ପାଠ ପଢ଼ାବେଳେ, ହିଂସା, ନିଶାର ବିଷ; କାହାର ଅବହେଳା ପାଇଁ ବଳି ପଡ଼ୁଛି ଶୈଶବ?

ପାଠ ପଢ଼ାବେଳେ, ହିଂସା, ନିଶାର ବିଷ; କାହାର ଅବହେଳା ପାଇଁ ବଳି ପଡ଼ୁଛି ଶୈଶବ?

କନ୍ଧମାଳରୁ ନୟାଗଡ଼— ବ୍ରହ୍ମପୁରରୁ ବାଲେଶ୍ବର ଚିତ୍ର ସମାନ, କେବଳ ଚରିତ୍ର ବଦଳିଛି। ସପ୍ତମରୁ ନବମ,ଦଶମ ଶ୍ରେଣୀର ଛାତ୍ରମାନେ ପିଟା ପିଟି ହେବା ଏବଂ ନିଶା ପିଇ ମାତାଲ ହେବାର ଚିତ୍ର ବାରମ୍ବାର ଆସୁଛି । ବିଦ୍ୟାଳୟ ପରିସରରେ ମଦ୍ୟପାନ କରି ଅଚେତ ହୋଇ ପଡ଼ିବା କେବଳ ଏକ ଖବର ନୁହେଁ, ବରଂ ଏହା ଏକ ସାମାଜିକ ସଂକ୍ରମଣର ଭୟଙ୍କର ସୂଚନା। ଯେଉଁ ବୟସରେ ପିଲାଙ୍କ ହାତରେ କଲମ ଓ ବହି ରହିବା କଥା, ସେହି ବୟସରେ ହଣା କଟା ହେବା ଏବଂ ନିଶାର କରାଳ ଗ୍ରାସରେ ସେମାନେ ଛଟପଟ ହେବା ଆମ ସଭ୍ୟ ସମାଜ ଓ ଶିକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କିଛିଦିନ ତଳେ  ଟିକାବାଲିରେ ଦୁଇଜଣ ନବମ ଶ୍ରେଣୀର ଛାତ୍ର ମଦ ପିଇ ବଜାରରେ ଅଚେତ ହୋଇ ପଡ଼ିଥିବା ଭିଡିଓ ଭାଇରାଲ ହୋଇଥିଲା । ଏବେ ସେମିତି ଆଉ ଏକ ବିଦ୍ୟାଳୟର ଘଟଣା ସାମ୍ନାକୁ ଆସିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ଏନସି ଅନ୍ତର୍ଗତ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଦୁଇ ଛାତ୍ର ମଦ୍ୟପାନ କରି ଆସିଥିବା ବେଳେ ଚେତାଶୂନ୍ୟ ହୋଇପଡିଛନ୍ତି । ଆମର ସ୍ବପ୍ନ ରହିଛି ମଦ ବନ୍ଦ କରାଯାଉ । କିନ୍ତୁ ମଦ ଦୋକାନ ଖୋଲିବା ପାଇଁ ଯେପରି ପ୍ରତିଯୋଗିତା ଚାଲିଛି ତାହା ହିଁ ଆଗାମୀ ପିଢ଼ିକୁ ନଷ୍ଟ କରିବ ।

ଦୋଷ କାହାର?

ଦଶପଲ୍ଲା ଘଟଣାରେ ପ୍ରଧାନଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଯେଉଁ ଆରୋପ-ପ୍ରତ୍ୟାରୋପ ଚାଲିଛି, ତାହା ପ୍ରକୃତ ସମସ୍ୟାକୁ ଦବାଇ ଦେବାର ଏକ ଅପଚେଷ୍ଟା ମାତ୍ର। ପିଲା ଘରୁ ପିଇକି ଆସିଥାଉ କିମ୍ବା ସ୍କୁଲରେ ବସି ପିଇଥାଉ, ଉଭୟ କ୍ଷେତ୍ରରେ ପରିଚାଳନାଗତ ତ୍ରୁଟି ସ୍ପଷ୍ଟ। ଯଦି ସ୍କୁଲ ପରିସରରେ ପିଲା ନିଶା ସେବନ କରୁଛି, ତେବେ ଶିକ୍ଷକଙ୍କ ନଜର କୁଆଡ଼େ ଯାଇଥିଲା? ଆଉ ଯଦି ଘରୁ ପିଇକି ଆସୁଛି, ତେବେ ପରିବାର ଲୋକେ କିଭଳି ଜାଣିପାରିଲେ ନାହିଁ? କେବଳ ଟିସି (TC) ଦେଇ ବିଦ୍ୟାଳୟରୁ ବାହାର କରିଦେବା ସମାଧାନ ନୁହେଁ, ବରଂ ଏହା ସେହି କୋମଳମତି ଶିଶୁଙ୍କୁ ଅପରାଧ ଓ ନିଶା ଦୁନିଆକୁ ଆହୁରି ପାଖକୁ ଠେଲିଦେବା ସହ ସମାନ।

