ଭାରତୀୟ ସଂସଦରେ ପୁଣି ଥରେ ସାମ୍ବିଧାନିକ ସଂସ୍ଥା ବନାମ ରାଜନୈତିକ ଦଳ ମଧ୍ୟରେ ସଂଘର୍ଷ ତୀବ୍ର ହୋଇଛି। ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ରାଜ୍ୟସଭାରେ ଏକ ମହାଭିଯୋଗ ପ୍ରସ୍ତାବ ନୋଟିସ୍ ଦାଖଲ କରିଛନ୍ତି। ଏହି ପଦକ୍ଷେପ ଏବେ ଦେଶର ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି। ବିରୋଧୀ ଦଳଗୁଡ଼ିକର ଅଭିଯୋଗ ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ରହୁନାହିଁ ଏବଂ ନିର୍ବାଚନ କମିଶନ ଶାସକ ଦଳର ଚାପରେ କାର୍ଯ୍ୟ କରୁଛନ୍ତି। ବିଶେଷ କରି ସାମ୍ପ୍ରତିକ ନିର୍ବାଚନରେ ମତଦାନ ହାର ଏବଂ ଇଭିଏମ୍ କୁ ନେଇ ଉଠିଥିବା ବିବାଦର ସଠିକ୍ ସମାଧାନ ହୋଇନଥିବା ବିରୋଧୀ ଦର୍ଶାଇଛନ୍ତି। ଗଣତନ୍ତ୍ରରେ ନିର୍ବାଚନ କମିଶନଙ୍କ ନିରପେକ୍ଷତା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯଦି କମିଶନରଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସେ, ତେବେ ସମ୍ବିଧାନ ପ୍ରଦତ୍ତ ଅଧିକାର ଅନୁଯାୟୀ ସଂସଦରେ ଏହି ପ୍ରସଙ୍ଗ ଉଠାଇବା ସଠିକ୍। ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କ ବିରୋଧରେ ବିନା କଠୋର ପ୍ରମାଣରେ ମହାଭିଯୋଗ ଆଣିବା ଦ୍ୱାରା ଅନୁଷ୍ଠାନର ଗରିମା ନଷ୍ଟ ହୁଏ। ଏହାକୁ ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିବା ସରକାରୀ ପକ୍ଷ ଦାବି କରିଛନ୍ତି।
ସମ୍ବିଧାନର ଅନୁଚ୍ଛେଦ ୧୨୪(୪) ଅନୁଯାୟୀ, ସୁପ୍ରିମକୋର୍ଟର ବିଚାରପତିଙ୍କୁ ଯେପରି ହଟାଯାଏ, ସିଇସିଙ୍କୁ ମଧ୍ୟ ସେହିପରି ହଟାଯାଇପାରିବ। ରାଜ୍ୟସଭାରେ ଅନ୍ତତଃ ୫୦ ଜଣ ସଦସ୍ୟଙ୍କ ସ୍ୱାକ୍ଷର ସହ ନୋଟିସ୍ ଦେବାକୁ ପଡ଼େ। ସଭାପତି ଏହି ପ୍ରସ୍ତାବକୁ ଗ୍ରହଣ କଲେ ଏକ ତଦନ୍ତ କମିଟି ଗଠନ ହେବ। ଉଭୟ ସଦନରେ ଦୁଇ-ତୃତୀୟାଂଶ (୨/୩) ସଦସ୍ୟଙ୍କ ସମର୍ଥନ ମିଳିଲେ ହିଁ ମହାଭିଯୋଗ ସଫଳ ହେବ।
ଜ୍ଞାନେଶ କୁମାରଙ୍କ ବିରୋଧରେ ଆସିଥିବା ଏହି ନୋଟିସ୍ ଫଳରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ଦୂରତା ଆହୁରି ବଢ଼ିବ। ଏହି ପଦକ୍ଷେପ କେତେଦୂର ଆଗକୁ ଯାଉଛି ଏବଂ ନିର୍ବାଚନ କମିଶନଙ୍କ ଭାବମୂର୍ତ୍ତି ଉପରେ ଏହାର କି ପ୍ରଭାବ ପଡ଼ୁଛି, ତାହା ଉପରେ ସମଗ୍ର ଦେଶର ନଜର ରହିଛି। ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କୁ ହଟାଇବାପାଇଁ ବିରୋଧୀ ଦଳ ଗୁଡ଼ିକ ପୁଣିଥରେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାପାଇଁ ରାଜ୍ୟସଭାରେ ଏକ ସଦ୍ୟ ନୋଟିସ୍ ଦାଖଲ କରିଛନ୍ତି। ଏହି ନୋଟିସ୍ରେ ୭୩ ସାଂସଦଙ୍କ ଦସ୍ତଖତ ରହିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଦୁର୍ବ୍ୟବହାର ନେଇ ସିଇସିଙ୍କ ବିରୋଧରେ ୯ଟି ସ୍ବତନ୍ତ୍ର ଅଭିଯୋଗ ରହିଛି। ଏହାସତ୍ତ୍ବେ ସେ ସିଇସି ପଦରେ ରହିବା ସମ୍ବିଧାନ ପ୍ରତି ଏକ ଅପମାନ। ରମେଶ କହିଛନ୍ତି, ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କରିବାପାଇଁ ଅଫିସ୍ରେ ରହିବା ସମ୍ପୂର୍ଣ୍ଣ ଭାବେ ଅପମାନ। ପୂର୍ବରୁ ୧୯ ରାଜନୈତିକ ଦଳ ଏବଂ ପ୍ରାୟ ୩୦୦ ସାଂସଦ ସିଇସିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ। ଚଳିତ ମାସ ଆରମ୍ଭରେ ସିଇସି କୁମାରଙ୍କୁ ହଟାଇବାପାଇଁ ସଂସଦର ଉଭୟ ଗୃହରେ ଦାଖଲ କରାଯାଇଥିବା ପ୍ରସ୍ତାବ ଉଭୟ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ସିସି ରାଧାକ୍ରୀଷ୍ଣନ୍ ପ୍ରତ୍ୟାଖ୍ୟାନ କରିଥିଲେ। କୁମାର ପକ୍ଷପାତ ଆଚରଣ କରୁଛନ୍ତି ବୋଲି ବିରୋଧୀ ଦଳ ଗୁଡ଼ିକ ଅଭିଯୋଗ କରିଥିଲେ। ଦାଖଲ ହୋଇଥିବା ପ୍ରସ୍ତାବରେ ଟିଏମ୍ସି, ଏସ୍ପି, ଡିଏମ୍କେ, ବାମ ଦଳ, ଶିବସେନା (ୟୁବିଟି) , ଏନ୍ସିପି (ଏସ୍ପି), ଆରଜେଡି, ଆଇୟୁଏମଏଲ ଏବଂ ଅନ୍ୟ ଦଳ ଗୁଡ଼ିକ ସ୍ବାକ୍ଷର କରିଛନ୍ତି। ତେବେ ଏହା ଆଗକୁ କି ରୂପ ନେଉଛି ସମୟ କହିବ ।
