଧାମ ତ୍ୟାଗ କରିଥିଲେ । ବାଲ୍ୟକାଳରୁ ତାଙ୍କର ଲାଳନପାଳନ ଭାର ତାଙ୍କର ଜେଜେମା ସମ୍ଭାଳିଥିଲେ ।ଫକୀରମୋହନଙ୍କ ପ୍ରକୃତ ନାମ ଥିଲା ବ୍ରଜମୋହନ । ବାଲ୍ୟକାଳରେ ସେ ପ୍ରାୟତଃ ଅସୁସ୍ଥ ରହୁଥିବାରୁ ତାଙ୍କ ଜେଜେ ତାଙ୍କୁ ଫକୀରମାନଙ୍କ ପାଖକୁ ନେଇଯାଇଥିଲେ । ସେହି ଫକୀରମାନଙ୍କ ସମ୍ମାନାର୍ଥେ ତାଙ୍କ ଜେଜେମା’ ତାଙ୍କ ନାଁ ବଦଳାଇ କରିଦେଲେ ଫକୀରମୋହନ ।
ଫକୀରମୋହନଙ୍କର ଦାଦା ପୁରୁଷୋତ୍ତମ ସେନାପତି ଅତ୍ୟନ୍ତ ଇର୍ଷାପରାୟଣୀ ବ୍ୟକ୍ତି ଥିଲେ । ସେ ଫକୀରମୋହନଙ୍କୁ ପାଠ ପଢ଼ିବାର ଅନୁମତି ଦେଉ ନ ଥିଲେ । ଫକୀରମୋହନ ବାଲ୍ୟକାଳରେ ସବୁବେଳେ ଅସୁସ୍ଥ ରହୁଥିବାରୁ, ସେ ୯ବର୍ଷ ବୟସରେ ଫଳା ଶିଖିବା ଆରମ୍ଭ କରିଥିଲେ । ପାଠ ପଢ଼ି ପଇସା ଦେବାର କ୍ଷମତା ନ ଥିବାରୁ ସେ ଶିକ୍ଷକଙ୍କ ଘରେ କାମ କରି ପଢ଼ୁଥିଲେ । ବିଦ୍ୟା ଆହରଣ କରିବାରେ ସେ କେବେ ସନ୍ତୁଷ୍ଟ ନ ଥିଲେ । ଯେତେ ବିଦ୍ୟା ଅଧ୍ୟୟନ କଲେ ବି ସେ ଆହୁରି ଆଧିକ ଜ୍ଞାନ ପ୍ରାପ୍ତ କରିବାରେ ଲାଗୁଥିଲେ । ନିଜ ମାତୃଭାଷାରେ ଜ୍ଞାନକୋଷ ଭରିବା ସହିତ ସେ ପାର୍ସୀ ଭାଷା ମଧ୍ୟ ଶିକ୍ଷା କରିଥିଲେ । ପିଲାଦିନେ ସେ ଶ୍ରମିକ ଭାବରେ ବାଲେଶ୍ୱରରେ ଥିବା ବନ୍ଦରରେ ମଧ୍ୟ କାର୍ଯ୍ୟ କରୁଥିଲେ ଏବଂ ସେଠାରେ ସେ ବଙ୍ଗାଳୀ ଓ ସଂସ୍କୃତ ଭାଷା ମଧ୍ୟ ଶିକ୍ଷା କରିଥିଲେ ।ମାଇନର ପାଶ୍ କଲା ପରେ ସେ ବାଲେଶ୍ୱରର ବାରବାଟୀ ସ୍କୁଲରେ ବିଦ୍ୟାଧ୍ୟୟନ ଜାରି ରଖିଥିଲେ । ସେଠାରେ ସେ ଇତିହାସ, ଭୂଗୋଳ ଏବଂ ଗଣିତ ଶିକ୍ଷା କରୁଥିଲେ । ସେ ନିଜର ପାରଦର୍ଶିତା ଯୋଗୁଁ ଶିକ୍ଷକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଆର୍ଥିକ ଦୁରବସ୍ଥା ଯୋଗୁଁ ବିଦ୍ୟାଳୟର ମାସିକ ଖର୍ଚ୍ଚ ୨୫ ପଇସା ଦେଇ ନ ପାରି ତାଙ୍କୁ ପାଠପଢ଼ା ତ୍ୟାଗ କରିବାକୁ ପଡ଼ିଥିଲା ଏବଂ ସେହି ବାରବାଟୀ ସ୍କୁଲରେ ତାଙ୍କୁ ମାସିକ ୨.