ଗୋତି ଶ୍ରମିକଙ୍କ ପ୍ରଥା ଚାଲିଛି ଏବେ ବି  ବଡ଼ ବଡ଼ୁଆଙ୍କ ଘରେ !

ଗୋତି ଶ୍ରମିକଙ୍କ ପ୍ରଥା ଚାଲିଛି ଏବେ ବି ବଡ଼ ବଡ଼ୁଆଙ୍କ ଘରେ !

ଏଡିଜି ଦୟାଲ ଗଙ୍ଗୱାରଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଓଡ଼ିଶା ପ୍ରଶାସନର ଏକ ଅନ୍ଧାରୀ ଦିଗକୁ ପଦାରେ ପକାଇଛି। ପୋଲିସ ଡିଜିଙ୍କ ଗୋପନୀୟ ରିପୋର୍ଟ ଆଧାରରେ ଗଙ୍ଗୱାରଙ୍କୁ ସସପେଣ୍ଡ ତ କରାଯାଇଛି, କିନ୍ତୁ ଏହି ଘଟଣା ସାରା ରାଜ୍ୟରେ ଏକ ବଡ଼ ବିତର୍କକୁ ଜନ୍ମ ଦେଇଛି। ଜଣେ ନିଲମ୍ବିତ ଅଧିକାରୀଙ୍କ ବାସଭବନରେ ବିନା ଅନୁମତିରେ ୮ ଜଣ ପ୍ରଶିକ୍ଷିତ କନଷ୍ଟେବଳ ଘର କାମ କରୁଥିଲେ ଏବଂ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ୮ ଜଣଙ୍କ ମଧ୍ୟରେ ଜିଆରପି ର ଜଣେ ମୃତ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ନାମ ମଧ୍ୟ ସାମିଲ ଥିଲା। ପଦବୀରୁ ହଟିବା ପରେ ମଧ୍ୟ ଏହି କର୍ମଚାରୀମାନଙ୍କୁ ପାରିବାରିକ କାର୍ଯ୍ୟରେ ନିୟୋଜିତ କରିବା ଦର୍ଶାଉଛି ଯେ, ରାଜ୍ୟରେ ଆଇନର ରକ୍ଷକମାନେ କେମିତି ସରକାରୀ ନିୟମକୁ ବେଖାତିର କରୁଛନ୍ତି।

ବ୍ରିଟିଶ ଶାସନ ସମୟରେ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ କାର୍ଯ୍ୟାଳୟ ଓ ବାସଭବନ କାମରେ ସହଯୋଗ ପାଇଁ ଏଭଳି ଗୋତି ଶ୍ରମିକ ନିୟୋଜିତ କରାଯାଉଥିଲା। ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଓଡ଼ିଶାରେ ଏହି ପ୍ରଥା ପରୋକ୍ଷରେ ଜାରି ରହିଛି କହିଲେ କିଛି ଭୁଲ ହେବ ନାହିଁ। ଓଡ଼ିଶା ପୋଲିସ ୱେବସାଇଟରେ ଫଲୋଅର ଅର୍ଡଲି ସମ୍ବନ୍ଧୀୟ ପୁରୁଣା ସର୍କୁଲାରଗୁଡ଼ିକ ଏବେ ବି ଉଲ୍ଲେଖ ଅଛି, କିନ୍ତୁ ଏହି ପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ସରକାରୀ ସ୍ତରରେ ନାହିଁ।

ଚର୍ଚ୍ଚା ହେଉଛି ଯେ, ରାଜ୍ୟରେ ଜଣେ ଜଣେ ବରିଷ୍ଠ ଆଇପିଏସ୍ କିମ୍ବା ପୋଲିସ ଅଧିକାରୀଙ୍କ ଘରେ ୮ରୁ ୧୦ ଜଣ ଲେଖାଏଁ କର୍ମଚାରୀ କାମ କରୁଛନ୍ତି। ଏମାନଙ୍କ ମଧ୍ୟରେ , ହୋମଗାର୍ଡ ଏବଂ ଆର୍ମଡ ଫୋର୍ସ ପାଇଁ କଠିନ ତାଲିମ ନେଇଥିବା କନଷ୍ଟେବଳ ମଧ୍ୟ ସାମିଲ ଅଛନ୍ତି, ଯେଉଁମାନେ ଦେଶ ଓ ସମାଜ ସେବା କରିବା ବଦଳରେ ବଡ଼ ବାବୁଙ୍କ ଘରେ ବଜାର କରିବା, ରୋଷେଇ କରିବା କିମ୍ବା ବାଗାନ ସଫା କରିବା , ତାଙ୍କ ପିଲାମାନଙ୍କୁ ସ୍କୁଲରେ ନେଇ ଛାଡିବା ଭଳି ବ୍ୟକ୍ତିଗତ କାମରେ ନିଜ ସମୟ ଅତିବାହିତ କରୁଛନ୍ତି।