ନିଶାର ‘ବିଷବଳୟ’ ଓ ପ୍ରଶାସନିକ ନୀରବତା

ବିଦ୍ୟାଳୟ ନିକଟରେ ବେଆଇନ ମଦ ଓ ନିଶା ଦ୍ରବ୍ୟର ଉପଲବ୍ଧତା ଏହି ସମସ୍ୟାର ମୂଳ କାରଣ। ଅବକାରୀ ବିଭାଗ ଓ ପୁଲିସ ପ୍ରଶାସନ ଯଦି ସକ୍ରିୟ ଥାଆନ୍ତା, ତେବେ ସ୍କୁଲ ବ୍ୟାଗ୍‌ରେ ମଦ ବୋତଲ ପହଞ୍ଚି ନଥାନ୍ତା। ଅନ୍ୟପଟେ, ସୋସିଆଲ ମିଡିଆ ଓ ଚଳଚ୍ଚିତ୍ରରେ ନିଶା ସେବନକୁ ଯେଉଁଭଳି ‘ଷ୍ଟାଇଲ୍’ ଭାବେ ପ୍ରଦର୍ଶିତ କରାଯାଉଛି, ତାହା ପିଲାଙ୍କୁ ବିପଥଗାମୀ କରୁଛି।

ଆମକୁ କେବଳ ଶିକ୍ଷା ନୁହେଁ, ବରଂ ‘ନୈତିକ ସଂସ୍କାର’ ଉପରେ ଗୁରୁତ୍ୱ ଦେବାକୁ ହେବ। ପ୍ରତିଟି ଶିକ୍ଷକ ଓ ଅଭିଭାବକ ପିଲାଙ୍କ ବ୍ୟବହାରରେ ଆସୁଥିବା ସୂକ୍ଷ୍ମ ପରିବର୍ତ୍ତନକୁ ପରଖିବା ଜରୁରୀ। ବିଦ୍ୟାଳୟର ୫୦୦ ମିଟର ପରିଧି ମଧ୍ୟରେ କୌଣସି ନିଶା ଦ୍ରବ୍ୟ ବିକ୍ରି ହେଲେ ସମ୍ପୃକ୍ତ ଥାନାଧିକାରୀ ଓ ଅବକାରୀ ଅଧିକାରୀଙ୍କୁ ଦାୟୀ କରାଯାଉ। ପିଲାଙ୍କୁ ଦଣ୍ଡ ନୁହେଁ, ବରଂ ଭଲପାଇବା ଓ ପରାମର୍ଶ ମାଧ୍ୟମରେ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ଚେଷ୍ଟା କରାଯାଉ। ଆଜି ଯଦି ଆମେ ସତର୍କ ନହେବା, ତେବେ ଆଗାମୀ ପିଢ଼ି ନିଶାଗ୍ରସ୍ତ ଓ ଶକ୍ତିହୀନ ହୋଇପଡ଼ିବ। ଏହା କେବଳ ସରକାର କିମ୍ବା ବିଦ୍ୟାଳୟର ଦାୟିତ୍ୱ ନୁହେଁ, ବରଂ ଏକ ସମୂହ ସାମାଜିକ ଦାୟିତ୍ୱ। ଶିକ୍ଷାୟତନକୁ ନିଶାମୁକ୍ତ କରିବା ପାଇଁ ଆମକୁ ‘ଜନ ଆନ୍ଦୋଳନ’ କରିବାକୁ ପଡ଼ିବ। ନଚେତ୍, ବିକଶିତ ଓଡ଼ିଶାର ସ୍ୱପ୍ନ କେବଳ ସ୍ଲୋଗାନରେ ହିଁ ରହିଯିବ।

Posted in ରାଜ୍ୟ, ସମ୍ପାଦକୀୟ.