ଗଞ୍ଜାମ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଆଇ.ପି.ଏସ. ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ଆଜି ତା ୧୫-୦୩-୨୦୨୬ରିଖ ରବିବାରରେ ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଚିଲିକା ଓ ତାମ୍ପରା ହ୍ରଦ ତଥା ଆର୍ଯ୍ୟପଲ୍ଲୀ, ବଟେଶ୍ୱର, ହରିପୁର, ଗୋଖରକୁଦା ଅଞ୍ଚଳ ଅନ୍ତର୍ଗତ ସମୁଦ୍ର ଉପକୂଳରେ ଏକ ବିଶାଳ ସଫେଇ ଅଭିଯାନ କରାଯାଇଥିଲା।
ଏହି କ୍ରମରେ ଛତ୍ରପୁର ନିକଟସ୍ଥ ତାମ୍ପରା ହ୍ରଦ କୂଳକୁ ଛତ୍ରପୁର ଏସ୍ଡିପିଓ ଚନ୍ଦନ ଘଡ଼େଇ, ଛତ୍ରପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲ ଓ ରିଜର୍ଭ ଇନ୍ସପେକ୍ଟର ବିକାଶ ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସକାଳ ୬.୩୦ଘଟିକାରୁ ୯ଘଟିକା ପର୍ଯ୍ୟନ୍ତ ପରିଷ୍କାର କରାଯାଇ ସମାଜକୁ ଏକ ନିଆରା ବାର୍ତ୍ତା ଦିଆଯାଇଥିଲା। ସୂଚନାଯୋଗ୍ୟ, ଛତ୍ରପୁର ଥାନାଧିକାରୀଙ୍କ ନିବେଦନରେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯଥା ସମ୍ଭବ ସହାୟତାର ହାଥ ବଢାଇଥିଲେ ସମାଜସେବୀ ମନୋଜ ମିଶ୍ର ତଥା ମନୋରଞ୍ଜନ ବେହେରାଙ୍କ ନେତୃତ୍ୱାଧୀନ ଛତ୍ରପୁର ସେବା ପ୍ରତିନିଧି ସଙ୍ଗଠନର ୩୦ରୁ ଅଧିକ ସଦସ୍ୟ। ଏହି ସଦସ୍ୟମାନେ ଗଞ୍ଜାମ ଏସପିଙ୍କ ଉପସ୍ଥିତିରେ ତାମ୍ପରା ହ୍ରଦ ପରିସର ତଥା ନିକଟବର୍ତ୍ତୀ ଅଞ୍ଚଳକୁ ପରିଷ୍କାର କରିବା ସହ କୁଢ଼ କୁଢ଼ ପ୍ଲାଷ୍ଟିକ ତଥା ଅନ୍ୟ ଅଳିଆ ଆବର୍ଜନାକୁ ହ୍ରଦରୁ ବାହାର କରି ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଳରାମ ବେହେରା, ମୋହନ ସାହୁ, ପିତାମ୍ବର ସାହୁ, ବି ବୈରାଗୀ, ସୁଶାନ୍ତ ଗୌଡ଼, ବିକ୍ରମ ପ୍ରଧାନ, ପି ଲୋକନାଥ ରେଡ୍ଡୀ, ପି.ରାମଚନ୍ଦ୍ର, ପି.ଗଣେଶ ରେଡ୍ଡୀ, ନିରାକାର ସାହୁ ପ୍ରମୁଖ ସାହାଯ୍ୟ ସହଯୋଗର ଯଥାର୍ଥ ହାତ ବଢାଇଥିଲେ। ସେହିପରି ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ବେଚ୍ଛାସେବୀଙ୍କ ସହଯୋଗ ପାଇଁ ସେବା ପ୍ରତିନିଧିର ଅଧ୍ୟକ୍ଷ ନୀଳମଣି ମିଶ୍ର ତଥା ପୋଲିସ ବିଭାଗ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି। ପ୍ରାପ୍ତ ସୂଚନା ମୁତାବକ ଏହି ସଙ୍ଗଠନର ସଦସ୍ୟମାନେ ତାରାତାରିଣୀଙ୍କ ଚଇତି ଯାତ୍ରାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଆଗାମୀ ଦୁଇ ପାଳିରେ ସମସ୍ତ ଭକ୍ତଙ୍କୁ ଜୁସ ଓ ପାନୀୟ ଜଳ ବାଣ୍ଟିବା ସହ ପ୍ରଶାସନ ସହ ମିଶି ସମସ୍ତ ପ୍ରକାର ସେବା ଯୋଗାଇବେ।
