ଉଦଘାଟିତ ହେଲା ଇଫକୋର ତୃତୀୟ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ
ପାରାଦୀପ : ଓଡ଼ିଶାର ଶିଳ୍ପ ମାନଚିତ୍ରରେ ପାରାଦୀପ ଏବେ ଏକ ବଡ଼ ସଫଳତା ହାସଲ କରିଛି। ପାରାଦୀପ କେବଳ ଏକ ବନ୍ଦର ସହର ନୁହେଁ, ବରଂ ଏହା ଦେଶର ଏକ ପ୍ରମୁଖ ‘ଆର୍ଥିକ ପ୍ରୟୋଗଶାଳା’ ଭାବେ ଉଭା ହୋଇଛି। ଶୁକ୍ରବାର ଦିନ ଇଫକୋର “ତୃତୀୟ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ”ର ଶୁଭ ଉଦଘାଟନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।
ସୁଦୃଢ଼ ହେବ ଆତ୍ମନିର୍ଭର ଭାରତ ଓ ପୂର୍ବୋଦୟ:
କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ନୂତନ ପ୍ଲାଣ୍ଟକୁ ଲୋକାର୍ପିତ କରାଯାଇଛି। ପ୍ରାୟ ୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ଲାଣ୍ଟର ଦୈନିକ ଉତ୍ପାଦନ କ୍ଷମତା ୨,୦୦୦ ମେଟ୍ରିକ୍ ଟନ୍ ରହିଛି। ଏହାଦ୍ୱାରା ସଲଫ୍ୟୁରିକ୍ ଏସିଡ୍ ଆମଦାନୀ ପାଇଁ ଆଉ ବିଦେଶ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ, ଯାହା ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ’ ସଂକଳ୍ପକୁ ଆଗକୁ ନେବ।
ଚାଷୀଙ୍କ ପାଇଁ ବଡ଼ ଖବର:
ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ଫଳରେ ସାର ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇବ। ଫଳରେ ଓଡ଼ିଶା ସମେତ ସାରା ଦେଶର କୋଟି କୋଟି ଚାଷୀ ସଠିକ୍ ସମୟରେ ଏବଂ ସ୍ୱଳ୍ପ ମୂଲ୍ୟରେ ଖତ-ସାର ପାଇପାରିବେ। କେନ୍ଦ୍ର ଗୃହ ମନ୍ତ୍ରୀଙ୍କ “ସହକାର ସେ ସମୃଦ୍ଧି” ମନ୍ତ୍ର ଯୋଗୁଁ ଆଜି ଜଣେ ଗରିବ ଲୋକ ମଧ୍ୟ ବଡ଼ ସ୍ୱପ୍ନ ଦେଖିବାର ସୁଯୋଗ ପାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଏବଂ ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପାରାଦୀପର ଏହି ସମୃଦ୍ଧି ଆଗାମୀ ଦିନରେ ଓଡ଼ିଶାକୁ ଦେଶ ଅର୍ଥନୀତିର ପେଣ୍ଠସ୍ଥଳୀରେ ପରିଣତ କରିବ ବୋଲି ଆଶା କରାଯାଉଛି।
