୪ ମାସର ଯୁଦ୍ଧରେ ପଡ଼ିବ କି ପୂର୍ଣ୍ଣଛେଦ!

୪ ମାସର ଯୁଦ୍ଧରେ ପଡ଼ିବ କି ପୂର୍ଣ୍ଣଛେଦ!

ବିଶ୍ୱ ରାଜନୀତି ଏବଂ ମଧ୍ୟ-ପ୍ରାଚ୍ୟ ରୁ ଆସିଛି ସବୁଠାରୁ ଆଶ୍ୱସ୍ତିକର ଖବର। ଆମେରିକା ଏବଂ ଇରାନ ମଧ୍ୟରେ ଗତ ପ୍ରାୟ ଚାରି ମାସ ଧରି ଚାଲିଥିବା ଭୟଙ୍କର ଯୁଦ୍ଧ ପରିସ୍ଥିତିର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ନେଇ ସହମତି ପ୍ରକାଶ ପାଇଛି। ଏହି ମେଗା ଚୁକ୍ତି ବିଶ୍ୱ ବଜାରକୁ ମହଙ୍ଗା ମାଡ଼ ଓ ଅଶୋଧିତ ତୈଳ ସଙ୍କଟରୁ ରକ୍ଷା କରିବ ବୋଲି ଆଶା କରାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ ରେ ଏହି ବିଶ୍ୱବ୍ୟାପୀ ଚହଳ ପକାଇଥିବା ଐତିହାସିକ ଚୁକ୍ତି ସମ୍ପର୍କରେ ଔପଚାରିକ ଘୋଷଣା କରିଛନ୍ତି। ଆମେରିକା ଏବଂ ଇରାନ ଚୁକ୍ତି ପାଇଁ ସହମତି ପ୍ରକାଶ କରିଥିବା ନେଇ ସେ ସ୍ପଷ୍ଟ କରିଛନ୍ତି।

ବିଶ୍ୱ ବାଣିଜ୍ୟ ଏବଂ ବିଶେଷ କରି ତୈଳ ପରିବହନ ପାଇଁ ସବୁଠାରୁ ସମ୍ବେଦନଶୀଳ ମାର୍ଗ କୁହାଯାଉଥିବା ‘ହର୍ମୁଜ ପ୍ରଣାଳୀ’ ଏବେ ସାରା ବିଶ୍ୱର ସମସ୍ତ ବ୍ୟବସାୟିକ ଓ ସାଧାରଣ ଜାହାଜ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ଭାବେ ଖୋଲାଯିବ। ଇରାନର ବିଭିନ୍ନ ପ୍ରମୁଖ ବନ୍ଦର ଗୁଡ଼ିକ ଉପରେ ଆମେରିକା ସେନା ପକ୍ଷରୁ ଜାରି ରହିଥିବା କଠୋର ନୌସେନା ଅବରୋଧ କୁ ତୁରନ୍ତ ପ୍ରତ୍ୟାହାର କରାଯିବ।

ଗତ ୪ ମାସ ଧରି ଚାଲିଥିବା ଏହି ସାମରିକ ସଂଘର୍ଷ ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ସୁନା ଏବଂ ଅଶୋଧିତ ତୈଳ ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଥିଲା, ଯାହା ଭାରତ ସମେତ ବିଶ୍ୱର ଅନେକ ବିକାଶଶୀଳ ରାଷ୍ଟ୍ର ପାଇଁ ଚିନ୍ତାର କାରଣ ସାଜିଥିଲା। ହର୍ମୁଜ ପ୍ରଣାଳୀ ବନ୍ଦ ଥିବାରୁ ସାମୁଦ୍ରିକ ବାଣିଜ୍ୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ଏହି ଦୁଇ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ମଧ୍ୟରେ ଶାନ୍ତି ଚୁକ୍ତି ହେବା ଫଳରେ ବିଶ୍ୱ ବଜାର ସ୍ୱାଭାବିକ ହେବା ସହ ମଧ୍ୟ-ପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧର ଉତ୍ତେଜନା ସମ୍ପୂର୍ଣ୍ଣ ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ତେବେ ଏହି ଦୁଇ ଦେଶର ନିଷ୍ପତ୍ତି ବଦଳୁଥିବାରୁ ଆଗକୁ କଣ ହେଉଛି ତାହାକୁ ଅପେକ୍ଷା ।

Posted in Uncategorized.