ଓଡ଼ିଶା ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି: ଫେବୃଆରୀ ୨୬ରୁ ନାମାଙ୍କନ, କାହା କବ୍ଜାରେ ରହିବ ଚତୁର୍ଥ ଆସନ?
ଭୁବନେଶ୍ୱର: ଓଡ଼ିଶାରୁ ରାଜ୍ୟସଭା ଯିବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା। ଆସନ୍ତା ଏପ୍ରିଲ ୨ ତାରିଖରେ ଓଡ଼ିଶାରୁ ୪ ଜଣ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଏହି ଖାଲି ପଦବୀ ପୂରଣ ପାଇଁ ନିର୍ବାଚନ କମିଶନ ପ୍ରସ୍ତୁତି ସାରିଛନ୍ତି। ଆସନ୍ତା ଫେବୃଆରୀ ୨୬ ରେ ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବ।
ନିର୍ବାଚନ କାର୍ଯ୍ୟସୂଚୀ:
- ବିଜ୍ଞପ୍ତି ଓ ନାମାଙ୍କନ ଆରମ୍ଭ: ଫେବୃଆରୀ ୨୬
- ନାମାଙ୍କନ ଦାଖଲର ଶେଷ ତାରିଖ: ମାର୍ଚ୍ଚ ୫
- ନାମାଙ୍କନ ଯାଞ୍ଚ: ମାର୍ଚ୍ଚ ୬
- ପ୍ରତ୍ୟାହାରର ଶେଷ ତାରିଖ: ମାର୍ଚ୍ଚ ୯
- ମତଦାନ ଓ ଗଣତି: ମାର୍ଚ୍ଚ ୧୬ (ସକାଳ ୯ରୁ ଅପରାହ୍ନ ୪ଟା ଯାଏଁ ଭୋଟ୍, ସନ୍ଧ୍ୟା ୫ଟାରେ ଗଣତି)
- ପ୍ରକ୍ରିୟା ଶେଷ: ମାର୍ଚ୍ଚ ୨୦
ରାଜ୍ୟ ବିଧାନସଭାରେ ବିଧାୟକଙ୍କ ସଂଖ୍ୟାକୁ ଦେଖିଲେ, ଶାସକ ବିଜେପି ସହଜରେ ୨ଟି ଆସନ ଏବଂ ବିରୋଧୀ ବିଜେଡି ୧ଟି ଆସନ ଜିତିବା ନିଶ୍ଚିତ। କିନ୍ତୁ ଚତୁର୍ଥ ଆସନ ପାଇଁ ଲଢ଼େଇ ଜୋରଦାର ହେବାର ସମ୍ଭାବନା ରହିଛି। ଚତୁର୍ଥ ଆସନ ପାଇଁ କୌଣସି ଦଳ ପାଖରେ ସଂଖ୍ୟାଗରିଷ୍ଠତା ନାହିଁ। ଯଦି ବିଜେଡି ଓ କଂଗ୍ରେସ ହାତ ମିଳାନ୍ତି, ତେବେ ଶାସକ ଦଳକୁ ଚେକ୍ ଦେଇହେବ। ଅର୍ଥାତ୍ ବିଜେଡି ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କଲେ କିମ୍ବା କଂଗ୍ରେସ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କଲେ ଚତୁର୍ଥ ଆସନ ବିରୋଧୀଙ୍କ ଖାତାକୁ ଯାଇପାରେ। ଯଦି ବିରୋଧୀ ଏକାଠି ନହୁଅନ୍ତି, ତେବେ ବିଜେପି ଯାହାକୁ ପ୍ରାର୍ଥୀ କରିବ, ତାଙ୍କ ପାଇଁ ଜିତିବା ସହଜ ହେବ।
ଏପ୍ରିଲ ୨ ତାରିଖରେ ବିଜେପିର ମମତା ମହାନ୍ତ ଓ ସୁଜିତ୍ କୁମାର ଏବଂ ବିଜେଡିର ମୁନା ଖାଁ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏମାନଙ୍କ ମଧ୍ୟରୁ ଦଳ କାହାକୁ ପୁନର୍ବାର ସୁଯୋଗ ଦେଉଛି କିମ୍ବା ନୂଆ ମୁହଁଙ୍କୁ ରାଜ୍ୟସଭା ପଠାଉଛି, ତାହା ଦେଖିବାକୁ ବାକି ରହିଲା।