ବାଲେଶ୍ୱର : ଓଡ଼ିଶା ରାଜନୀତିରେ ବିଶେଷ କରି ବାଲେଶ୍ୱର ଜିଲ୍ଲାରେ ବିଜୁ ଜନତା ଦଳ (ବିଜେଡି) କୁ ଏକ ବଡ଼ ଶକ୍ତ ଧକ୍କା ଲାଗିଛି। ବାଲେଶ୍ୱରର ପୂର୍ବତନ ସାଂସଦ ତଥା ଟାଣୁଆ ନେତା ରବୀନ୍ଦ୍ର ଜେନା ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।
ନିଜ ଇସ୍ତଫା ପତ୍ରରେ ଶ୍ରୀ ଜେନା ଉଲ୍ଲେଖ କରିଛନ୍ତି ଯେ, କେତେକ ବ୍ୟକ୍ତିଗତ କାରଣ ଏବଂ ପରିସ୍ଥିତି ଯୋଗୁଁ ସେ ଏହି କଠିନ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ସେ ଦୀର୍ଘ ବର୍ଷ ଧରି ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ରହି ବାଲେଶ୍ୱରବାସୀଙ୍କ ସେବା କରି ଆସୁଥିଲେ। ବିଜେଡି ସହ ତାଙ୍କର ଏହି ଦୀର୍ଘ ଦିନର ଯାତ୍ରା ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି।
ଇସ୍ତଫା ଦେବା ଅବସରରେ ସେ ରାଜ୍ୟ ନେତୃବୃନ୍ଦ, ନିଜର ସହକର୍ମୀ ଏବଂ ବାଲେଶ୍ୱର ଜିଲ୍ଲାର ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ସହଯୋଗ ଓ ସମ୍ମାନ ପାଇଁ ଗଭୀର କୃତଜ୍ଞତା ଜଣାଇଛନ୍ତି। ବାଲେଶ୍ୱର ରାଜନୀତିରେ ଜଣେ ପ୍ରଭାବଶାଳୀ ନେତା ଭାବେ ଜଣାଶୁଣା ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରେ ଏବେ ସେ କେଉଁ ଦଳରେ ସାମିଲ ହେବେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
