ମଧ୍ୟପ୍ରାଚ୍ୟରେ ମହାସମର: ବିନାଶ ନୁହେଁ, ସମାଧାନ ପାଇଁ ଲୋଡ଼ା ଆଲୋଚନା ଓ ବିଶ୍ୱ ଶାନ୍ତି

ମଧ୍ୟପ୍ରାଚ୍ୟରେ ମହାସମର: ବିନାଶ ନୁହେଁ, ସମାଧାନ ପାଇଁ ଲୋଡ଼ା ଆଲୋଚନା ଓ ବିଶ୍ୱ ଶାନ୍ତି

ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧର ଲେଲିହାନ ଶିଖା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ଇରାନ ଓ ଆମେରିକା-ଇସ୍ରାଏଲ୍ ମଧ୍ୟରେ ଜାରି ରହିଥିବା  ଆକ୍ରମଣ ବିଶ୍ୱକୁ ଏକ ତୃତୀୟ ବିଶ୍ୱଯୁଦ୍ଧର ଦ୍ୱାରଦେଶରେ ଛିଡ଼ା କରିଛି। ଆଜି ଇରାନ ପୁଣିଥରେ ଆମେରିକାର ସାମରିକ ଭିତ୍ତିଭୂମି ଉପରେ ଟାର୍ଗେଟ୍ ଆକ୍ରମଣ କରିଥିବା ବେଳେ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ପ୍ରଚଣ୍ଡ ପ୍ରତିଶୋଧ ଜାରି ରଖିଛନ୍ତି। ଏଭଳି ଏକ ବିସ୍ଫୋରକ ସ୍ଥିତିରେ ବନ୍ଧୁକର ଗୁଳି ନୁହେଁ, ବରଂ ଆଲୋଚନାର ଟେବୁଲ୍ ହିଁ ସମାଧାନର ଏକମାତ୍ର ବାଟ ହେବା ଆବଶ୍ୟକ ।

ଇତିହାସ ପ୍ରମାଣ ଦେଇଛି ଯେ, ଯୁଦ୍ଧ କୌଣସି ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ। ଯୁଦ୍ଧ କେବଳ ମୃତ୍ୟୁ, ବିନାଶ ଏବଂ ଅର୍ଥନୈତିକ ମାନ୍ଦାବସ୍ଥା ହିଁ ଆଣିଥାଏ। ମଧ୍ୟପ୍ରାଚ୍ୟର ଏହି ସଂଘର୍ଷ ଯଦି ଶୀଘ୍ର ନଥମେ, ତେବେ ଏହାର ପ୍ରଭାବ ସାରା ବିଶ୍ୱର ଅର୍ଥନୀତି ଓ ସାଧାରଣ ଜୀବନଯାତ୍ରା ଉପରେ ପଡ଼ିବ। ଆଜି ସମୟ ଆସିଛି, ଉଭୟ ପକ୍ଷ ନିଜର ଜିଦ୍ ଛାଡ଼ି ମାନବିକତା ଓ ବିଶ୍ୱ ଶାନ୍ତି ପାଇଁ ଆଲୋଚନା ଟେବୁଲକୁ ଆସନ୍ତୁ। ଶାନ୍ତିର ଏକମାତ୍ର ମନ୍ତ୍ର ହେଉଛି “ସଂଳାପ”। ବିଶ୍ୱ ଶାନ୍ତି ପାଇଁ  ଏହି ପ୍ରୟାସ ସଫଳ ହେଉ, ଏହା ହିଁ ସାରା ବିଶ୍ୱର କାମନା।

ଯୁଦ୍ଧବନ୍ଦ ପାଇଁ  ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ବୈଠକ ପରିଚାଳନା ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପ୍ରଚାରିତ ହେଉଛି। ଆଶ୍ଚର୍ଯ୍ୟଜନକ ଭାବେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଶାନ୍ତି ଆଲୋଚନାକୁ ସୋସିଆଲ ମିଡିଆରେ ସାର୍ବଜନୀନ ଭାବେ ପ୍ରୋତ୍ସାହିତ କରି ଉତ୍ତେଜନା ହ୍ରାସ କରିବାକୁ ସଙ୍କେତ ଦେଇଛନ୍ତି। ଟ୍ରମ୍ପ ପ୍ରଶାସନ ପକ୍ଷରୁ ମଧ୍ୟସ୍ଥିଙ୍କ ଜରିଆରେ ତେହେରାନକୁ ଏକ ଶାନ୍ତି ପ୍ରସ୍ତାବ ମଧ୍ୟ ପଠାଯାଇଛି।

ତେବେ ଏହି ସମାଧାନର ବାଟ ଏତେ ସହଜ ମନେ ହେଉନାହିଁ। ଉପସାଗରୀୟ ଆରବ ରାଷ୍ଟ୍ର, ବିଶେଷ କରି ସାଉଦି ଆରବ ଏବଂ ୟୁଏଇ, ଏହି ଦ୍ରୁତ କୂଟନୈତିକ ସମାଧାନରେ ଅସନ୍ତୁଷ୍ଟ ଅଛନ୍ତି। ସେମାନଙ୍କ ଦାବି ହେଉଛି ଯେ,  ଇରାନର ସାମରିକ ଶକ୍ତି ସମ୍ପୂର୍ଣ୍ଣ ରୂପେ ଦୁର୍ବଳ ହୋଇନାହିଁ, ସେ ପର୍ଯ୍ୟନ୍ତ ସାମରିକ ଚାପ ଜାରି ରଖାଯାଉ। ସେପଟେ ଇରାନ ମଧ୍ୟ ସାର୍ବଜନୀନ ଭାବେ ନଇଁବାକୁ ପ୍ରସ୍ତୁତ ନୁହେଁ ଏବଂ ତା’ର ଲକ୍ଷ୍ୟ ହାସଲ ନହେବା ଯାଏଁ ସାମରିକ ଅଭିଯାନ ଜାରି ରଖିବ ବୋଲି ସଙ୍କେତ ଦେଇଛି। କିନ୍ତୁ ବଡ଼ ପ୍ରଶ୍ନ ହେଉଛି ଯୁଦ୍ଧ କେବେ ଶେଷ ହେବ । କାରଣ ଏହା ଦ୍ବାରା ସାରା ବିଶ୍ବ ପ୍ରଭାବିତ ହେଉଛି । ଯାହା ଆଗାମୀ ଦିନ ପାଇଁ ଶୁଭଙ୍କର ନୁହେଁ ।

Posted in ଦେଶ ବିଦେଶ.