ଗୋଟିଏ ପଟେ ଓଡ଼ିଶାରେ ଆଇନ ଶୃଙ୍ଖଳା ସ୍ଥିତିକୁ ସମ୍ଭାଳିବା ପାଇଁ ଏବଂ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ତଳିଆ ପୋଲିସ କର୍ମଚାରୀଙ୍କ ଘୋର ଅଭାବ ରହିଛି। ଅନ୍ୟପଟେ ଶତାଧିକ ପ୍ରଶିକ୍ଷିତ ଯବାନ ଓ କନଷ୍ଟେବଳ ବାସଭବନରେ ଖଟୁଛନ୍ତି। ସାଧାରଣ ଜନତା ଏବଂ କରଦାତା ଙ୍କ ପଇସାରୁ ଦରମା ପାଉଥିବା ଏହି କର୍ମଚାରୀମାନଙ୍କୁ କେଉଁ ଆଧାରରେ ବ୍ୟକ୍ତିଗତ କାମରେ ଲଗାଯାଉଛି, ତାହା ଏକ ବଡ଼ ପ୍ରଶ୍ନ। ଯଦି ଜଣେ ଗଙ୍ଗୱାର ବିନା ଅନୁମତିରେ ୮ ଜଣଙ୍କୁ ରଖିପାରୁଛନ୍ତି, ତେବେ ରାଜ୍ୟର ଅନ୍ୟ ବରିଷ୍ଠ ଅଧିକାରୀମାନେ କେତେ ସଂଖ୍ୟାରେ କର୍ମଚାରୀଙ୍କୁ ନିଜ ଅକ୍ତିଆରରେ ରଖିଥିବେ, ତାହାର ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ନିହାତି ଜରୁରୀ।

ସମୟ ବଦଳିବା ସହ ଦେଶର ଅନେକ ପ୍ରଗତିଶୀଳ ରାଜ୍ୟ ଏହି ବ୍ରିଟିଶକାଳୀନ ପ୍ରଥାକୁ ଜମା ପସନ୍ଦ କରିନାହାନ୍ତି। ତାମିଲନାଡୁ, କର୍ଣ୍ଣାଟକ ଏବଂ କେରଳ ଭଳି ରାଜ୍ୟରେ ଏଭଳି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଗଲାଣି। କିନ୍ତୁ ଓଡ଼ିଶାରେ ଏହି ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ କାହିଁକି ଆନ୍ତରିକତା ଦେଖାଯାଉନାହିଁ, ତାହା ଚିନ୍ତାର ବିଷୟ।

ଏହି ସମସ୍ୟା କେବଳ ପୋଲିସ ବାହିନୀ ମଧ୍ୟରେ ସୀମିତ ନାହିଁ। ରାଜ୍ୟର ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ, ପୂର୍ତ୍ତ ବିଭାଗ ଏବଂ ସେକ୍ରେଟେରିଏଟ୍‌ର ଅନେକ ବଡ଼ ବଡ଼ ଅଧିକାରୀ ମାନେ ନିଜ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ, ପିଅନ କିମ୍ବା ଡ୍ରାଇଭରମାନଙ୍କୁ ଅଫିସ୍ କାମ ବଦଳରେ ନିଜ ଘରର ପାରିବାରିକ କାର୍ଯ୍ୟରେ ନିୟୋଜିତ କରୁଥିବାର ନଜିର ରହିଛି। ସରକାରୀ ଗାଡ଼ିର ବ୍ୟକ୍ତିଗତ ବ୍ୟବହାରଠାରୁ ଆରମ୍ଭ କରି କର୍ମଚାରୀଙ୍କୁ ଘରୋଇ ଚାକର ଭଳି ଖଟାଇବା ଏହି ବାବୁ ସଂସ୍କୃତିର ଚରମ ସୀମାକୁ ଦର୍ଶାଉଛି।

ଦୟାଲ ଗଙ୍ଗୱାରଙ୍କ ମାମଲା ଓଡ଼ିଶା ସରକାରଙ୍କ ପାଇଁ ବ୍ୟବସ୍ଥା ସୁଧାରିବାର ଏକ ବଡ଼ ସୁଯୋଗ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଏହି ‘ଗୋତି ଶ୍ରମିକ ବ୍ୟବସ୍ଥା’ ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଇ ରାଜ୍ୟରୁ ଏହି ବ୍ରିଟିଶ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଉଠାଇବା ଆବଶ୍ୟକ, ଯେପରି ପ୍ରତିଟି ସରକାରୀ କର୍ମଚାରୀ କେବଳ ଜନସାଧାରଣ ଓ ରାଜ୍ୟର ସେବାରେ ନିଜକୁ ନିୟୋଜିତ କରିପାରିବେ ସେନେଇ ନିଷ୍ପତ୍ତି ନେବାର ସମୟ ଆସିଛି ।

Posted in Uncategorized.