ପଶ୍ଚିମ ଏସିଆରେ ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ବ୍ୟାପକ କୂଟନୈତିକ ଏବଂ ବାଣିଜ୍ୟିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତୀୟ ନାଗରିକଙ୍କ ସୁରକ୍ଷା ସହ ଦେଶରେ ଶକ୍ତି ଯୋଗାଣ (Energy Supply) କିପରି ବାଧାପ୍ରାପ୍ତ ହେବ ନାହିଁ, ସେଥିପାଇଁ ସକ୍ରିୟ ରହିଛନ୍ତି ସରକାର।
ହର୍ମୁଜ ପ୍ରଣାଳୀ ଦେଇ ଗ୍ୟାସ୍ ଓ ତୈଳ ବୋଝେଇ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ଆଲୋଚନା ସଫଳ ହୋଇଛି। ଭାରତୀୟ ପତାକାଧାରୀ ଜାହାଜ ‘ଜଗ ବିକ୍ରମ’ ପ୍ରାୟ ୨୦,୪୦୦ ମେଟ୍ରିକ ଟନ୍ ଏଲପିଜି ଧରି ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଛି, ଯାହା ୧୫ ଏପ୍ରିଲ ସୁଦ୍ଧା ମୁମ୍ବାଇରେ ପହଞ୍ଚିବ। ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଆତଙ୍କିତ ହୋଇ (Panic Buying) ନ କିଣିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏଲପିଜି ଗ୍ରାହକମାନଙ୍କୁ ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର କରିବାକୁ କୁହାଯାଇଛି। ବର୍ତ୍ତମାନ ୯୮% ବୁକିଂ ଅନଲାଇନରେ ହେଉଛି। ପିଏନ୍ଜି ଏବଂ ଇଲେକ୍ଟ୍ରିକ୍ କିମ୍ବା ଇଣ୍ଡକ୍ସନ କୁକ୍-ଟପ୍ ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି। ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଗ୍ୟାସ୍ ଯୋଗାଣରେ ପ୍ରାଥମିକତା ଦିଆଯିବ। ଉପସାଗରୀୟ ଅଞ୍ଚଳରୁ ଏପର୍ଯ୍ୟନ୍ତ ୨,୦୦୯ ରୁ ଅଧିକ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଛି। ତେହେରାନରେ ଥିବା ଭାରତୀୟ ଦୂତାବାସ ଆର୍ମେନିଆ ଏବଂ ଆଜରବାଇଜାନ ମାଧ୍ୟମରେ ୨,୨୨୫ ଜଣ ଭାରତୀୟଙ୍କୁ ସ୍ୱଦେଶ ଫେରିବାରେ ସହାୟତା କରିଛି। ଆକାଶମାର୍ଗ ବନ୍ଦ ଥିବା ସ୍ଥାନଗୁଡ଼ିକରେ ଜୋର୍ଡାନ, ମିଶର ଏବଂ ସାଉଦି ଆରବ ମାଧ୍ୟମରେ ବିକଳ୍ପ ଯାତ୍ରା ସୁବିଧା କରାଯାଉଛି। ସରକାରମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ, ୧୯୫୫ ଅଧୀନରେ କ୍ଷମତା ଦିଆଯାଇଛି। କଳାବଜାରୀ ଏବଂ ମହଜୁଦକାରୀଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଦୈନନ୍ଦିନ ଅଭିଯାନ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋସିଆଲ ମିଡିଆରେ ଗୁଜବ ରୋକିବା ପାଇଁ ସରକାରୀ ସୂତ୍ର ଉପରେ ନିର୍ଭର କରିବାକୁ ଦେଶବାସୀଙ୍କୁ କୁହାଯାଇଛି।
