ଆଜି ନାମାଙ୍କନ ଭରିବେ ୫ ପ୍ରାର୍ଥୀ, ଚତୁର୍ଥ ଆସନ ପାଇଁ ଘମାଘୋଟ ଲଢ଼େଇ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ହେବ ନାମାଙ୍କନ ପର୍ବ। ମୋଟ ୫ ଜଣ ପ୍ରାର୍ଥୀ ଆଜି ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିବା ବେଳେ ରାଜନୈତିକ ସମୀକରଣ ବେଶ୍ ରୋଚକ ହୋଇପଡ଼ିଛି। ଦଳ ପକ୍ଷରୁ ମନମୋହନ ସାମଲ ଏବଂ ସୁଜିତ କୁମାର ପ୍ରାର୍ଥୀ ହୋଇଛନ୍ତି। ବିଧାୟକ ସଂଖ୍ୟା ଦୃଷ୍ଟିରୁ ବିଜେପି ଏହି ଦୁଇଟି ଆସନ ସହଜରେ ହାତେଇବାର ସମ୍ଭାବନା ରହିଛି। ଦଳର ସଭାପତି ନବୀନ ପଟ୍ଟନାୟକ ସଂତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ କରିଥିବା ବେଳେ, ବିଜେଡି ଏହି ତୃତୀୟ ଆସନଟିକୁ ମଧ୍ୟ ନିଜ କବଜାକୁ ନେବା ନିଶ୍ଚିତ ଜଣାପଡ଼ୁଛି। ଅସଲ ଲଢ଼େଇ ଏବେ ଚତୁର୍ଥ ଆସନକୁ ନେଇ ଆରମ୍ଭ ହୋଇଛି। ବିଜେଡି ଓ କଂଗ୍ରେସର ମିଳିତ ବା ‘କମନ୍ କ୍ୟାଣ୍ଡିଡେଟ୍’ ଭାବେ ଡାକ୍ତର ଦତ୍ତେଶ୍ୱର ହୋତା ମଇଦାନକୁ ଓହ୍ଲାଇଛନ୍ତି। ଅନ୍ୟପଟେ, ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି। ଏହି ଆସନ ପାଇଁ ଅଙ୍କକଷା ବେଶ୍ ଜଟିଳ ହେବାର ଆଶା କରାଯାଉଛି। ରାଜ୍ୟସଭା ନିର୍ବାଚନ ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଧିକାରୀ ଏବଂ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ନିୟୋଜିତ କରାଯାଇଛି।

Posted in ରାଜ୍ୟ.