ଐତିହାସିକ ମତଦାନ; ଭାଙ୍ଗିଲା ଦଶନ୍ଧିର ରେକର୍ଡ: କାହାକୁ ମିଳିବ ଫାଇଦା ?

ଐତିହାସିକ ମତଦାନ; ଭାଙ୍ଗିଲା ଦଶନ୍ଧିର ରେକର୍ଡ: କାହାକୁ ମିଳିବ ଫାଇଦା ?

କାହା ସପକ୍ଷରେ ଯାଇଛି ଭୋଟ ?

ନିର୍ବାଚନୀ ଇତିହାସରେ ନୂଆ ଅଧ୍ୟାୟ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ରେକର୍ଡ ଭାଙ୍ଗିଲା ମତଦାନ, ଭୋଟରଙ୍କ ‘ବମ୍ପର’ ଉତ୍ସାହ

ଦେଶର ଦୁଇ ପ୍ରମୁଖ ରାଜ୍ୟ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନରେ ଗୁରୁବାର ଏକ ଐତିହାସିକ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ୱାଧୀନତା ପରଠାରୁ ଏହି ଦୁଇ ରାଜ୍ୟରେ ଏବେ ସୁଦ୍ଧା ସର୍ବାଧିକ ମତଦାନ ରେକର୍ଡ କରାଯାଇଛି, ଯାହା ଗଣତନ୍ତ୍ର ପାଇଁ ଏକ ବଡ଼ ସଙ୍କେତ। ବେଙ୍ଗଲରେ ପ୍ରଥମ ପର୍ଯ୍ୟାୟରେ ମୋଟ ୨୯୪ଟି ଆସନ ମଧ୍ୟରୁ ୧୫୨ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା। ଏଥିରେ ସମସ୍ତ ପୁରୁଣା ରେକର୍ଡକୁ ପଛରେ ପକାଇ ୯୨.୧୦% ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ପୂର୍ବରୁ ୨୦୧୧ରେ ୮୪.୭୨% ସର୍ବାଧିକ ମତଦାନ ହୋଇଥିଲା। ମତଦାନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ବେଙ୍ଗଲ ଜନତା SIR ବିରୋଧରେ ବମ୍ପର ଭୋଟ୍ ଦେଇଛନ୍ତି। ଅନ୍ୟପକ୍ଷରେ ଗୃହମନ୍ତ୍ରୀ ଅମିତ ଶାହ ଦାବି କରିଛନ୍ତି ଯେ, ବେଙ୍ଗଲରେ TMC ର ସୂର୍ଯ୍ୟ ଅସ୍ତ ହେବାକୁ ଯାଉଛି।

ତାମିଲନାଡୁର ସମସ୍ତ ୨୩୪ଟି ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ଏଠାରେ ମୋଟ ୮୪.୯୫% ଭୋଟ୍ ପଡ଼ିଛି। ଏହା ୨୦୧୧ରେ ହୋଇଥିବା ୭୮.୨୯% ମତଦାନର ରେକର୍ଡକୁ ଭାଙ୍ଗି ଦେଇଛି। ନିର୍ବାଚନ କମିଶନଙ୍କ ସନ୍ଧ୍ୟା ୮ଟା ସୁଦ୍ଧା ଆସିଥିବା ଏହି ରିପୋର୍ଟ ଅନୁଯାୟୀ, ଭୋଟ୍ ହାର ଆହୁରି ବଢ଼ିବାର ସମ୍ଭାବନା ରହିଛି। ଭୋଟରଙ୍କ ଏହି ଅଦ୍ଭୁତପୂର୍ବ ଉତ୍ସାହ ରାଜ୍ୟଗୁଡ଼ିକରେ କେଉଁ ପ୍ରକାରର ପରିବର୍ତ୍ତନ ଆଣୁଛି, ତାହା ଫଳାଫଳ ପରେ ହିଁ ସ୍ପଷ୍ଟ ହେବ।

ସେହିଭଳି ଦେଶର ଦୁଇଟି ପ୍ରମୁଖ ରାଜ୍ୟ ଆସାମ, କେରଳମ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଗୁରୁବାର ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭୋଟରଙ୍କ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ସଦ୍ୟତମ ସୂଚନା ଅନୁଯାୟୀ, ଏହି ତିନୋଟି ଯାକ ଅଞ୍ଚଳରେ ମତଦାନର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଯାଇଛି। ଆସାମ ଗଠନ ପରଠାରୁ ରାଜ୍ୟରେ ପ୍ରଥମ ଥର ପାଇଁ ସର୍ବାଧିକ ୮୫.୯୧% ମତଦାନ ରେକର୍ଡ କରାଯାଇଛି। ୨୦୧୬ରେ ଏହି ହାର ୮୪.୭% ଥିଲା। ରାଜ୍ୟର ୩୫ଟି ଜିଲ୍ଲା ମଧ୍ୟରୁ ୨୬ରୁ ଅଧିକ ଜିଲ୍ଲାରେ ୮୦%ରୁ ଉର୍ଦ୍ଧ୍ୱ ମତଦାନ ହୋଇଛି। ସାଉଥ୍ ସଲମାରା ମାନକଚର ଜିଲ୍ଲାରେ ସର୍ବାଧିକ ୯୫.୫୬% ଭୋଟ୍ ପଡ଼ିଥିବା ବେଳେ ୱେଷ୍ଟ କାର୍ବି ଆଙ୍ଗଲଙ୍ଗରେ ସବୁଠାରୁ କମ୍ (୭୫.୨୫%) ମତଦାନ ହୋଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ଏଥର ଅସମୀୟା ସମାଜ ଏବଂ ମୁସଲିମ ସମାଜ ମଧ୍ୟରେ ମତଦାନକୁ ନେଇ ଏକ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା, ଯାହା ଭୋଟ୍ ପ୍ରତିଶତ ବୃଦ୍ଧିର ମୁଖ୍ୟ କାରଣ।

କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ସ୍ୱାଧୀନତା ପରଠାରୁ ସର୍ବାଧିକ ୮୯.୮୭% ମତଦାନ ହୋଇଛି। ପୂର୍ବରୁ ୨୦୦୬, ୨୦୧୧ ଏବଂ ୨୦୧୬ରେ ଏହି ରେକର୍ଡ ୮୫% ରହିଥିଲା। ପ୍ରଶାସନିକ ତତ୍ପରତା ଏବଂ ଭୋଟର ସଚେତନତା ଯୋଗୁଁ ଏହି ସଫଳତା ମିଳିଥିବା କୁହାଯାଉଛି।

କେରଳମ୍‌ରେ ଗତ ୩୯ ବର୍ଷ ମଧ୍ୟରେ ଏହା ସର୍ବାଧିକ ମତଦାନ। ଏଠାରେ ପ୍ରାୟ ୭୮.୨୭% ଭୋଟ୍ ପଡ଼ିଛି। ଶେଷ ଥର ପାଇଁ ୧୯୮୭ରେ ୮୦.୫୪% ମତଦାନ ହୋଇଥିଲା। ଭୋଟ ବଢ଼ିବାର କାରଣ କୁହାଯାଉଛି ଯେ ପଶ୍ଚିମବଙ୍ଗ, ତାମିଲନାଡୁ କେରଳରେ ଆଣ୍ଟି-ଇନକମ୍ବେନ୍ସି ବା ଶାସନ ବିରୋଧରେ ଜନଅସନ୍ତୋଷ ପ୍ରକାଶ ପାଇଛି ।

    Posted in Uncategorized.