୫୦ ଟଙ୍କା ଦରମାରେ ଶିକ୍ଷକ ଚାକିରୀ କରିବାକୁ ହୋଇଥିଲା । ସେଠାରେ ସେ ଇତିହାସ, ଭୂଗୋଳ ଏବଂ ଗଣିତରେ ଶିକ୍ଷାଦାନ ଆରମ୍ଭ କରିଦେଲେ । ଏହି ସବୁ ବିଷୟରେ ସେ ନିଜେ ନିଜର ଜ୍ଞାନକୁ ପ୍ରଗାଢ଼ କରିପାରିଥିଲେ । ବାଲେଶ୍ୱର କଲେକ୍ଟରେଟ୍ରେ କିଛି କାଳ ପାଇଁ ସେ କିରାଣୀ ଚାକିରି କରିଥିଲେ । ପରବର୍ତ୍ତୀ କାଳରେ ସେ ବାଲେଶ୍ୱର ମିଶନ ସ୍କୁଲରେ ୧୮୭୧ ଯାଏଁ ଶିକ୍ଷକତା କରିଥିଲେ । ଫକୀରମୋହନ ନିଜ ପରିଶ୍ରମ ବଳରେ ଇଂରାଜୀ ଶିକ୍ଷା କରିଥିଲେ । ଆରବିଆନ ନାଇଟସ୍, ରବିନସନ କୃଷେ, ଇଂରାଜୀ ବାଇବେଳ ଭଳି କିଛି ଇଂରାଜୀ ବହି ପଢ଼ିବା ବେଳେ ସେ ଇଂରାଜୀ ଅଭିଧାନର ସାହାଯ୍ୟ ନେଇଥିଲେ । ଯଦିଓ ଫକୀର ମୋହନ ୨୩ ବର୍ଷ ବୟସରେ ଇଂରାଜୀ ଶିକ୍ଷା ଆରମ୍ଭ କରିଥିଲେ, କିନ୍ତୁ ତାଙ୍କର ପ୍ରକୃତିଦତ୍ତ ଦକ୍ଷତା ପାଇଁ ସେ ବିଦେଶୀମାନଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।
ଶିକ୍ଷକତା କରିବା ସଙ୍ଗେ ସଙ୍ଗେ ସେ ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ବଙ୍ଗାଳୀ ଆଦି ଭାଷାରେ ଦକ୍ଷତା ହାସଲ କରିଥିଲେ ଓ ବିଭିନ୍ନ ଆଲୋଚନାମାନଙ୍କରେ ଭାଗ ନେଇ ବାଲେଶ୍ୱରର ବୁଦ୍ଧିଜୀବି ମହଲରେ ନିଜର ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଥିଲେ ।ବାରବାଟୀ ସ୍କୁଲରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିବା ଫକୀରମୋହନ ପରବର୍ତ୍ତୀ ସମୟରେ ଖ୍ରୀଷ୍ଟୀଆନ ମିଶନ ସ୍କୁଲର ପ୍ରଧାନଶିକ୍ଷକ ରୂପେ ନିଜୁକ୍ତି ପାଇଥିଲେ । ସେହି ସମୟରେ ଓଡ଼ିଆ ଛାତ୍ରମାନେ ସମସ୍ତ ପାଠ ବଙ୍ଗଳାରେ ପଢ଼ୁଥିଲେ, ତେଣୁ ସେ ଓଡ଼ିଆରେ ବିଭିନ୍ନ ବିଷୟରେ ପାଠ୍ୟପୁସ୍ତକମାନ ରଚନା କରଥିଲେ । ଜଣେ ଗର୍ବିତ ଓଡ଼ିଆ ଭାବରେ ସେ ଓଡ଼ିଆରେ ପାଠ୍ୟପୁସ୍ତକ ସବୁକୁ ଅନୁବାଦ କରି ଓଡ଼ିଶାର ଏବଂ ଓଡ଼ିଆ ଭାଷାର ସମ୍ମାନ ବହୁତ ଉପରକୁ କରିଦେଇଥିଲେ । ଖ୍ରୀଷ୍ଟୀଆନ ମିଶନ ସ୍କୁଲରେ ସେ ୧୮୭୧ ଯାଏ କାର୍ଯ୍ୟ କରିଆସିଥିଲେ ।