ଦିଲ୍ଲୀରେ ‘ଆପ୍’ର ଅସ୍ତଗାମୀ ସୂର୍ଯ୍ୟ? ୭ ସାଂସଦଙ୍କ ପଦ୍ମ ମିଶ୍ରଣ ପରେ କେଜ୍ରିୱାଲଙ୍କ ଦୁର୍ଗରେ ବଡ଼ ଗର୍ତ୍ତ

ଦିଲ୍ଲୀରେ ‘ଆପ୍’ର ଅସ୍ତଗାମୀ ସୂର୍ଯ୍ୟ? ୭ ସାଂସଦଙ୍କ ପଦ୍ମ ମିଶ୍ରଣ ପରେ କେଜ୍ରିୱାଲଙ୍କ ଦୁର୍ଗରେ ବଡ଼ ଗର୍ତ୍ତ

ନୂଆଦିଲ୍ଲୀ: ଦିନେ ଯେଉଁ ଦଳ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଜନ୍ମ ନେଇ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା, ଆଜି ସେହି ଦଳ ଇତିହାସର ସବୁଠାରୁ ବଡ଼ ସଙ୍କଟ ଦେଇ ଗତି କରୁଛି। ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ସମେତ ୭ ଜଣ ପ୍ରଭାବଶାଳୀ ସାଂସଦ ଦଳ ଛାଡ଼ି ବିଜେପିରେ ସାମିଲ ହେବା ପରେ ଏବେ ପ୍ରଶ୍ନ ଉଠୁଛି— ଦିଲ୍ଲୀରେ କ’ଣ ଆମ ଆଦମୀ ପାର୍ଟିର (AAP) ପତ୍ତନ ଆରମ୍ଭ ହୋଇଯାଇଛି?

ରାଜ୍ୟସଭାରେ ଆପ୍‌ର ମୋଟ ୧୦ ଜଣ ସାଂସଦଙ୍କ ମଧ୍ୟରୁ ୭ ଜଣ (ଅର୍ଥାତ୍ ୭୦ ପ୍ରତିଶତ) ଏକାସଙ୍ଗେ ବିଜେପିକୁ ଚାଲିଯିବା କେବଳ ଏକ ମିଶ୍ରଣ ନୁହେଁ, ବରଂ ଏହା ଏକ ‘ସାମ୍ବିଧାନିକ ବ୍ୟୁହ ରଚନା’। ସମ୍ବିଧାନର ୨/୩ ନିୟମ ଅନୁଯାୟୀ, ଏହି ସାଂସଦମାନଙ୍କ ପଦବୀ ଏବେ ସୁରକ୍ଷିତ, କିନ୍ତୁ ଆପ୍‌ ପାଇଁ ଏହା ଏକ ମାରାତ୍ମକ ପ୍ରହାର। ପଦ୍ମ ଧରିଥିବା ୭ ମହାରଥୀ ହେଲେ ରାଘବ ଚଢା,ସନ୍ଦୀପ ପାଠକ ,ସ୍ୱାତୀ ମାଲିୱାଲ ,ହରଭଜନ ସିଂହ, ଅଶୋକ ମିତ୍ତଲ, ରାଜିନ୍ଦର ଗୁପ୍ତା ଏବଂ ବିକ୍ରମ ସାହାଣୀ।

ରାଘବ ଚଢାଙ୍କ ଭଳି ନେତା ଯେତେବେଳେ କହନ୍ତି ଯେ ସେ “ଅପରାଧର ଅଂଶ ହେବାକୁ ଚାହୁଁ ନଥିଲେ”, ସେତେବେଳେ ଦଳର ‘କ୍ଲିନ୍ ଇମେଜ୍’ ବା ସ୍ୱଚ୍ଛ ଭାବମୂର୍ତ୍ତି ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଯାଇଛି। ଦଳ ଭିତରେ ସନ୍ଦୀପ ପାଠକ ଓ ରାଘବଙ୍କ ପରି ରଣନୀତିକାରମାନେ ଥିଲେ। ସେମାନେ ଦଳ ଛାଡ଼ିବା ଅର୍ଥ କେଜ୍ରିୱାଲଙ୍କ କାର୍ଯ୍ୟଶୈଳୀକୁ ନେଇ ଭିତରେ ଭିତରେ ବଡ଼ ବିଦ୍ରୋହ ଚାଲିଥିଲା। ସବୁଠୁ ବଡ଼ କଥା ହେଲା“ସକାରାତ୍ମକ ରାଜନୀତି” ପାଇଁ ବିଜେପିରେ ଯୋଗ ଦେବା କଥା କହି ରାଘବ ଚଢା ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନର ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶ ଗାଥା ଆଗରେ ‘ଆପ୍‌’ର ରାଜନୀତି ଫିକା ପଡ଼ିଯାଇଛି।

