ଭାଙ୍ଗିଯିବ କି ଟିଏମ୍‌ସି?

ଭାଙ୍ଗିଯିବ କି ଟିଏମ୍‌ସି?

ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର କ୍ଷମତା କରିଡର ‘ନବାନ୍ନ’ରୁ ଆସିଛି ସବୁଠାରୁ ବଡ଼ ରାଜନୈତିକ ଖବର, ଯାହା ତୃଣମୂଳ କଂଗ୍ରେସ (TMC) ର ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି। ଟିଏମ୍‌ସି ଭିତରେ ଆରମ୍ଭ ହୋଇଥିବା ହାଇ-ଭୋଲ୍ଟେଜ୍ ଡ୍ରାମା ଏବେ ସହଜରେ ଶେଷ ହେବା ଭଳି ମନେ ହେଉନାହିଁ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟ ‘ନବାନ୍ନ’ଠାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ସମୀକ୍ଷା ବୈଠକକୁ ନେଇ ପୂର୍ବରୁ ଯେଉଁ ସନ୍ଦେହ କରାଯାଉଥିଲା, ତାହା ଏବେ ସତ ପ୍ରମାଣିତ ହୋଇଛି। ପ୍ରଥମେ କେବଳ ୩ ଜଣ ଟିଏମ୍‌ସି ବିଧାୟକ ଏହି ବୈଠକରେ ଯୋଗ ଦେଇଥିବା କୁହାଯାଉଥିବା ବେଳେ, ଏବେ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ ମୋଟ ୧୮ ଜଣ ପ୍ରଭାବଶାଳୀ ଟିଏମ୍‌ସି ବିଧାୟକ ଓ ନେତା ଏଥିରେ ସାମିଲ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏକାଠି ବସିଥିବା ଟିଏମ୍‌ସି କ୍ୟାମ୍ପର ପ୍ରମୁଖ ନେତାମାନଙ୍କ ନାମ ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରେ ଅଛନ୍ତି: ୧. ଜାଭେଦ ଖାନ, ୨. ଫିରହାଦ ହକିମ, ୩. ନୟନ ବନ୍ଦ୍ୟୋପାଧ୍ୟାୟ, ୪. କୁନାଲ ଘୋଷ, ୫. ଋତବ୍ରତ ବାନାର୍ଜୀ (ନିଲମ୍ବିତ), ୬. ସନ୍ଦୀପନ ସାହା (ନିଲମ୍ବିତ), ୭. ଅଶୋକ ଦେବ, ୮. ଅରୁଣ ସେନ, ୯. ସମୀର ପାଞ୍ଜା, ୧୦. ପ୍ରିୟା ପାଲ, ୧୧. ଗୁଲଶନ ମଲ୍ଲିକ, ୧୨. ତାପସ ମାଇତି, ୧୩. ନିଳିମା ମିସ୍ତ୍ରୀ, ୧୪. ଅବଦୁଲ ଖଲେକ ମୋଲ୍ଲା, ୧୫. ବାହାରୁଲ ଇସଲାମ, ୧୬. ପରେଶ ରାମ ଦାସ, ୧୭. ଜୟଦେବ ହାଲଦାର ଏବଂ ୧୮. ସମୀର ଜାନା।

ଟିଏମ୍‌ସିର ଏହି ବରିଷ୍ଠ ବିଧାୟକମାନଙ୍କ ମଧ୍ୟରେ କେତେକ ଦଳରୁ ନିଲମ୍ବିତ ନେତା ଥିବା ବେଳେ ଅନ୍ୟମାନେ ମଧ୍ୟ ଦଳୀୟ ସଂଗଠନ ଉପରେ ଦୀର୍ଘ ଦିନରୁ ଅସନ୍ତୁଷ୍ଟ ଥିବା କୁହାଯାଉଛି। ପ୍ରଶାସନିକ ସମୀକ୍ଷା ବୈଠକ ଆଳରେ ଏଭଳି ଏକାସଙ୍ଗେ ୧୮ ଜଣ ବିଧାୟକଙ୍କ ମୁଖ୍ୟମନ୍ତ୍ରୀଙ୍କ ଶିବିରକୁ ଯିବା ସ୍ପଷ୍ଟ ସୂଚାଉଛି ଯେ, ବଙ୍ଗଳା ରାଜନୀତିରେ ଏକ ବଡ଼ ଧରଣର ବିଦ୍ରୋହ କିମ୍ବା ଦଳ ବଦଳର ପୃଷ୍ଠଭୂମି ପ୍ରସ୍ତୁତ ହୋଇସାରିଛି। ରାଜନୈତିକ ସମୀକ୍ଷକଙ୍କ ମତରେ, ଯଦି ଏହି ବିଧାୟକମାନେ ଦଳୀୟ ହୁଇପ୍‌କୁ ଅମାନ୍ୟ କରି ଆଗକୁ ବଢ଼ନ୍ତି, ତେବେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସରେ ଏକ ବଡ଼ ସଂଖ୍ୟାଗରିଷ୍ଠ ସଙ୍କଟ ସୃଷ୍ଟି ହୋଇପାରେ ଏବଂ ମମତା ବାନାର୍ଜୀଙ୍କ ଗଡ଼ ସମ୍ପୂର୍ଣ୍ଣ ଭାବେ ଦୋହଲିଯାଇପାରେ।

ସମୀକ୍ଷା ବୈଠକର ଏହି ଚିତ୍ର ପଶ୍ଚିମବଙ୍ଗର ଶାସକ ଦଳ ଭିତରେ ଚାଲିଥିବା ଆନ୍ତରିକ କନ୍ଦଳ ଓ ଅସନ୍ତୋଷକୁ ସାରା ଦେଶ ସାମ୍ନାରେ ପଦାରେ ପକାଇଛି। ଏହି ପାୱାର ଶିଫ୍ଟ (Power Shift) ଆଗାମୀ ଦିନରେ ବଙ୍ଗଳା ସରକାର ଓ ସଂଗଠନକୁ କେଉଁ ମୋଡ଼କୁ ନେଉଛି, ତାହା ସମୟ କହିବ ।

Posted in ଦେଶ ବିଦେଶ.