ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା ଛେଣ୍ଡିପଦାଠାରେ ଭାରତୀୟ ଜନତା ପାର୍ଟିର ଏକ ନୂତନ କାର୍ଯ୍ୟାଳୟ ଶୁଭ ଉଦଘାଟିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟାଳୟର ଲୋକାର୍ପଣ କରିଛନ୍ତି।
ଏହି ଅବସରରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କାର୍ଯ୍ୟାଳୟ ହେଉଛି ଜଣେ କର୍ମକର୍ତ୍ତାଙ୍କ ପାଇଁ ସେବାର କେନ୍ଦ୍ର। ଏହି ନୂତନ କାର୍ଯ୍ୟାଳୟ ଅଞ୍ଚଳର ଜନସାଧାରଣଙ୍କ ସମସ୍ୟା ଶୁଣିବା ଏବଂ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ଏକ ପ୍ରମୁଖ ସେତୁ ଭାବେ କାର୍ଯ୍ୟ କରିବ। ଦଳୀୟ ଶୃଙ୍ଖଳା ଓ ସେବା ମନୋଭାବ ରଖି କାର୍ଯ୍ୟ କରିବାକୁ ସେ କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି।
ଛେଣ୍ଡିପଦା ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ସର୍ବଦା ତତ୍ପର। ସ୍ଥାନୀୟ ଶିଳ୍ପ, ନିଯୁକ୍ତି ଏବଂ କୃଷି କ୍ଷେତ୍ରର ଉନ୍ନତି ପାଇଁ ବିଜେପି ନିରନ୍ତର କାର୍ଯ୍ୟ କରୁଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବରିଷ୍ଠ ନେତା, ଶତାଧିକ କର୍ମୀ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