ଏହି ୭ ସାଂସଦ ଯିବା ପରେ ଦିଲ୍ଲୀ ଓ ପଞ୍ଜାବରେ ଆମ ଆଦମୀ ପାର୍ଟିର ସଂଗଠନ ଦୁର୍ବଳ ହେବା ନିଶ୍ଚିତ। ଯଦି ଆଗାମୀ ଦିନରେ ବିଧାୟକମାନେ ମଧ୍ୟ ସମାନ ପଥ ଅନୁସରଣ କରନ୍ତି, ତେବେ ଦିଲ୍ଲୀରେ ‘ଆପ୍‌’ ସରକାରର ପତ୍ତନ ଅପରିହାର୍ଯ୍ୟ ହୋଇପାରେ।ଭାଜପାରେ ଯୋଗଦେଲେ ରାଘବ ଚଢା। କିଛି ସମୟ ପୂର୍ୱରୁ ଏଏପିରୁ ଇସ୍ତଫା ଘୋଷଣା କରିଥିବା ରାଜ୍ୟ ସଭା ଏମପି ରାଘବ ଚଢା, ଅଶୋକ ମିତ୍ତଲ ଏବଂ ସନ୍ଦୀପ ପାଠକ ଶୁକ୍ରବାର ଦିଲ୍ଲୀରେ ପାର୍ଟି ମୁଖ୍ୟ ନୀତିନ ନବୀନଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇଛନ୍ତି। ବାକି ୫ ଏମପି ହେଉଛନ୍ତି ପୂର୍ୱତନ କ୍ରିକେଟର ହରଭଜନ ସିଂହ, ସ୍ୱାତୀ ମାଲିୱାଲ, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ରାଜିନ୍ଦର ଗୁପ୍ତା ଏବଂ ବିକ୍ରମ ସାହାଣୀ। ଚଢା ଘୋଷଣା କରିଥିଲେ ଯେ ସେ ଏଏପି ଛାଡୁଛନ୍ତି। ଏହା ଏକ ଦୁର୍ନୀତି ବିରୋଧୀ ମଞ୍ଚରେ 2012 ରେ ଗଠିତ ଦଳ। ଏବଂ ଅନ୍ୟ ଛଅ ଜଣ ଏଏପି ଏମପି ମଧ୍ୟ ତାଙ୍କ ସହିତ ଭାଜପାରେ ଯୋଗଦେବେ।ରାଘବ ଚଢା କହିଛନ୍ତି, ଆମ ପାଖରେ କେବଳ ଦୁଇଟି ବିକଳ୍ପ ଥିଲା, ରାଜନୀତି ଛାଡି ଗତ 15-16 ବର୍ଷ ଧରି ଆମେ କରିଥିବା ଜନହିତକର କାର୍ଯ୍ୟକୁ ପରିତ୍ୟାଗ କରିବା, କିମ୍ୱା ଆମର ଶକ୍ତି ଏବଂ ଅଭିଜ୍ଞତାକୁ ସକାରାତ୍ମକ ରାଜନୀତି କରିବା ପାଇଁ ବ୍ୟବହାର କରିବା।” ତେଣୁ, ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ, ରାଜ୍ୟ ସଭାରେ ଏଏପି ସଦସ୍ୟଙ୍କ ମଧ୍ୟରୁ 2/3, ଭାରତର ସମ୍ୱିଧାନର ବ୍ୟବସ୍ଥା ବ୍ୟବହାର କରି ଭାଜପାରେ ଯୋଗଦେବୁ।

Posted in ଦେଶ ବିଦେଶ, ରାଜନୀତି.