ଏନସିଓଆରଡିର ୧୦ମ ଶୀର୍ଷ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ଶ୍ରୀ ଅମିତ ଶାହ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ନାର୍କୋ-କୋଅର୍ଡିନେସନ ସେଣ୍ଟର (ଏନସିଓଆରଡି)ର ୧୦ମ ଶୀର୍ଷ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଗୃହମନ୍ତ୍ରୀ ‘ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ (୨୦୨୬-୨୦୨୯)’ ଏବଂ ‘ଏନସିବିର ବାର୍ଷିକ ରିପୋର୍ଟ-୨୦୨୫’ ଉନ୍ମୋଚନ କରିବା ସହ ଜାମ୍ମୁ ଓ ଗୌହାଟୀରେ ଏନସିବି ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକୁ ଇ-ଉଦଘାଟନ କରିଛନ୍ତି। ଶ୍ରୀ ଶାହ ୨,୦୯,୫୦୦ କିଲୋଗ୍ରାମ ଓଜନର ଏବଂ ୬,୦୦୦ କୋଟି ଟଙ୍କା ମୂଲ୍ୟର ମାଦକ ଦ୍ରବ୍ୟ ନଷ୍ଟ କରିବା ପାଇଁ ‘ଅନଲାଇନ ଡ୍ରଗ୍ସ ନଷ୍ଟ ପକ୍ଷ ପାଳନ ଅଭିଯାନ’ର ମଧ୍ୟ ଶୁଭାରମ୍ଭ କରିଛନ୍ତି।

ନିଜ ସମ୍ବୋଧନରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଆଜି ଆମ ଦେଶ ମାଦକ ଦ୍ରବ୍ୟ ବିରୋଧରେ ଲଢ଼େଇର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଛିଡ଼ା ହୋଇଛି, ଯେଉଁଠାରେ ଆସନ୍ତା ତିନି ବର୍ଷ ସ୍ଥିର କରିବ ଯେ ନିଶା ଆମକୁ ପରାସ୍ତ କରିବ ନା ଆମେ ନିଶାକୁ ପରାସ୍ତ କରିବୁ। ସେ କହିଛନ୍ତି ଯେ ଆସନ୍ତା ୧୦୦ ବର୍ଷ ପାଇଁ ଦେଶର ଭବିଷ୍ୟତ ପାଇଁ ଆମକୁ ଦୃଢ଼ ସଂକଳ୍ପ ଏବଂ ମିଳିତ ପ୍ରୟାସରେ ଏହି ଯୁଦ୍ଧ ଜିତିବାକୁ ହେବ। ଏହି ଲଢ଼େଇ କୌଣସି ଗୋଟିଏ ବିଭାଗ, ରାଜ୍ୟ, ସରକାର କିମ୍ବା ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଲଢ଼ାଯାଇପାରିବ ନାହିଁ। ବରଂ ସମସ୍ତ ରାଜ୍ୟ ଏବଂ ସେମାନଙ୍କର ସମ୍ପୃକ୍ତ ବିଭାଗଗୁଡ଼ିକୁ ଏକାଠି ଏକ ମଞ୍ଚକୁ ଆସିବାକୁ ହେବ। ଏହି ଲଢ଼େଇରେ ଆମକୁ ଜନସାଧାରଣଙ୍କୁ ଅନୁପ୍ରାଣିତ କରୁଥିବା ଲୋକଙ୍କୁ, ଦେଶର ଭବିଷ୍ୟତ ଗଢ଼ିବାକୁ ଥିବା ଯୁବପିଢ଼ିଙ୍କୁ ଏବଂ ଆମର ମାତୃଶକ୍ତିକୁ ମଧ୍ୟ ସାମିଲ କରିବାକୁ ହେବ। କେବଳ ସେତିକିବେଳେ ହିଁ ଆମେ ଏହି ଯୁଦ୍ଧରେ ସମ୍ପୂର୍ଣ୍ଣ ସଫଳତା ପାଇପାରିବା। ଶ୍ରୀ ଶାହ ଗୁରୁତ୍ୱାରୋପ କରି କହିଛନ୍ତି ଯେ ମାଦକ ଦ୍ରବ୍ୟ ସମସ୍ୟା କେବଳ ଆଇନ ଶୃଙ୍ଖଳା କିମ୍ବା ଜନସ୍ୱାସ୍ଥ୍ୟର ବିଷୟ ନୁହେଁ। ଏହା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା, ସାମାଜିକ ସ୍ଥିରତା, ଅର୍ଥନୈତିକ ସ୍ୱାର୍ଥର ସୁରକ୍ଷା ଏବଂ ଆମ ଯୁବପିଢ଼ିଙ୍କ ଭବିଷ୍ୟତ ଏବଂ ସେମାନଙ୍କ ମାଧ୍ୟମରେ ଦେଶର ଭବିଷ୍ୟତ ସହ ଗଭୀର ଭାବେ ଜଡ଼ିତ। ଏହି ସମସ୍ୟା ଉପରେ ସମ୍ପୂର୍ଣ୍ଣ ବିଜୟ ହାସଲ କରିବା ଭାରତର ସମସ୍ତ ରାଜ୍ୟ ପାଇଁ ଏକ ମିଳିତ ଜାତୀୟ ଲକ୍ଷ୍ୟ ହେବା ଉଚିତ।

ଶ୍ରୀ ଶାହ କହିଛନ୍ତି ଯେ ଡ୍ରଗ୍ସ ଚୋରା ଚାଲାଣ ସହିତ ସଂଗଠିତ ଅପରାଧ, ନିଶାଦ୍ରବ୍ୟ ବ୍ୟବସାୟ ଜନିତ ଆର୍ଥିକ କାରବାର ଏବଂ ସୀମାପାର ଆତଙ୍କବାଦୀ ନେଟୱାର୍କର ପାଣ୍ଠି ଯୋଗାଣ ଯୋଗୁଁ ଏହି ସମସ୍ୟା ଏକ ‘ବିକଶିତ ନାର୍କୋ-ଆତଙ୍କବାଦୀ ଇକୋସିଷ୍ଟମ’ରେ ପରିଣତ ହୋଇଛି। ଆମ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା, ଅର୍ଥନୀତିର ସୁରକ୍ଷା ଏବଂ ଆମର ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ଆମକୁ ଏହି ବିପଦ ଉପରେ ସମ୍ପୂର୍ଣ୍ଣ ବିଜୟ ହାସଲ କରିବାକୁ ହେବ। ଆମେ ଭୌଗୋଳିକ ଭାବେ ‘ଡେଥ୍ ଟ୍ରାଏଙ୍ଗଲ’ ଏବଂ ‘ଡେଥ୍ କ୍ରେସେଣ୍ଟ’ ମଧ୍ୟରେ ଅବସ୍ଥିତ। ଡ୍ରଗ୍ସ ଚୋରା ଚାଲାଣକାରୀମାନେ ଡ୍ରୋନ୍-ଆଧାରିତ ଡ୍ରପ୍, ସମୁଦ୍ର ପଥରେ କଣ୍ଟେନରାଇଜଡ୍ କାର୍ଗୋ, ଡାର୍କନେଟ୍, କ୍ରିପ୍ଟୋ ପେମେଣ୍ଟ, ଅର୍ଡର-ଟୁ-ଡେଲିଭରି ମଡେଲ, ପାର୍ସଲ ସିପ୍‌ମେଣ୍ଟ ଏବଂ ଅନ୍ୟାନ୍ୟ ସମାନ କୌଶଳ ଭଳି ଆଧୁନିକ ପଦ୍ଧତି ଆପଣାଇ ଆମର ଲଢ଼େଇକୁ ଆହୁରି ଆହ୍ୱାନପୂର୍ଣ୍ଣ କରିଦେଇଛନ୍ତି। ଆଜି ନାର୍କୋ-ଅପରାଧୀମାନେ ପ୍ରଯୁକ୍ତିବିଦ୍ୟା-ସକ୍ଷମ ଏବଂ ନେଟୱାର୍କ-ଆଧାରିତ ହୋଇଯାଇଛନ୍ତି। ସେମାନେ ଏବେ ଆମ ସାମ୍ନାରେ ଏକ ବହୁ-କ୍ଷେତ୍ରୀୟ ଅପରାଧ ଭାବେ ଉଭା ହୋଇଛନ୍ତି। ଏହି କଠିନ ଯୁଦ୍ଧରେ ଆମର ପ୍ରତିକ୍ରିୟା ମଧ୍ୟ ମିଳିତ ଏବଂ ସଂଗଠିତ, ରୋଡମ୍ୟାପ୍-ଆଧାରିତ, ଆଧୁନିକ ଏବଂ ଗୁପ୍ତଚର-ଆଧାରିତ ହେବା ଆବଶ୍ୟକ। ଆମର ଆଭିମୁଖ୍ୟ ପ୍ରଯୁକ୍ତିବିଦ୍ୟା-ଚାଳିତ ହେବା ଉଚିତ ଏବଂ ଆମକୁ କଠୋର ମନୋଭାବ ସହିତ ଏକ ନେଟୱାର୍କ-କେନ୍ଦ୍ରିକ ଯୁଦ୍ଧ ଲଢ଼ିବାକୁ ହେବ। କେବଳ ସେତିକିବେଳେ ହିଁ ଆମେ ଏହି ସମସ୍ୟା ବିରୋଧରେ ବିଜୟ ସୁନିଶ୍ଚିତ କରିପାରିବା।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଡ୍ରଗ୍ସ ଚୋରା ଚାଲାଣରେ ସମ୍ପୃକ୍ତ ଲୋକଙ୍କ ପ୍ରତି ଆମକୁ କଠୋର ଆଭିମୁଖ୍ୟ ଏବଂ ଡ୍ରଗ୍ସର ଶିକାର ହୋଇଥିବା ପୀଡ଼ିତଙ୍କ ପ୍ରତି ସହାନୁଭୂତିଶୀଳ ଆଭିମୁଖ୍ୟ ବଜାୟ ରଖିବାକୁ ହେବ। ସେ ଆହୁରି କହିଛନ୍ତି ଯେ ଆମର ଦୟା ଏବଂ ସଦ୍ଭାବନା ହିଁ ଏହି ପିଲାମାନଙ୍କୁ ପୁଣି ଥରେ ସ୍ୱାଭାବିକ ଜୀବନ ସହିତ ଯୋଡ଼ିପାରିବ। ଆମକୁ ସେମାନଙ୍କ ହାତ ଧରି ସଠିକ୍ ପଥକୁ ଫେରାଇ ଆଣିବାକୁ ହେବ।

ଶ୍ରୀ ଅମିତ ଶାହ କହିଛନ୍ତି ଯେ ଆଜି ଏଠାରେ କରାଯାଇଥିବା ଉପସ୍ଥାପନାରେ ଆମର ଲଢ଼େଇକୁ ଚାରୋଟି ସ୍ତମ୍ଭ ଅଧୀନରେ ବହୁତ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଏବଂ ପ୍ରତ୍ୟେକ ସ୍ତମ୍ଭ ଅଧୀନରେ ଉପ-ସ୍ତମ୍ଭଗୁଡ଼ିକୁ ମଧ୍ୟ ସ୍ପଷ୍ଟ ଭାବେ ସଂଜ୍ଞାକୃତ କରାଯାଇଛି। ପ୍ରତ୍ୟେକ ଉପ-ସ୍ତମ୍ଭ ପାଇଁ ଲକ୍ଷ୍ୟ ସହିତ ସେଗୁଡ଼ିକୁ ହାସଲ କରିବା ପାଇଁ ସମୟସୀମା ମଧ୍ୟ ସ୍ଥିର କରାଯାଇଛି। ଆମେ ଏହି ଯୋଜନାର ଗୋଟିଏ ବର୍ଷ ପରେ ସମୀକ୍ଷା କରିବୁ, ଆବଶ୍ୟକତା ଅନୁଯାୟୀ ଏହାକୁ ପୁନଃ ନିର୍ଦ୍ଧାରିତ କରିବୁ ଏବଂ ତା’ପରେ ଏହି ଲଢ଼େଇର ଶେଷ ଦୁଇ ବର୍ଷ ପାଇଁ ନୂତନ ଶକ୍ତି ସହିତ ଆଗକୁ ବଢ଼ିବୁ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ମାଦକ ଦ୍ରବ୍ୟ ନଷ୍ଟ ପକ୍ଷ ପାଳନ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ଗୋଟିଏ ଦିନରେ ୬୦୦୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ନଷ୍ଟ କରିବା ଏକ ବଡ଼ ସଫଳତା। ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ବାର୍ଷିକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ଏହା ସହିତ ନିଶା ମୁକ୍ତ ଭାରତ ପାଇଁ ରୋଡମ୍ୟାପର ଦୂରଦୃଷ୍ଟି ଦଲିଲ ମଧ୍ୟ ଉନ୍ମୋଚନ କରାଯାଇଛି। ଏନସିବି ର ଗୁଆହାଟୀ ଏବଂ ଜାମ୍ମୁ ଆଞ୍ଚଳିକ କାର୍ଯ୍ୟାଳୟ ମଧ୍ୟ ଆଜି ଉଦଘାଟିତ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୫,୮୭୬ ଟି ଜିଲ୍ଲା ସ୍ତରୀୟ ଏନସିଓଆରଡି ବୈଠକ, ୨୬୬ ଟି ରାଜ୍ୟ ସ୍ତରୀୟ ବୈଠକ, ୭ ଟି କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଛି ଏବଂ ଆଜି ଆମେ ଶୀର୍ଷ ସ୍ତରରେ ୧୦ମ ବୈଠକ କରୁଛୁ। ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ମାନେ ଏନସିଓଆରଡି ବୈଠକଗୁଡ଼ିକୁ ଫଳପ୍ରଦ କରିବା ପାଇଁ ମିଳିତ ପ୍ରୟାସ କରିବା ଉଚିତ।

ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ରଖିଛନ୍ତି ଏବଂ ଆମକୁ ନିଶା ମୁକ୍ତ ଭାରତର ଲକ୍ଷ୍ୟ ମଧ୍ୟ ଦେଇଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ୨୦୨୬ ରୁ ୨୦୨୯ ପର୍ଯ୍ୟନ୍ତ ପ୍ରସ୍ତୁତ ରୋଡମ୍ୟାପ୍ ଚାରୋଟି ପ୍ରମୁଖ ସ୍ତମ୍ଭ ଉପରେ ଆଧାରିତ – ପ୍ରବର୍ତ୍ତନ, ଗୁପ୍ତଚର ତଥ୍ୟ ଏବଂ କାର୍ଯ୍ୟାନୁଷ୍ଠାନ; ପ୍ରିକର୍ସର ଏବଂ ସିନ୍ଥେଟିକ୍ ଡ୍ରଗ୍ସ ନିୟନ୍ତ୍ରଣ; ଚାହିଦା ଏବଂ କ୍ଷତି ହ୍ରାସ; ତଥା କ୍ଷମତା ବୃଦ୍ଧି, ସମନ୍ୱୟ ଓ ଅନୁଧ୍ୟାନ । ଏହାର ଉଦ୍ଦେଶ୍ୟ ହେଉଛି ସମଗ୍ର ନେଟୱାର୍କ ବିରୋଧରେ ଲକ୍ଷ୍ୟଭିତ୍ତିକ ଗୁପ୍ତଚର-ଆଧାରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା। ଉତ୍ପାଦନ ପର୍ଯ୍ୟାୟରେ ହିଁ ଡ୍ରଗ୍ସକୁ ରୋକିବା ପାଇଁ ଆମକୁ ଏକ ରଣନୀତି ଆପଣାଇବାକୁ ହେବ। ସମାଜ, ଶିକ୍ଷା ଏବଂ ପୁନର୍ବାସ ମାଧ୍ୟମରେ ଚାହିଦା ହ୍ରାସ ଏବଂ କ୍ଷତି ହ୍ରାସ ଅଭିଯାନକୁ ଆଗକୁ ନିଆଯିବ। ସମଗ୍ର ବ୍ୟବସ୍ଥାକୁ ସକ୍ଷମ, ସମନ୍ୱିତ, ଉତ୍ତରଦାୟୀ ଏବଂ ଆଧୁନିକ କରିବା ପାଇଁ କ୍ଷମତା ବୃଦ୍ଧି, ସମନ୍ୱୟ ଏବଂ ଅନୁଧ୍ୟାନର ଚତୁର୍ଥ ସ୍ତମ୍ଭ ସୃଷ୍ଟି କରାଯାଇଛି। ଏହି ରୋଡମ୍ୟାପ୍ ସମ୍ପୂଣ୍ଣ ସରକାରୀ ଆଭିମୁଖ୍ୟ ଏବଂ ‘ସମ୍ପୂଣ୍ଣ ଗୋଷ୍ଠୀ ଆଭିମୁଖ୍ୟ’କୁ ମନେ ରଖି ପ୍ରସ୍ତୁତ କରାଯାଇଛି। ଏଥିରେ ଭାରତର ପ୍ରତ୍ୟେକ ନାଗରିକଙ୍କ ଭୂମିକା ଅନ୍ତର୍ଭୁକ୍ତ, କିନ୍ତୁ ନାଗରିକମାନଙ୍କୁ ଅନୁପ୍ରାଣିତ କରିବା କାର୍ଯ୍ୟ ସମସ୍ତ ରାଜ୍ୟ ସରକାର ଏବଂ ଭାରତ ସରକାରଙ୍କ ସମସ୍ତ ବିଭାଗର ସଚିବମାନଙ୍କୁ କରିବାକୁ ହେବ। ଏହି ରୋଡମ୍ୟାପର ସଫଳତା ଏବଂ ଏହାର ଲକ୍ଷ୍ୟଗୁଡ଼ିକର ସମୟାନୁବର୍ତ୍ତୀ ହାସଲ ଏକ ମିଳିତ ଦାୟିତ୍ୱ ଏବଂ ଏଥିପାଇଁ ଏକ ସଠିକ୍ ଅନୁଧ୍ୟାନ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ କରାଯାଇଛି।

Posted in Uncategorized.