ରାଇରଙ୍ଗପୁରଠାରେ ଆସନ୍ତାକାଲି ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା ବିକାଶ କେନ୍ଦ୍ର ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା ବିକାଶ କେନ୍ଦ୍ର ଭବନର ସ୍ଥାୟୀ କ୍ୟାମ୍ପସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ଐତିହାସିକ ସମାରୋହ ସମ୍ପର୍କରେ ଇଗ୍ନୋର କୁଳପତି ପ୍ରଫେସର ଉମା କାଞ୍ଜିଲାଲ, ରେଜିଷ୍ଟ୍ରାର ପ୍ରଫେସର ଜିତେନ୍ଦ୍ର ଶ୍ରୀବାସ୍ତବ ଏବଂ ବିତ୍ତ ଅଧିକାରୀ ଡକ୍ଟର ଜିତେନ୍ଦ୍ର ଦେବ ଗଙ୍ଗୱାର ସୂଚନା ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ଏହି ପ୍ରକଳ୍ପର ଗୁରୁତ୍ୱ ଉପରେ ସେମାନେ ଆଲୋକପାତ କରିଛନ୍ତି।

କୁଳପତି କହିଛନ୍ତି, ରାଇରଙ୍ଗପୁରରେ ସ୍ଥାୟୀ ଇଗ୍ନୋ କ୍ୟାମ୍ପସ ପ୍ରତିଷ୍ଠା ଉତ୍ତର ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ଗୁଣାତ୍ମକ ଉଚ୍ଚଶିକ୍ଷା, ବୃତ୍ତିଗତ ତାଲିମ ଏବଂ ଆଜୀବନ ଶିକ୍ଷା ସୁଯୋଗର ଉପଲବ୍ଧତାକୁ ବିସ୍ତାର କରିବାରେ ଏକ ପ୍ରମୁଖ ମାଇଲଖୁଣ୍ଟ। ନୂତନ ଭିତ୍ତିଭୂମି ଶିକ୍ଷାର୍ଥୀ ସହାୟତା ସେବାକୁ ସୁଦୃଢ଼ କରିବ ଏବଂ ନବସୃଜନଶୀଳ ଶୈକ୍ଷିକ ଏବଂ ଦକ୍ଷତା-ଭିତ୍ତିକ ପାଠ୍ୟକ୍ରମଗୁଡ଼ିକର କାର୍ଯ୍ୟକାରିତାକୁ ସହଜ କରିବ।

କୁଳସଚିବ ସୂଚନା ଦେଇଛନ୍ତି ଯେ ୨୦ ଜୁନ୍ ୨୦୨୬ରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଶିଳାନ୍ୟାସ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନୂତନ କ୍ୟାମ୍ପସ ସମାବେଶୀ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷାର ଏକ କେନ୍ଦ୍ର ଭାବରେ ଉଭା ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି ।

ଆଧୁନିକ ଶୈକ୍ଷିକ ଏବଂ ପ୍ରଶାସନିକ ସୁବିଧାର ବିକାଶ ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ଉପରେ ବିତ୍ତ ଅଧିକାରୀ ଆଲୋକପାତ କରିଥିଲେ । ଏହି ପ୍ରକଳ୍ପକୁ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ିର ଶିକ୍ଷାର୍ଥୀମାନଙ୍କୁ ସେବା ଯୋଗାଇବା ପାଇଁ ଦକ୍ଷତାର ସହିତ କାର୍ଯ୍ୟକାରୀ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ଇଗ୍ନୋ ଆଞ୍ଚଳିକ କେନ୍ଦ୍ର, ରାଇରଙ୍ଗପୁରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଏମ୍. କେ. ଦାଶ, ଆସନ୍ତାକାଲିର ସମାରୋହରେ ଯୋଗଦେବା ନିମନ୍ତେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସଦୟ ସମ୍ମତି ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ସେ କହିଥିଲେ, ରାଇରଙ୍ଗପୁରର ସ୍ଥାୟୀ କ୍ୟାମ୍ପସ ସ୍ଥାନୀୟ ଅଞ୍ଚଳରେ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଏବଂ ଶିକ୍ଷାର୍ଥୀ ସହାୟତା ସେବାର ଉପଲବ୍ଧତାକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିବ। ନୂତନ କେନ୍ଦ୍ର ହଜାର ହଜାର ଶିକ୍ଷାର୍ଥୀଙ୍କୁ, ବିଶେଷକରି ଗ୍ରାମୀଣ ଏବଂ ଆଦିବାସୀ ଅଞ୍ଚଳର ପିଲାମାନଙ୍କୁ ଉପକୃତ କରିବ ତଥା ଉତ୍ତର ଓଡ଼ିଶାର ଶିକ୍ଷାଗତ ଓ ସାମାଜିକ-ଆର୍ଥିକ ବିକାଶରେ ଯୋଗଦାନ ଦେବ।

Posted in ରାଜ୍ୟ.