ଭାରତୀୟ ଗଣତନ୍ତ୍ରର ଇତିହାସରେ ଆଜି ଏକ ନୂଆ କୀର୍ତ୍ତିମାନ ସ୍ଥାପନ ହୋଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ନିରନ୍ତର କାର୍ଯ୍ୟ କରିଥିବା ନିର୍ବାଚିତ ଶାସନ ମୁଖ୍ୟ ହେବାର ଅନନ୍ୟ ଗୌରବ ଅର୍ଜନ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଭାବେ ସେ କ୍ରମାଗତ ୧୨ ବର୍ଷ ବା 4399 ଦିନ ପୂରଣ କରିଥିବା ବେଳେ ତାଙ୍କ ନେତୃତ୍ୱାଧୀନ ସରକାର ଏବେ ୧୩ ବର୍ଷରେ ଅଗ୍ରସର ହେଉଛନ୍ତି। ଏହି ଐତିହାସିକ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀର ହୌଜ୍ ଖାସ୍ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ନିରନ୍ତର କାମନା କରି ବିଶେଷ ପ୍ରାର୍ଥନା କରିଛନ୍ତି।
ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସେବା ପାଇଁ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଛନ୍ତି। ଦିନରାତି ଏକ କରି ଅକ୍ଲାନ୍ତ ପରିଶ୍ରମ ମାଧ୍ୟମରେ ଦେଶର ଗରିବ, ମହିଳା, ଯୁବକ ଓ କୃଷକମାନଙ୍କ କଲ୍ୟାଣ କରିବା ସହ ଭାରତର ସର୍ବାଙ୍ଗୀନ ବିକାଶ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ରହିଛି। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକାଳ ଦେଶରେ ସେବା ଓ ସମର୍ପଣର ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି।
ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଓ ଅନୁଗାମୀ। ତାଙ୍କର ସାମାଜିକ ଜୀବନର ଯାତ୍ରା ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ଗଢ଼ିଉଠିଛି। ବହୁ ବର୍ଷ ପୂର୍ବେ ଗୁଜରାଟର ଅହମ୍ମଦାବାଦସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ହିଁ ସେ ନିଜର ସାମାଜିକ ଜୀବନର ଯାତ୍ରା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଓ ପରେ, ସେ ଯେତେବେଳେ ବି ଓଡ଼ିଶା ଯିବାର ସୁଯୋଗ ପାଇଛନ୍ତି, ମହାପ୍ରଭୁଙ୍କ ଶରଣାପନ୍ନ ହୋଇ ଆଶୀର୍ବାଦ ଭିକ୍ଷା କରିବାକୁ କେବେହେଲେ ଭୁଲିନାହାନ୍ତି।
ମହାପ୍ରଭୁଙ୍କ ଶ୍ରୀଚରଣରେ ଗଭୀର ଆସ୍ଥା ପ୍ରକଟ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ମହାପ୍ରଭୁଙ୍କ କୃପା ସମଗ୍ର ଦେଶବାସୀଙ୍କ ଉପରେ ରହିଛି ଏବଂ ଏହା ପ୍ରଧାନମନ୍ତ୍ରୀଙ୍କ ଉପରେ ମଧ୍ୟ ବଜାୟ ରହୁ। ପ୍ରଧାନମନ୍ତ୍ରୀଙ୍କ ସମର୍ଥ ନେତୃତ୍ୱରେ ଆମ ଦେଶ ଜନସେବା ଓ ରାଷ୍ଟ୍ର ଗଠନର ମହାନ ଦାୟିତ୍ୱକୁ ସଫଳତାର ସହ ଆଗକୁ ନେଉଛି। ତାଙ୍କରି ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ବଳରେ ୨୦୪୭ ସୁଦ୍ଧା ଭାରତ ଆହୁରି ବିକଶିତ, ସମୃଦ୍ଧ ଏବଂ ପ୍ରଗତିଶୀଳ ରାଷ୍ଟ୍ରରେ ପରିଣତ ହେବ ବୋଲି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢ଼ ଆଶା ପ୍ରକଟ କରିଛନ୍ତି।
