ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବାଗଡିଆଠାରେ ଆୟୋଜିତ ‘ଅଲ୍ ଇଣ୍ଡିଆ ଇନଭିଟେସନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬’ ଏକ ରଙ୍ଗାରଙ୍ଗ ପରିବେଶରେ ଉଦ୍ଯାପିତ ହୋଇଯାଇଛି। ଏହି ଉଦ୍ଯାପନୀ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ସମ୍ମାନିତ କରିଛନ୍ତି।
ଏହି ଅବସରରେ ଶ୍ରୀ ପ୍ରଧାନ କ୍ରୀଡ଼ାର ମହତ୍ତ୍ୱ ଉପରେ ଆଲୋକପାତ କରି କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଏଭଳି ଜାତୀୟ ସ୍ତରର ପ୍ରତିଯୋଗିତା ଆୟୋଜନ ହେବା ଦ୍ୱାରା ସ୍ଥାନୀୟ ପ୍ରତିଭାମାନେ ନିଜକୁ ପ୍ରମାଣିତ କରିବା ପାଇଁ ଏକ ବଡ଼ ମଞ୍ଚ ପାଉଛନ୍ତି। କ୍ରୀଡ଼ା କେବଳ ଶାରୀରିକ ବିକାଶ ନୁହେଁ, ବରଂ ଶୃଙ୍ଖଳା ଓ ଦଳଗତ ମନୋଭାବ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ସେ ପ୍ରକାଶ କରିଛନ୍ତି।
ବାଗଡିଆର ଏହି ଐତିହାସିକ ଟୁର୍ଣ୍ଣାମେଣ୍ଟକୁ ଦେଖିବା ପାଇଁ ହଜାର ହଜାର କ୍ରୀଡ଼ାପ୍ରେମୀଙ୍କ ଭିଡ଼ ଜମିଥିଲା। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଖେଳାଳିମାନେ ନିଜର ଚମତ୍କାର ପ୍ରଦର୍ଶନ ଦ୍ୱାରା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସ୍ଥାନୀୟ ଆୟୋଜକ କମିଟିର ପ୍ରଚେଷ୍ଟାକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିବା ସହ ଅଞ୍ଚଳର କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
