ଦିଲ୍ଲୀରେ ଓଡ଼ିଶାର ଦବଦବା: ‘ଇଣ୍ଡିଆ ଏଆଇ ସମ୍ମିଳନୀ’ରେ କୋଣାର୍କ ଚକ ଓ AIର ସମନ୍ୱୟ, ପ୍ରଶଂସା କଲେ ଅଶ୍ୱିନୀ ବୈଷ୍ଣବ

ଦିଲ୍ଲୀରେ ଓଡ଼ିଶାର ଦବଦବା: ‘ଇଣ୍ଡିଆ ଏଆଇ ସମ୍ମିଳନୀ’ରେ କୋଣାର୍କ ଚକ ଓ AIର ସମନ୍ୱୟ, ପ୍ରଶଂସା କଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଚାଲିଥିବା ବିଶ୍ୱର ସର୍ବବୃହତ୍‌ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ’ରେ ଓଡ଼ିଶାର ଜୟଯାତ୍ରା ଦେଖିବାକୁ ମିଳିଛି। ସମ୍ମିଳନୀର ହଲ୍ ନମ୍ବର ୫ରେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ସ୍ଥାପିତ ପାଭିଲିୟନ ପରିଦର୍ଶକଙ୍କ ମନ ମୋହିଛି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପାଭିଲିୟନ ପରିଦର୍ଶନ କରି ଏଆଇ (AI) କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତିକୁ ଭୂୟସୀ ପ୍ରଶଂସା କରିଛନ୍ତି। ଓଡ଼ିଶା ପାଭିଲିୟନର ମୁଖ୍ୟ ଆକର୍ଷଣ ପାଲଟିଛି ବିଶ୍ୱପ୍ରସିଦ୍ଧ କୋଣାର୍କ ଚକ। ଏହି ଚକ କେବଳ ପ୍ରାଚୀନ ଇଞ୍ଜିନିୟରିଂର ନିଦର୍ଶନ ନୁହେଁ, ବରଂ ଏହା ଆଜିର ଯୁଗର ଡାଟା ଆନାଲିଟିକ୍ସ ଓ ମେସିନ ଲର୍ଣ୍ଣିଂର ସୂକ୍ଷ୍ମ ଗଣନାକୁ ପ୍ରତିଫଳିତ କରୁଛି। ଐତିହ୍ୟ ସହ ଆଧୁନିକତାର ଏହି ସମନ୍ୱୟକୁ ଦେଖି ପରିଦର୍ଶକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ପାଭିଲିୟନରେ ଆଦିବାସୀ ଚିତ୍ରକଳା (ସୌରା ପେଣ୍ଟିଂ) ଏବଂ ଓଡ଼ିଆ ସଂସ୍କୃତିର ସୁନ୍ଦର ଚିତ୍ରଣ କରାଯାଇଛି। ରାଜ୍ୟର ବିଭିନ୍ନ ସରକାରୀ ବିଭାଗରେ କିଭଳି କୃତ୍ରିମ ବୁଦ୍ଧିମତା (AI) ବ୍ୟବହାର କରି ଶାସନ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଦକ୍ଷ କରାଯାଇଛି, ତାହାର ସଫଳ ରୂପାୟନ ପାଭିଲିୟନରେ ପ୍ରଦର୍ଶିତ ହୋଇଛି। ନାଗରିକମାନଙ୍କୁ ସିଧାସଳଖ ସେବା ଯୋଗାଇବା ଏବଂ ସରକାରୀ ସୁବିଧାରେ ଉନ୍ନତି ଆଣିବାରେ ଓଡ଼ିଶା କିଭଳି AIର ପ୍ରୟୋଗ କରୁଛି, ତାହା ବିଶ୍ୱସ୍ତରୀୟ ନେତାମାନଙ୍କୁ ଅବଗତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାର ଏହି ଡିଜିଟାଲ୍ ରୂପାନ୍ତରଣକୁ ଦେଖି କହିଛନ୍ତି ଯେ, ଏଆଇ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ଏବଂ ଏହା ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ ସାଜିବ।

Posted in ଦେଶ ବିଦେଶ.