ଜଳ ଜୀବନ ମିଶନର ଅବଧି ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଜଳ ଜୀବନ ମିଶନ (ଜେଜେଏମ)ର ଅବଧିକୁ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପ୍ରସ୍ତାବକୁ ମଞ୍ଜୁର କରିଛି । କାର୍ଯ୍ୟକାରିତା ଭିତ୍ତିଭୂମି ସୃଷ୍ଟି ଠାରୁ ସେବା ପ୍ରଦାନ ପର୍ଯ୍ୟନ୍ତ ଏହି ଯୋଜନାର ପୁନର୍ଗଠନ କରିବା ଲାଗି ଜଳ ଶକ୍ତି ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ପାନୀୟ ଜଳ ପରିଚାଳନା ଏବଂ ପାଇପ ଯୋଗେ ଦୀର୍ଘସ୍ଥାୟୀ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପାଇଁ ଏକ ସଂସ୍ଥାଗତ ଇକୋସିଷ୍ଟମକୁ ସମର୍ଥନ କରାଯିବ।

ଢାଞ୍ଚାଗତ ସଂସ୍କାର ଉପରେ ଧ୍ୟାନ ଦେଇ ଜେଜେଏମର ପୁନର୍ଗଠନ ଲାଗି କ୍ୟାବିନେଟ ଏହି ଯୋଜନାରେ ମୋଟ ବ୍ୟୟ ଅଟକଳକୁ ୮.୬୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଥିରେ ମୋଟ କେନ୍ଦ୍ରୀୟ ଅନୁଦାନ ୩.୫୯ ଲକ୍ଷ କୋଟି ଟଙ୍କା ହେବ। ଏହା ୨୦୧୯-୨୦ରେ ଅନୁମୋଦିତ କେନ୍ଦ୍ରୀୟ ଅନୁଦାନ ୨.୦୮ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥାତ୍ ୧.୫୧ ଲକ୍ଷ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ଅଂଶ ରହିବ।

ଏଥିପାଇଁ, ‘ସୁଜଳ ଭାରତ’ ନାମକ ଏକ ପ୍ରକାରର ଜାତୀୟ ଡିଜିଟାଲ୍ ଭିତ୍ତିଭୂମି ପ୍ରତିଷ୍ଠା ହେବ। ଏହା ଅଧୀନରେ ପ୍ରତ୍ୟେକ ଗ୍ରାମକୁ ଏକ ଅନନ୍ୟ ସୁଜଳ ଗ୍ରାମ/ସେବା କ୍ଷେତ୍ର ପରିଚୟପତ୍ର ପ୍ରଦାନ କରାଯିବ। ଏହା ଜଳ ଉତ୍ସରୁ ଟ୍ୟାପ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଡିଜିଟାଲ୍ ଭାବରେ ମ୍ୟାପ୍ କରିବ। ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ‘‘ଜଳ ଅର୍ପଣ’’ ମାଧ୍ୟମରେ ଯୋଜନାର ଶୁଭାରମ୍ଭ ଏବଂ ଆନୁଷ୍ଠାନିକ ହସ୍ତାନ୍ତରରେ ଗ୍ରାମ ପଞ୍ଚାୟତ ଓ ଗ୍ରାମ୍ୟ ଜଳ ଓ ପରିମଳ କମିଟି (ଭିଡବ୍ଲୁଏସସି)ର ଅଂଶଗ୍ରହଣ ସୁନିଶ୍ଚିତ କରାଯିବ।

ରାଜ୍ୟ ସରକାରଙ୍କ ଦ୍ୱାରା ପର୍ଯ୍ୟାପ୍ତ ଗ୍ରାମାଞ୍ଚଳ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ବ୍ୟବସ୍ଥା ପ୍ରତିଷ୍ଠା ହେବା ପରେ ହିଁ କୌଣସି ଗ୍ରାମ ପଞ୍ଚାୟତ କାର୍ଯ୍ୟ ସମାପ୍ତିର ପ୍ରମାଣିତ କରିବା ସହିତ ନିଜକୁ ‘‘ହର ଘର ଜଲ’’ (ପ୍ରତି ଘରକୁ ଜଳ ଯୋଗାଣ) ଘୋଷଣା କରିବ। ଏହି କାର୍ଯ୍ୟକ୍ରମ ପରିଚାଳନାଗତ ଦକ୍ଷତା ଏବଂ ଉତ୍ସ ସ୍ଥାୟୀତ୍ୱ ପାଇଁ ଜନସାଧାରଣଙ୍କ ସମ୍ପୃକ୍ତି ଏବଂ ମାଲିକାନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱୀକାର କରିଥାଏ। ଏଥିପାଇଁ ଏକ ବାର୍ଷିକ କାର୍ଯ୍ୟକ୍ରମ ରୂପେ ‘‘ଜଳ ଉତ୍ସବ’’ ଆୟୋଜନ କରାଯିବ। ଏଥିରେ ଲୋକଙ୍କ ନେତୃତ୍ୱରେ ରକ୍ଷଣାବେକ୍ଷଣ ଏବଂ ସମୀକ୍ଷାକୁ ପ୍ରୋତ୍ସାହନ କରାଯିବ। ଫଳରେ ସୁରକ୍ଷିତ ପାନୀୟ ଜଳ ଯୋଗାଣ ପାଇଁ ସାମୂହିକ ଦାୟିତ୍ୱ ସୁଦୃଢ଼ ହେବା ସହିତ ସ୍ଥାନୀୟ ସାଂସ୍କୃତିକ ଲୋକାଚାରକୁ ଏଥିରେ ସମନ୍ୱିତ କରାଯାଇପାରିବ।

Posted in ଦେଶ ବିଦେଶ.