“ରୋଦର”- ଆମ ଗାଁ

“ରୋଦର” ଆମ ଗାଁ ଓ ଅନ୍ୟ ଗ୍ରାମ ରେ ଆଉ ଦେଖିବାକୁ ମିଳୁନାହିଁ । ଦିନେ ଏହାକୁ ବହୁଳ ଭାବରେ ଚାଷ କାମରେ ବ୍ୟବହାର କରାଯାଉଥିଲା। ଧାନ ଫସଲ କରିବା ପୂର୍ବରୁ ଏହି ରୋଦର୍ ମାଧ୍ୟମରେ ଗୋବର ବା ଖତ ବିଲକୁ ନିଆ ଯାଉଥିଲା। କିନ୍ତୁ ଆଜି ଆଉ ଦେଖିବାକୁ ମିଳୁନାହିଁ ।

ଏହା ଖାଲି ଖତ ବୁହା କାର୍ଯ୍ୟ ରେ ବ୍ୟବହାର ହୁଏନି ସବୁ କାମ ରେ ଲାଗି ଥାଏ ଯଥା – ଧାନ, ମୁଗ ବିରି, ନବା ଆଣିବା, ମାଟି,ପଥର ଗୁଣ୍ଡ, ମଧ୍ୟ ଏଥିରେ ଅଣାଯାଇ ଥାଏ। ମୁଁ ମଧ୍ୟ ହେଖିଛି, ପୋଖରୀ ରୁ ମାଛ ଧରା ବେଳେ ମଧ୍ୟ ରୋଦର ର ବ୍ୟବହାର ହୋଇଥାଏ,ଆଖୁ ରୁ ଗୁଡ଼ ହୋଇ ସାରିଲା ପରେ ରୋଦର ରେ ଗୁଡ଼ ହାଣ୍ଡି ଲୋଡ କରା ଯାଇ ଘରକୁ ଅଣାଯାଏ।

ବର୍ତ୍ତମାନ ବିଜ୍ଞାନ ଯୁଗରେ ବାସ କରୁଛି ମଣିଷ। ପୁରଠୁ ପଲ୍ଲୀ ସବୁଠି ଆଧୁନିକତାର ଛାପ। ଦିନ ଥିଲା ଶଗଡ଼ ଗାଡ଼ି ଯାତ୍ରୀ ପରିବହନଠାରୁ ଆରମ୍ଭ କରି ମାଲ ପରିବହନ ପାଇଁ ଏକମାତ୍ର ମାଧ୍ୟମ ଥିଲା। ଅଧିକାଂଶ ଘରେ ବଳଦ, ଲଙ୍ଗଳ ଓ ଶଗଡ଼ ଗାଡ଼ି ଥିବାର ଦେଖିବାକୁ ମିଳୁଥିଲା। ଗ୍ରାମୀଣ ଜୀବନରେ ମଧ୍ୟ ଆଧୁନିକତାର ଚାକଚକ୍ୟରେ ଏହା ହଜିଗଲାଣି।

ବିଜ୍ଞାନର ଅଗ୍ରଗତି ଏବଂ ଯନ୍ତ୍ର ଯୁଗର ଆଗମନ ପରେ ଏକଦା ଚାଷୀ ପାଇଁ ନିତାନ୍ତ ଆବଶ୍ୟକ ଥିବା ବଳଦ, ଲଙ୍ଗଳ ଓ ଶଗଡ଼ ଗାଡ଼ି ଅଲୋଡ଼ା ହେବାରେ ଲାଗିଛି।

ଆଗକାଳର ଚାଷୀ ସୂର୍ଯ୍ୟ ଉଇଁଲା ମାତ୍ରେ ବଳଦ ଓ ଲଙ୍ଗଳ ସହ କ୍ଷେତକୁ ବାହାରି ପଡ଼ୁଥିଲେ। କ୍ଷେତ କାମ ସାରି ପୁଣି ସୂର୍ଯ୍ୟ ନଇଁଲେ ନଡ଼ା, କ୍ଷେତର ଫସଲ ଧରି ଶଗଡ଼ ଗାଡ଼ିରେ ଘର ମୁହାଁ ହେଉଥିଲେ। ହେଲେ ଏସବୁ ଏବେ ସ୍ମୃତି ହୋଇ ରହିଯାଇଛି, ପୁରୁଣାକାଳିଆ ଶଗଡ଼ର ସ୍ଥାନ ନେଇଛି ଆଧୁନିକ ଯନ୍ତ୍ରପାତି।

ଜମିରେ ଲଙ୍ଗଳ ବଦଳରେ ବୁଲୁଛି ଟ୍ରାକ୍ଟର, ପାଓ୍ବାର ଟିଲର ଓ ହାର୍ଭେଷ୍ଟର ଭଳି ଆଧୁନିକ ଯନ୍ତ୍ରପାତି। ଏହି ଯାନ୍ତ୍ରିକ ଗାଡ଼ିର ଘଡ଼ ଘଡ଼ କର୍କଶ ଶବ୍ଦରେ କାନ ଫାଟିଯାଉଛି। ଆଉ ଏଥିରୁ ବାହାରୁଥିବା କଳାଧୂଆଁ ପରିବେଶକୁ ପ୍ରଦୂଷିତ କରୁଛି। ମାତ୍ର ଏହା ଚାଷୀ ପାଇଁ ଧାନ ଅମଳ ଏବଂ ପରିବହନ କରିବା ସହଜ ହେଉଛି। ସେଥିପାଇଁ ଯାନ୍ତ୍ରିକ ଗାଡ଼ିର ବ୍ୟବହାର ଅଧିକ ହେଉଛି।

ଯେତେବେଳେ ଗାଁ ରେ ଅଟୋ ବା ମଟର ସାଇକେଲ ନ ଥିଲା, ସେତେବେଳେ ଏହି ରୋଦର ମାଧ୍ୟମରେ ବସି ଅନ୍ୟ ଗ୍ରାମ, ବଜାର କୁ ଯିବା ଆସିବା କରିବାପାଇଁ ଏକ ପ୍ରକୃଷ୍ଟ ମାଧ୍ୟମ ଥିଲା।

ହଳ ଲଙ୍ଗଳ, ଶଗଡ଼ ଆଜିି ସ୍ମୃତି ପାଲଟି ଯାଇଛି। ରାତିର ଘନ ଅନ୍ଧାରରେ ଶଗଡ଼ର କେଁ କଟର ଶବ୍ଦ ଶୁଭୁନି କି ଶଗଡ଼ିଆ ଗୀତ ଗାଉନି। କାଠରେ ନିର୍ମିତ ପ୍ରଦୂଷଣବିହୀନ ପ୍ରାଚୀନ ପରିବହନ ଯନ୍ତ୍ର ଏବେ ଅଲୋଡ଼ା ହୋଇପଡ଼ିଛି।

ଗ୍ରାମାଞ୍ଚଳରେ କାଁ ଭାଁ ସ୍ବାବଲମ୍ବୀ ଚାଷୀ ବଳଦ, ହଳ, ଲଙ୍ଗଳ ରଖିଥିବା ବେଳେ ଶଗଡ଼ ଗାଡ଼ିରେ ଧାନ କ୍ଷେତରୁ ଧାନ ଅମଳ କରି ଖଳାକୁ ଆଣୁଥିବାର ବିରଳ ଦୃଶ୍ୟ କ୍ୱଚିତ୍ ଦେଖିବାକୁ ମିଳୁଛି।

ବିମ୍ବାଧର

ନିରାକାରପୁର

Posted in ରାଜ୍ୟ.