ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିରେ ଓଡ଼ିଶା ସରକାରଙ୍କ ଐତିହାସିକ ପଦକ୍ଷେପ

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିରେ ଓଡ଼ିଶା ସରକାରଙ୍କ ଐତିହାସିକ ପଦକ୍ଷେପ

ପୁରୀ : ଓଡ଼ିଆ ଅସ୍ମିତା ଓ ବିଶ୍ୱାସର ସର୍ବୋଚ୍ଚ କେନ୍ଦ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଗଣତିମଣତି ପ୍ରକ୍ରିୟା ଆଜିଠାରୁ ସଫଳତାର ସହ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶିକା ଏବଂ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଯୋଗୁଁ ଦୀର୍ଘ ଦଶନ୍ଧି ଧରି ଅପେକ୍ଷା କରିଥିବା ଏହି କାର୍ଯ୍ୟ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ପ୍ରଥମ ଦିନରେ ହିଁ ‘ଚଳନ୍ତି ଭଣ୍ଡାର’ର ୮୦ ପ୍ରତିଶତ ଅଳଙ୍କାର ଗଣତି ଶେଷ କରି ପ୍ରଶାସନ ନିଜର ଦକ୍ଷତା ପ୍ରମାଣିତ କରିଛି।

ସରକାରଙ୍କ ସଠିକ୍ ପରିଚାଳନା ଓ ସ୍ୱଚ୍ଛତା

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କଡ଼ା ଏସ୍‌ଓପି ଅନୁଯାୟୀ ପ୍ରତିଟି ପଦକ୍ଷେପ ନିଆଯାଉଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଧିକୃତ ସଦସ୍ୟମାନେ ପାରମ୍ପରିକ ଶୃଙ୍ଖଳା ମଧ୍ୟରେ ଏହି କାର୍ଯ୍ୟ ସମ୍ପାଦନ କରୁଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱଚ୍ଛତା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇ ୩ଡି ମ୍ୟାପିଂ, ଡିଜିଟାଲ୍ ଫଟୋଗ୍ରାଫି ଓ ଭିଡିଓ ରେକର୍ଡିଂ ବ୍ୟବସ୍ଥା କରାଯାଇଛି, ଯାହା ଭବିଷ୍ୟତ ପାଇଁ ଏକ ସ୍ଥାୟୀ ଦସ୍ତାବେଜ ହୋଇ ରହିବ।

୧୯୭୮ ମସିହାର ମୂଳ ତାଲିକା ସହ ବର୍ତ୍ତମାନର ଗହଣାକୁ ମେଳ କରିବା ପାଇଁ ଅଭିଜ୍ଞ ଜେମୋଲୋଜିଷ୍ଟ ଓ ଆରବିଆଇ (RBI) ଅଧିକାରୀଙ୍କୁ ସାମିଲ କରି ସରକାର ଏହି ପ୍ରକ୍ରିୟାକୁ ଅଧିକ ବୈଜ୍ଞାନିକ ଓ ସୁରକ୍ଷିତ କରିଛନ୍ତି। ଚଳନ୍ତି ଭଣ୍ଡାର ପରେ ବାହାର ଓ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ସରକାରଙ୍କ ସଂକଳ୍ପ ଅନୁଯାୟୀ ଶୃଙ୍ଖଳିତ ଭାବେ ଶେଷ ହେବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବିଶାଳ ପ୍ରକ୍ରିୟା ମଧ୍ୟରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଓ ସର୍ବସାଧାରଣ ଦର୍ଶନରେ କୌଣସି ବ୍ୟାଘାତ ସୃଷ୍ଟି ହୋଇନାହିଁ। ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ଏହି ସମନ୍ୱିତ ପ୍ରଚେଷ୍ଟାକୁ ସେବାୟତ ଓ ଭକ୍ତ ସମାଜ ବ୍ୟାପକ ସମର୍ଥନ ଜଣାଇଛନ୍ତି। ଓଡ଼ିଆ ଜାତିର ଧନ ଓ ଐତିହ୍ୟକୁ ସୁରକ୍ଷିତ ରଖିବା ଦିଗରେ ବର୍ତ୍ତମାନର ସରକାରଙ୍କ ଏହି ପଦକ୍ଷେପ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।

୧୯୭୮ ରତ୍ନଭଣ୍ଡାର ଗଣତି

୧୯୭୮ ମସିହାରେ ଯେତେବେଳେ ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ କ୍ୟାବିନେଟ ମନ୍ତ୍ରୀ ଥିବା ବିଶ୍ୱଭୂଷଣ ହରିଚନ୍ଦନଙ୍କ  ପ୍ରତ୍ୟକ୍ଷ ସକ୍ରିୟତାରେ ରତ୍ନଭଣ୍ଡାର ଖୋଲାଯାଇଥିଲା।

ସେହି ସମୟରେ ହିଁ ରତ୍ନଭଣ୍ଡାରର ଅଳଙ୍କାରଗୁଡ଼ିକୁ ତିନୋଟି ଶ୍ରେଣୀରେ (ବାହାର, ଭିତର ଓ ଚଳନ୍ତି) ବିଭକ୍ତ କରି ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରାଯାଇଥିଲା, ଯାହାକୁ ଆଜି ମଧ୍ୟ ଆଧାର ଭାବେ ଗ୍ରହଣ କରାଯାଉଛି।

ଜଣେ ମନ୍ତ୍ରୀ ଭାବେ ସେ ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ରଖିବା ପାଇଁ ବହୁତ ଗୁରୁତ୍ୱ ଦେଇଥିଲେ, ଯାହାଫଳରେ ଓଡ଼ିଶାବାସୀଙ୍କ ମନରେ ମହାପ୍ରଭୁଙ୍କ ରତ୍ନରାଜିକୁ ନେଇ ଏକ ସ୍ପଷ୍ଟ ଧାରଣା ସୃଷ୍ଟି ହୋଇଥିଲା।

Posted in ରାଜ୍ୟ.