ଝାରସୁଗୁଡ଼ା, ୨୦/୦୧: ଭାରତୀୟ ଜନତା ପାର୍ଟିର ନୂତନ ରାଷ୍ଟ୍ରୀୟ ସଭାପତି ଭାବେ ନିତିନ ନବୀନ ଦାୟିତ୍ୱ ଗ୍ରହଣ କରିଥିବାରୁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି। ଜଣେ ଦକ୍ଷ ସଂଗଠକ ତଥା ଯୁବ ନେତାଙ୍କ ହାତକୁ ଦଳର ନେତୃତ୍ବ ଯାଇଥିବାରୁ ଏହା ବିଜେପିକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଶ୍ରୀ ତ୍ରିପାଠୀ ଆଶା ବ୍ୟକ୍ତ କରିଛନ୍ତି।
ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ନୀତିନ ନବୀନଙ୍କ ନେତୃତ୍ୱରେ ଦଳ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ଼ ହେବା ସହ ସାଂଗଠନିକ ଦୃଢ଼ତା ବୃଦ୍ଧି ପାଇବ। ନିତିନଜୀଙ୍କର ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତା ଏବଂ ଦୂରଦର୍ଶୀ ରଣନୀତି ଆଗାମୀ ଦିନରେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ନୂତନ ଉର୍ଜା ଭରିବ ବୋଲି ସେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ନବ ନିର୍ବାଚିତ ଅଧ୍ୟକ୍ଷଙ୍କ ସଫଳ କାର୍ଯ୍ୟକାଳ ନିମନ୍ତେ ଶ୍ରୀ ତ୍ରିପାଠୀ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଯେ, ମା’ଙ୍କ ଆଶୀର୍ବାଦରୁ ନିତିନ ଜୀଙ୍କ ସାରଥ୍ୟରେ ବିଜେପି ନୂତନ ଉଚ୍ଚତା ଛୁଇଁବା ସହ ଦେଶ ଓ ଜନସାଧାରଣଙ୍କ ସେବାରେ ନିଜକୁ ଅଧିକ ଜନସମର୍ପିତ କରିବ।
ସୂଚନାଯୋଗ୍ୟ ଯେ, ନୀତିନ ନବୀନ ବିଜେପି ସହ ଅତି ନିବିଡ଼ ଭାବେ ଜଡ଼ିତ ଥିଲେ। ବିଶେଷ କରି ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିହାରରେ ରଣନୀତି ପ୍ରସ୍ତୁତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା, ଯେଉଁଥିରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ ହୋଇଥିଲା। ତେଣୁ ତାଙ୍କର ଏହି ନିଯୁକ୍ତିରେ ଓଡ଼ିଶାର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅତ୍ୟଧିକ ଆନନ୍ଦ ପ୍ରକାଶ ପାଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି ।
