କଠିନ ପରିଶ୍ରମ ଓ ନୂତନ ଚିନ୍ତାଧାରା ପ୍ରକୃତ ସଫଳତାର ଚାବିକାଠି – ଧର୍ମେନ୍ଦ୍ର ପ୍ରଧାନ

କଠିନ ପରିଶ୍ରମ ଓ ନୂତନ ଚିନ୍ତାଧାରା ପ୍ରକୃତ ସଫଳତାର ଚାବିକାଠି – ଧର୍ମେନ୍ଦ୍ର ପ୍ରଧାନ

‘ମନ୍ କୀ ବାତ୍’ରେ ଓଡ଼ିଶାର ଜୟଗାନ: ସୁନ୍ଦରଗଡ଼ର ଯୁବ ଚାଷୀ ହୀରୋଦଙ୍କୁ ମୋଦୀଙ୍କ ପ୍ରଶଂସା, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପୁଣିଥରେ ଜାତୀୟ ସ୍ତରରେ ଚମକିଛି ଓଡ଼ିଶାର ପ୍ରତିଭା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୩୧ତମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ରତନପୁରର ଯୁବ ଚାଷୀ ହୀରୋଦ ପଟେଲଙ୍କ ଅଭିନବ କୃଷି ପ୍ରଣାଳୀକୁ ପ୍ରଶଂସା କରିଛନ୍ତି। ଏହି ସଫଳତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ହୀରୋଦ ଓଡ଼ିଶାକୁ ଗର୍ବିତ କରିଛନ୍ତି ବୋଲି କହିଛନ୍ତି।

ହୀରୋଦଙ୍କ ‘ମଲ୍ଟି-ଲେୟାର’ କୃଷି ମଡେଲ:

ହୀରୋଦ ନିଜ ପିତାଙ୍କ ସହ ମିଶି ପାରମ୍ପରିକ ଧାନ ଚାଷ ବଦଳରେ ଆଧୁନିକ ଜ୍ଞାନକୌଶଳକୁ ଆପଣାଇଛନ୍ତି। ସେ ପୋଖରୀରେ ମତ୍ସ୍ୟ ଚାଷ କରିବା ସହ ତା’ ଉପରେ ଭାଡ଼ି କରି ଲାଉ ଓ ବିଭିନ୍ନ ପନିପରିବା ଚାଷ କରୁଛନ୍ତି। ଏହି ‘ଏକୀକୃତ କୃଷି ପ୍ରଣାଳୀ’ ମାଧ୍ୟମରେ ସେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇ ଯୁବ ସମାଜ ପାଇଁ ଆଦର୍ଶ ସାଜିଛନ୍ତି।

AI ସମିଟ୍ ଓ ପ୍ରଯୁକ୍ତିବିଦ୍ୟା:

ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସମ୍ପ୍ରତି ଅନୁଷ୍ଠିତ ‘ଏଆଇ ଇମ୍ପାକ୍ଟ ସମିଟ’ରେ ଭାରତର ନବସୃଜନ କ୍ଷମତା ସାରା ବିଶ୍ୱକୁ ଚକିତ କରିଛି। ଅମୂଲ ବୁଥରେ ଏଆଇ ସହାୟତାରେ ଚାଷୀମାନେ ପଶୁ ସ୍ୱାସ୍ଥ୍ୟ ଓ ଡାଏରୀ ପରିଚାଳନାରେ ସଶକ୍ତ ହେଉଛନ୍ତି। ଏହାସହ ଏଆଇ ମାଧ୍ୟମରେ ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିର ସଂରକ୍ଷଣ ଭାରତର ସାଂସ୍କୃତିକ ଶକ୍ତିକୁ ଦର୍ଶାଉଛି।

ଛାତ୍ରଛାତ୍ରୀଙ୍କୁ ‘ପରୀକ୍ଷା ଯୋଦ୍ଧା’ ବାର୍ତ୍ତା:

ଆଗକୁ ପରୀକ୍ଷା ଥିବାରୁ ବିଦ୍ୟାର୍ଥୀମାନଙ୍କୁ ‘ପରୀକ୍ଷା ଯୋଦ୍ଧା’ ଭାବେ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ସଫଳତାର ମାପକାଠି କେବଳ ମାର୍କ ନୁହେଁ। ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଅନୁଯାୟୀ, ବିଦ୍ୟାର୍ଥୀମାନେ ଧୈର୍ଯ୍ୟର ସହ ପ୍ରସ୍ତୁତ ହୋଇ ଶାନ୍ତ ମନରେ ପରୀକ୍ଷା ଦେବା ଉଚିତ।

Posted in ରାଜ୍ୟ.