ଏହି ସୂତ୍ରରେ ତାଙ୍କର ପରିଚୟ ହୁଏ ବାଲେଶ୍ୱରର ତତ୍କାଳୀନ କଲେକ୍ଟର ଜନ୍ ବିମ୍ସଙ୍କ ସହ । ’ସୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ’ ପରି ବିମ୍ସ ସାହେବ ଯିଏ ନିଜେ ଜଣେ ପଣ୍ଡିତ ଥିଲେ, ଫକୀରମୋହନଙ୍କ ଅନ୍ତର୍ନିହିତ ପାଣ୍ଡିତ୍ୟକୁ ଚିହ୍ନିପାରିଥିଲେ । ଏହି କାଳରେ ବିମ୍ସ ସାହେବ ବିଭିନ୍ନ ଭାରତୀୟ ଭାଷାର ତୁଳନାତ୍ମକ ବ୍ୟାକରଣ ଉପରେ ଗୋଟିଏ ପୁସ୍ତକ ରଚନା କରୁଥିଲେ । ସେ ଫକୀରମୋହନଙ୍କଠାରୁ ଏଥିଲାଗି ଓଡ଼ିଆ ଶିକ୍ଷା କରିଥିଲେ । ଫକୀରମୋହନଙ୍କ ପାଣ୍ଡିତ୍ୟରେ ପ୍ରଭାବିତ ବିମ୍ସ ସାହେବ ତାଙ୍କୁ ନୀଳଗିରିର ଦେୱାନ ପଦ ଗ୍ରହଣ କରିବା ଲାଗି ଆଗ୍ରହ କଲେ । ଫକୀରମୋହନ ମଧ୍ୟ ଏହି ପ୍ରସ୍ତାବ ଗ୍ରହଣ କଲେ । ତାଙ୍କର ମାସିକ ଦରମା ରହିଲା ୧୦୦୦ ଟଙ୍କା । ଏହା ପରେ ସେ ଓଡ଼ିଶାର ବିଭିନ୍ନ ସ୍ଥାନମାନଙ୍କରେ ଦେୱାନ ଦାୟିତ୍ୱ ତୁଲାଇଥିଲେ । ୧୮୭୧ରୁ ୧୮୭୫ ଯାଏଁ ନୀଳଗିରିରେ, ୧୮୭୬-୭୭ ଯାଏଁ ଡମପଡାରେ, ୧୮୭୭-୮୩ ଯାଏଁ ଢେଙ୍କାନାଳରେ, ୧୮୮୪-୮୬ ଯାଏଁ ଦଶପଲ୍ଲାରେ, ୧୮୮୬-୮୭ ଯାଏଁ ପାଲଲହଡ଼ାରେ, ୧୮୮୭-୯୨ ଯାଏଁ କେଉଁଝରରେ ଓ ୧୮୮୪-୮୬ ଯାଏଁ ପୁନର୍ବାର ଡମପଡାରେ ସେ ଏହି ଦାୟିତ୍ୱ ତୁଲାଇଥିଲେ । ୧୮୯୬ରୁ ୧୯୦୫ ଯାଏଁ ସେ କଟକରେ ଅବସ୍ଥାନ କରିଥିଲେ ଓ ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନ ମାନଙ୍କରେ ଅଂଶଗ୍ରହଣ କରିଥିଲେ । ଏତଦ୍ ପରେ ସେ ମୃତ୍ୟୁ ପର୍ଯ୍ୟନ୍ତ ବାଲେଶ୍ୱରରେ ଅବସ୍ଥାନ କରିଥିଲେ ।