ପୁରୀ, ୧୪/୦୧ : ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀକ୍ଷେତ୍ର ପୁରୀସ୍ଥିତ ୟୁଥ୍ ହଷ୍ଟେଲ ସଭାକକ୍ଷରେ ଅନୁଷ୍ଠାନ ‘ଶ୍ରୀପର୍ଣ୍ଣା’ ପକ୍ଷରୁ ୩୯ତମ ମକର ମିଳନ, କବିତା ପାଠ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀମତୀ ସୁଜାତା ସିହ୍ନାଙ୍କ ଦ୍ୱାରା ଇଂରାଜୀର ବିଖ୍ୟାତ ଶିଶୁ କିଶୋର ଗଳ୍ପ ପୁସ୍ତକ “ଆରବୀୟ ରଜନୀ”ର ଓଡ଼ିଆ ଅନୁବାଦ “ଆରବୀୟ ରଜନୀ କାହାଣୀ” ଲୋକାର୍ପିତ ହୋଇଛି।
ସାରସ୍ୱତ ଆସରର ଶୁଭାରମ୍ଭ
ପ୍ରଖ୍ୟାତ ପ୍ରାବନ୍ଧିକ ତଥା ସମାଲୋଚକ ପ୍ରଫେସର ଡକ୍ଟର ହରପ୍ରସାଦ ମିଶ୍ର ପ୍ରଦୀପ ପ୍ରଜ୍ୱାଳନ କରି ଏହି ଆସରକୁ ଉଦଘାଟନ କରିଥିଲେ। ଅତିଥି ଭାବେ ଶିଶୁ ସାହିତ୍ୟିକ ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ବିଦୁଷୀ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ର ଓ ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଡଃ ମିଶ୍ର ଓ ସମ୍ମାନିତ ଅତିଥି ଶ୍ରୀମତୀ ବିଜୟଲକ୍ଷ୍ମୀ ବ୍ୟାସକବି ଫକୀର ମୋହନଙ୍କ ସ୍ମୃତି ଚାରଣ କରିଥିବା ବେଳେ ଡଃ ଖୁଣ୍ଟିଆ ଲୋକାର୍ପିତ ପୁସ୍ତକର ସମୀକ୍ଷା କରି ଏହା ଶିଶୁ କିଶୋରଙ୍କ ପାଇଁ ଏକ ଯଥାର୍ଥ କୃତି ବୋଲି ମତ ଦେଇଥିଲେ। ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର ସଭା ପରିଚାଳନା କରିଥିଲେ।
ମକର ଚାଉଳର ସ୍ୱାଦ ଓ କବିତା ଆସର
ପାରମ୍ପରିକ “ମକର ଚାଉଳ” ପରିବେଷଣ ଓ ମଧ୍ୟାହ୍ନ ଭୋଜନ ପରେ ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠ ଅନୁଷ୍ଠିତ ହୋଇଥିଲା। କବି ଶ୍ରୀମତୀ ସୌଭାଗ୍ୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସରରେ କବି ଯୋଗେଶ ପ୍ରସାଦ ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀମତୀ ମମତା ଦାସ ଓ ଶ୍ରୀମତୀ ସୁଜାତା ସିହ୍ନା କବିତା ପାଠକୁ ସଂଯୋଜନା କରିଥିଲେ।
କବି ଓ ପ୍ରତିଭାଙ୍କ ମହାମେଳି
ଏହି ସାରସ୍ୱତ ସମାରୋହରେ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ଡକ୍ଟର ରବୀନ୍ଦ୍ର କୁମାର ପ୍ରଧାନ, କମଳ ଦାସ, ଡକ୍ଟର ସସ୍ମିତା ମିଶ୍ର, ନିଶିଥ ବୋଷ, ଶ୍ରୀମତୀ ଜୟନ୍ତୀ ନନ୍ଦଙ୍କ ସମେତ ରାଜ୍ୟର ଅନେକ ପ୍ରତିଷ୍ଠିତ କବି ଓ ସାହିତ୍ୟିକ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ। ଉପସ୍ଥିତ ସମସ୍ତ କବିଙ୍କୁ ଅନୁଷ୍ଠାନ ତରଫରୁ ଉପହାର ପ୍ରଦାନ କରାଯାଇଥିଲା।
ଶେଷରେ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ‘ଶ୍ରୀପର୍ଣ୍ଣା’ର ସମ୍ପାଦକ ଉମାକାନ୍ତ ମହାପାତ୍ର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।
