ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଶିକ୍ଷା ମନ୍ତ୍ରୀ ଶ୍ରୀ ଆଶିଷ ସୁଦଙ୍କ କରକମଳରେ ଆଜି ଦିଲ୍ଲୀରେ ୭୫ଟି ‘ସିଏମ୍ ଶ୍ରୀ’ (CM Shri) ସ୍କୁଲର ଶୁଭାରମ୍ଭ ହୋଇଯାଇଛି। ଏହାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଦିଲ୍ଲୀ ସରକାରଙ୍କୁ ଢ଼େର ପ୍ରଶଂସା କରିଛନ୍ତି । ଏହି ଅବସରରେ ସରୋଜିନୀ ନଗରଠାରେ ଏକ ଅତ୍ୟାଧୁନିକ ‘ସିଏମ୍ ଶ୍ରୀ’ ସ୍କୁଲର ଉଦ୍ଘାଟନ କରାଯାଇଛି। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଏହି ବିଶାଳ ଲକ୍ଷ୍ୟକୁ ପୂରଣ କରିବା ଦିଲ୍ଲୀ ସରକାରଙ୍କ ସ୍ପଷ୍ଟ ଦୂରଦୃଷ୍ଟି ଏବଂ ଦକ୍ଷ କାର୍ଯ୍ୟକାରିତାର ପ୍ରମାଣ ଦେଉଛି। ଏହି ବିଦ୍ୟାଳୟଗୁଡ଼ିକ ମାଧ୍ୟମରେ ପ୍ରତିଟି ଶିଶୁଙ୍କୁ ସମାନ ସୁଯୋଗ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ। ‘ସିଏମ୍ ଶ୍ରୀ’ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନେକ ଆଧୁନିକ ସୁବିଧା ଉପଲବ୍ଧ କରାଯାଇଛି । ବିଦ୍ୟାଳୟଗୁଡ଼ିକୁ ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ କରାଯାଇଛି। ସ୍ମାର୍ଟ କ୍ଲାସରୁମ୍ ମାଧ୍ୟମରେ ପିଲାମାନେ ଡିଜିଟାଲ୍ ଶିକ୍ଷା ପାଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷା ସଂସ୍କାରକୁ ଆଗକୁ ବଢ଼ାଇ ଏହି ବିଦ୍ୟାଳୟଗୁଡ଼ିକୁ ନୂଆ ଶିକ୍ଷା ନୀତି ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀର ସମସ୍ତ ପିଲା, ଅଭିଭାବକ ଏବଂ ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି। ଦିଲ୍ଲୀର ଏହି ଶିକ୍ଷା ମଡେଲ ଆଗାମୀ ଦିନରେ ଦେଶ ପାଇଁ ଏକ ଉଦାହରଣ ସାଜିବ ବୋଲି ଆଶା କରାଯାଉଛି।

ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ: ୭୫ଟି ‘ସିଏମ୍ ଶ୍ରୀ’ ସ୍କୁଲର ଶୁଭାରମ୍ଭ, ସରୋଜିନୀ ନଗରରେ ଅତ୍ୟାଧୁନିକ ବିଦ୍ୟାଳୟ ଉଦ୍ଘାଟିତ
Posted in ଦେଶ ବିଦେଶ.