ଫକୀରମୋହନ ୧୮୫୬ରେ ବିବାହ କରିଥିଲେ । ତେବେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ୧୮୭୧ରେ ପୁନର୍ବାର ବିବାହ କରିଥିଲେ । ତାଙ୍କର ପ୍ରଥମ ପୁତ୍ରର ୧୮୭୭ରେ ଛ’ ବର୍ଷ ବୟସରେ ଅକାଳ ମୃତ୍ୟୁ ଘଟିଲା । ୧୮୮୧ରେ ତାଙ୍କର ଦ୍ୱିତୀୟ ସ୍ତ୍ରୀଙ୍କ ଔରସରୁ ଦ୍ୱିତୀୟ ପୁତ୍ର ଜନ୍ମଗ୍ରହଣ କରିଥିଲା । ତାଙ୍କର ଦ୍ୱିତୀୟ ସ୍ତ୍ରୀ ମଧ୍ୟ ୧୮୯୪ରେ ହଇଜାରେ ପରଲୋକଗାମୀ ହୋଇଥିଲେ । ପରବର୍ତ୍ତୀ କାଳରେ ନିଜ ପୁତ୍ର ସହ ମଧ୍ୟ ତାଙ୍କର ମନାନ୍ତର ଘଟିଥିଲା । ଏହିପରି ତାଙ୍କର ପାରିବାରିକ ଜୀବନ ନିତାନ୍ତ କଷ୍ଟଦାୟକ ଓ ଦୁର୍ଘଟଣାପୂର୍ଣ୍ଣ ଥିଲା ।
ସାହିତ୍ୟର ବିଭିନ୍ନ ବିଭାଗ ଯଥା ଅନୁବାଦ ସାହିତ୍ୟ (ସଂସ୍କୃତରୁ), କାବ୍ୟ-କବିତା ଇତ୍ୟାଦିରେ ସେ ସାହିତ୍ୟ ସୃଜନ କରିଥିଲେ ହେଁ ସେ ମୁଖ୍ୟତଃ ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟିକର୍ତ୍ତା ରୂପେ ସୁପରିଚିତ । ୧୮୯୭ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ – ’ଛ’ ମାଣ ଆଠ ଗୁଣ୍ଠ’, ’ମାମୁଁ’, ’ପ୍ରାୟଶ୍ଚିତ’ ଓ ’ଲଛମା’ ତତ୍କାଳୀନ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ । ଛ’ ମାଣ ଆଠ ଗୁଣ୍ଠ ଉପନ୍ୟାସରେ ଜମିଦାରମାନଙ୍କ ଦେଇ ଗରିବ ଚାଷୀମାନଙ୍କର ଶୋଷଣର କାହାଣୀ ବର୍ଣ୍ଣିତ ହୋଇଛି । ଓଡ଼ିଆର ପ୍ରଥମ ଆତ୍ମଜୀବନୀର ମଧ୍ୟ ସେ ଥିଲେ ରଚୟିତା । ଏହାର ନାମ ଥିଲା ’ଆତ୍ମ ଜୀବନ ଚରିତ’ ।
ଫକୀରମୋହନ ସେନାପତି ଓଡ଼ିଆ ଗଳ୍ପ ସାହିତ୍ୟର ଜନକ । ଫକୀରମୋହନ ତାଙ୍କ ଜୀବନର ଶେଷ ୨୧ ବର୍ଷ ମଧ୍ୟରେ ଗଳ୍ପ ଏବଂ ଉପନ୍ୟାସ ରଚନା କରିଛନ୍ତି । ୧୮୬୦ରେ ଫକୀରମୋହନଙ୍କ ରଚିତ କ୍ଷୁଦ୍ରଗଳ୍ପ ’ଲଛମନିଆ’, ତାଙ୍କରିଦ୍ୱାରା ସମ୍ପାଦିତ ଓ ବାଲେଶ୍ୱରରୁ ପ୍ରକାଶିତ ବୋଧଦାୟିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା । ତେବେ ଦୁର୍ଭାଗ୍ୟବଶତଃ ତାଙ୍କର ଆତ୍ମଜୀବନୀରେ ଏହା ବିଷୟରେ ସାମନ୍ୟ ଟିକିଏ ବର୍ଣ୍ଣନା ବ୍ୟତୀତ ଏହି ଗଳ୍ପର ସ୍ରୋତ ସମ୍ବନ୍ଧରେ ଅନ୍ୟ କୌଣସି ଖିଅ ମିଳେନାହିଁ, ନଚେତ୍ ସମଗ୍ର ଭାରତବର୍ଷରେ ଏହି ସାହିତ୍ୟିକ ବିଭାଗର ସ୍ରଷ୍ଟା ରୂପେ ସେ ବିବେଚିତ ହୋଇଥା’ନ୍ତେ । ୧୮୯୮ରେ ତାଙ୍କ ରଚିତ ’ରେବତୀ’ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା ପ୍ରଥମ ଓଡ଼ିଆ ଗଳ୍ପର ମାନ୍ୟତା ପାଏ । ’ରେବତୀ’ ଗଳ୍ପଟିରେ ଗୋଟିଏ ଛୋଟ ଝିଅର ପାଠ ପଢିବାର ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଫକୀରମୋହନଙ୍କ କାଳଜୟୀ ସୃଷ୍ଟି କ୍ଷୁଦ୍ରଗଳ୍ପଗୁଡିକ ମଧ୍ୟ ରେ ରେବତୀ (୧୮୯୮),ବାଲେଶ୍ୱରୀ ପଙ୍ଗାଲୁଣ (୧୯୦୭),ବାଲେଶ୍ୱରୀ ରାହାଜାନୀ (୧୯୦୭),ମୌନାମୌନୀ (୧୯୦୭),ପୁନର୍ମୂଷିକୋଭବ (୧୯୦୯)
ଡାକମୁନିସୀ (୧୯୧୨),କାଳିକାପ୍ରସାଦ ଗୋରାପ (୧୯୧୩)
କମଳାପ୍ରସାଦ ଗୋରାପ (୧୯୧୩),ଧୂଳିଆ ବାବା (୧୯୧୩),
ପେଟେଣ୍ଟ ମେଡିସିନ (୧୯୧୩),ସୁନାବୋହୂ (୧୯୧୩)
ବିରେଇ ବିଶାଳ (୧୯୧୩),ରାଣ୍ଡିପୁଅ ଅନନ୍ତା (୧୯୧୩)
ବଗଲାବଗୁଲୀ (୧୯୧୪),ସଭ୍ୟ ଜମିଦାର (୧୯୧୪),ଅଜାନାତି କଥା (୧୯୧୫),ମାଧମହାନ୍ତିଙ୍କ କନ୍ୟାସୁନା (୧୯୧୫),
ଅଧର୍ମ ବିତ୍ତ (୧୯୧୫),ପାଠୋଈ ବୋହୂ (୧୯୧୫)
ଗାରୁଡିମନ୍ତ୍ର (୧୯୧୬) । ଏତଦବ୍ୟତୀତ ତାଙ୍କର ଅନେକ ସାରସ୍ଵତ ସୃଷ୍ଟି କବିତା କାଳଜୟୀ ।ତାଙ୍କ ପ୍ରଥମ କବିତା ସଙ୍କଳନ ’ଉତ୍କଳ ଭ୍ରମଣ’ ୧୮୯୨ରେ ପ୍ରକାଶ ପାଇଥିଲା। ତାଙ୍କର ଅନ୍ୟାନ୍ୟ ପଦ୍ୟ କୃତିମାନଙ୍କ ମଧ୍ୟରେ ’ପୁଷ୍ପମାଳା’, ’ଉପହାର’, ’ପୂଜା ଫୁଲ’, ’ପ୍ରାର୍ଥନା’ ଓ ’ଧୂଳି’ ପ୍ରଧାନ । ନିଜସ୍ୱ କୃତି ବ୍ୟତୀତ ସେ ମଧ୍ୟ ସଂସ୍କୃତ ’ମହାଭାରତ’ ଓ ’ରାମାୟଣ’କୁ ଓଡ଼ିଆରେ ଅନୁବାଦ କରିଥିଲେ । ଏ ଦୁଇଟିଯାକ ଆକ୍ଷରିକ ଅନୁବାଦ ନୁହେଁ ବରଂ ଭାବାନୁବାଦ । ତାଙ୍କର ପ୍ରଥମ ସ୍ତ୍ରୀ ରୋଗଶଯ୍ୟାରେ ଥିବାବେଳେ ରାମାୟଣ ଓ ମହାଭାରତକୁ ଓଡ଼ିଆରେ ଶୁଣିବାକୁ ଇଚ୍ଛା କରିବାରୁ ସେ ଏହି ଅନୁବାଦ ଦ୍ୱୟ କରିଥିଲେ । ତେବେ ତାଙ୍କର ଏହି ରଚନା ଦ୍ୱୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବାରୁ ତାଙ୍କର ଏହି ମହତ ପ୍ରଚେଷ୍ଟା ଲାଗି ତାଙ୍କୁ ବ୍ୟାସକବିର ଆଖ୍ୟା ଦିଆଯାଇଛି । ତତ୍କାଳୀନ ବାମରାର ରାଜାଙ୍କଦ୍ୱାରା ସେ ମଧ୍ୟ “ସରସ୍ୱତୀ” ଉପାଧିରେ ଭୂଷିତ ହୋଇଥିଲେ । ୧୮୬୮ରେ ନିଜସ୍ୱ ପ୍ରଚେଷ୍ଟା ବଳରେ ସେ ବାଲେଶ୍ୱରରେ ’ଉତ୍କଳ ପ୍ରେସ’ ନାମରେ ଏକ ଛାପାଖାନା ପ୍ରତିଷ୍ଠା କଲେ, ଯାହା ହେଉଛି ଓଡ଼ିଶାର ଦ୍ୱିତୀୟ ଛାପାଖାନା । ଏହିଠାରୁ ସେ ଓଡ଼ିଆରେ ବିଭିନ୍ନ ପତ୍ରିକା ଓ ସମ୍ବାଦପତ୍ରମାନ ସମ୍ପାଦନା ଓ ପ୍ରକାଶନ କଲେ । ଏଥିମଧ୍ୟରୁ “ବୋଧଦାୟିନୀ”, “ନବସମ୍ବାଦ” ଓ “ସମ୍ବାଦ ବାହିକା” ଆଦି ପ୍ରଧାନ । ପ୍ରଥମାବସ୍ଥାରେ ସେ ପ୍ରକାଶକ, ଲେଖକ, ସମ୍ପାଦକ, ମୁଦ୍ରଣକାରୀ, ବଣ୍ଟନକାରୀ ଏବଂ ମାଲିକ ଥିଲେ । ପରବର୍ତ୍ତୀ ସମୟରେ ସେ ରାଧାନାଥ ରାୟ ଏବଂ ମଧୁସୂଦନ ରାଓଙ୍କୁ ନିଜର ସହକର୍ମୀ ଭାବରେ ନେଇଥିଲେ ଏବଂ ସେମାନେ ବୋଧଦାୟିନୀ ପାଇଁ ଗଳ୍ପ ଲେଖୁଥିଲେ ।ଓଡ଼ିଆ ଭାଷାର ଉନ୍ନତି ଓ ପ୍ରଚାର ନିମନ୍ତେ ସେ ୧୮୬୭ରେ “ଉତ୍କଳ ଭାଷା ଉନ୍ନତି ବିଧାନି ସଭା” ନାମକ ଏକ ସଙ୍ଗଠନ ଗଢ଼ିଥିଲେ । ’ଉତ୍କଳ ସାହିତ୍ୟ ସମାଜର’ ୧୯୧୨ ଓ ୧୯୧୭ର ବାର୍ଷିକ ସଭାରେ ସେ ସଭାପତି ଦାୟିତ୍ୱ ତୁଲାଇଥିଲେ । ୧୯୧୫ ମସିହାରେ ଫକୀରମୋହନ ସତ୍ୟବାଦୀ ବିଦ୍ୟାଳୟକୁ ପରିଭ୍ରମଣରେ ଯାଇଥିଲେ ଏବଂ ସେଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର କାର୍ଯ୍ୟ ଦେଖି ଅତ୍ୟନ୍ତ ଖୁସି ହୋଇଥିଲେ ।
