ଆଜି ଜାଗର। ଦେବାଧି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ । ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ । ସଜେଇ ହୋଇଛି ରାଜ୍ୟ ତଥା ଦେଶର ତମାମ ଶିବ ମନ୍ଦିର । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଠାରୁ ଆରମ୍ଭ କରି ସଠିକ ସମୟରେ ସମସ୍ତ ନୀତି ସମ୍ପାଦନ ଓ ମହାଦୀପ ଉଠିବା ନେଇ ନୀତିନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସହମତି ହୋଇଛି । ଆଠଗଡ଼ର ଆରାଧ୍ୟ ବାବା ଧବଳେଶ୍ବରଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଜମିଛି । କେତକୀ ଫୁଲରେ ସଜେଇ ହୋଇ ବଡ଼ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର ।
ବଲାଙ୍ଗୀରର ହରିଶଙ୍କର, ଢେଙ୍କାନାଳର କପିଳାସ, ଆରଡ଼ିର ଆଖଣ୍ଡଳମଣି, କୋରାପୁଟର ଗୁପ୍ତେଶ୍ବର ପୀଠ ସମେତ ରାଜ୍ୟର ସମସ୍ତ ଶୈବପୀଠରେ ମହାଶିବରାତ୍ରୀ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କ ପ୍ରମୁଖ ପର୍ବ ଗୁଡ଼ିକ ମଧ୍ୟରୁ ଅନ୍ୟତମ ମହାଶିବରାତ୍ରି । ଜାଗର ତିଥିରେ ରାତି ତମାମ ଉଜାଗର ରହି ପଶୁପତି ମହାଦେବ ଭୋଳାଶଙ୍କରଙ୍କୁ ମନରେ ସ୍ମରଣ କରି ଦୀପ ଜାଳିଥାନ୍ତି ଶ୍ରଦ୍ଧାଳୁ ।
ମହାଶିବରାତ୍ରୀରେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପବିତ୍ର ମହାଶିବରାତ୍ରି ତଥା ଜାଗର ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରର ବିଭିନ୍ନ ପ୍ରାଚୀନ ଶୈବପୀଠ ଦର୍ଶନ କରିବା ସହ ପ୍ରଭୁ ମହାଦେବଙ୍କ ନିକଟରେ ଜନସାଧାରଣଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ।

ମନ୍ତ୍ରୀ ଶ୍ରୀ ପ୍ରଧାନ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ସମସ୍ତ ଦେଶବାସୀ ତଥା ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଶ୍ରୀ ପ୍ରଧାନ ଆଜି ସନ୍ଧ୍ୟାରେ ସମ୍ବଲପୁରର ପ୍ରସିଦ୍ଧ ମାନେଶ୍ୱର ସ୍ଥିତ ମାନଧାତା ମହାଦେବ ମନ୍ଦିର ପରିଦର୍ଶନ କରିଥିଲେ । ସେଠାରେ ସେ ମହାଦେବଙ୍କ ଦର୍ଶନ କରିବା ସହ ଦୀପ ପ୍ରଜ୍ୱଳନ କରି ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ନନ୍ଦପଡ଼ା ସ୍ଥିତ ପ୍ରାଚୀନ ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର ଏବଂ ବାଲିବନ୍ଧ ଶିବ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ଲାଭ କରିଥିଲେ । ପ୍ରଭୁ ଶିବଙ୍କ ଆଶୀର୍ବାଦରେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶାର ସଂକଳ୍ପ ସାକାର ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି।

