ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମ କେବଳ ଓଡ଼ିଶା କିମ୍ବା ଭାରତ ମଧ୍ୟରେ ସୀମିତ ନାହିଁ, ବରଂ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସେ ନିଜ ସାହସିକତାର ଏକ ଅଲିଭା ଛାପ ଛାଡ଼ି ଯାଇଛନ୍ତି। ବିଶେଷ କରି ଦକ୍ଷିଣ-ପୂର୍ବ ଏସିଆର ପ୍ରମୁଖ ରାଷ୍ଟ୍ର ଇଣ୍ଡୋନେସିଆ ସହ ବିଜୁ ବାବୁଙ୍କ ସମ୍ପର୍କ ଏତେ ନିବିଡ଼ ଓ ରୋମାଞ୍ଚକର ଥିଲା ଯେ, ଆଜି ବି ସେହି ଦେଶର ଇତିହାସ ବହିରେ ଜଣେ ସୁପରହିରୋ ଭାବେ ଏହି ଓଡ଼ିଆ ପୁଅର ବୀରତ୍ୱ ଗାଥା ଲିପିବଦ୍ଧ ହୋଇ ରହିଛି। କେବଳ ଜଣେ ରାଜନେତା ନୁହେଁ, ବରଂ ଜଣେ ଦକ୍ଷ , ନିର୍ଭୀକ ପାଇଲଟ୍ ଭାବେ ବିଜୁ ବାବୁ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ଯେଉଁ ଭୂମିକା ଗ୍ରହଣ କରିଥିଲେ, ତାହା ବିଶ୍ୱ ଇତିହାସରେ ବିରଳ। ୧୯୪୭ ମସିହାର ଜୁଲାଇ ମାସ। ଇଣ୍ଡୋନେସିଆ ସେତେବେଳେ ଡଚ୍ ଶାସକଙ୍କ ଅଧୀନରେ ଥିଲା ଏବଂ ସେଠାକାର ସ୍ୱାଧୀନତା ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିଲା। ଡଚ୍ ସେନା ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମୀ ତଥା ନେତାମାନଙ୍କୁ ଚାରିପଟୁ ଘେରି ରଖିଥିଲେ ଏବଂ ଆକାଶମାର୍ଗରେ ନୋ-ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରିଥିଲେ। ସେହି ସମୟରେ ଇଣ୍ଡୋନେସିଆର ଜାତୀୟ ନେତା ତଥା ପ୍ରଧାନମନ୍ତ୍ରୀ ସୁତାନ ସ୍ଜାହରିର ଙ୍କୁ ବିଶ୍ୱ ସମୁଦାୟ ସହ ଯୋଗାଯୋଗ କରିବା ପାଇଁ ଦେଶ ବାହାରକୁ ଆଣିବା ନିହାତି ଜରୁରୀ ଥିଲା। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହି ଗୁରୁତ୍ୱପୂର୍ଣ୍ଣ ଓ ବିପଜ୍ଜନକ ମିଶନର ଦାୟିତ୍ୱ ଦେଇଥିଲେ ନିଜର ବିଶ୍ୱସ୍ତ ଏବଂ ସାହସୀ ବନ୍ଧୁ ବିଜୁ ପଟ୍ଟନାୟକଙ୍କୁ। ନିଜର ପ୍ରିୟ ଡାକୋଟା ବିମାନ ଧରି ନିଜ ଧର୍ମପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ସହ ଇଣ୍ଡୋନେସିଆ ଆଭିମୁଖେ ଉଡ଼ାଣ ଭରିଥିଲେ ବିଜୁ ବାବୁ । ଡଚ୍ ଯୁଦ୍ଧବିମାନଗୁଡ଼ିକର ଆକ୍ରମଣ ଓ ଗୁଳିମାଡ଼କୁ ଖାତିର ନକରି, ଅତି ଚତୁରତା ଏବଂ ବୀରତ୍ୱର ସହ ବିଜୁ ବାବୁ ନିଜ ବିମାନକୁ ଜାଭା ଦ୍ୱୀପରେ ଅବତରଣ କରାଇଥିଲେ। ସେ ସେଠାରୁ ଇଣ୍ଡୋନେସିଆର ନେତା ସୁତାନ ସ୍ଜାହରିର ଏବଂ ମହମ୍ମଦ ହାଟ୍ଟାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସିଙ୍ଗାପୁର ଦେଇ ଭାରତ ଆଣିଥିଲେ। ଏହି ଘଟଣା ସାରା ବିଶ୍ୱରେ ଚହଳ ପକାଇ ଦେଇଥିଲା ଏବଂ ଇଣ୍ଡୋନେସିଆର ସ୍ୱାଧୀନତା ଯାତ୍ରାକୁ ଏକ ନୂଆ ମାର୍ଗ ମିଳିଥିଲା। ବିଜୁ ବାବୁଙ୍କ ଏହି ଅଦମ୍ୟ ସାହସିକତା ଓ ତ୍ୟାଗ ପାଇଁ ଇଣ୍ଡୋନେସିଆ ସରକାର ତାଙ୍କୁ ସେହି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭୂମିପୁତ୍ର’ ଉପାଧିରେ ସମ୍ମାନୀତ କରିଥିଲେ। ଜଣେ ବିଦେଶୀ ନାଗରିକଙ୍କୁ ଏଭଳି ସମ୍ମାନ ମିଳିବା ଇତିହାସରେ ଅତି ବିରଳ ଘଟଣା ଥିଲା। ଏହା ସହିତ ଇଣ୍ଡୋନେସିଆର ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ତାଙ୍କୁ ବିଶେଷ ଭାବେ ପୁରସ୍କୃତ କରାଯାଇଥିଲା। ଇଣ୍ଡୋନେସିଆ ସହ ବିଜୁ ପଟ୍ଟନାୟକଙ୍କ ପାରିବାରିକ ସମ୍ପର୍କ କେତେ ନିବିଡ଼ ଥିଲା, ତାହାର ଆଉ ଏକ ଜ୍ୱଳନ୍ତ ଉଦାହରଣ ହେଉଛି ସେଠାକାର ପ୍ରଥମ ରାଷ୍ଟ୍ରପତି ସୁକର୍ଣ୍ଣୋ (Sukarno) ଙ୍କ କନ୍ୟାଙ୍କ ନାମକରଣ। ସୁକର୍ଣ୍ଣୋଙ୍କ ଝିଅ ଜନ୍ମ ହେବା ସମୟରେ ଜାଭାରେ ପ୍ରବଳ ବର୍ଷା ଓ ମେଘୁଆ ପାଗ ହୋଇଥିଲା। ସୁକର୍ଣ୍ଣୋଙ୍କ ଅନୁରୋଧ କ୍ରମେ ବିଜୁ ବାବୁ ସେହି କନ୍ୟା ସନ୍ତାନର ନାମ ରଖିଥିଲେ ‘ମେଘାବତୀ ସୁକର୍ଣ୍ଣୋପୁତ୍ରୀ’ ଯିଏ କି ପରବର୍ତ୍ତୀ ସମୟରେ ସେହି ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ମଧ୍ୟ ହୋଇଥିଲେ। ଆଜି ବି ଓଡ଼ିଶାର ନୌବାଣିଜ୍ୟ ଏବଂ ସାମୁଦ୍ରିକ ଇତିହାସ କଥା ଉଠିଲେ ଜାଭା, ସୁମାତ୍ରା ଓ ବାଲି ଦ୍ୱୀପ ସହ ଇଣ୍ଡୋନେସିଆର ନାଁ ଆସେ। କିନ୍ତୁ ଆଧୁନିକ ଇତିହାସରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଦୁଇ ଦେଶର ସମ୍ପର୍କକୁ କୂଟନୈତିକ ଏବଂ ଆକାଶମାର୍ଗର ସାହସିକତା ଜରିଆରେ ଯେଉଁ ନୂଆ ସ୍ୱର୍ଣ୍ଣିମ ସ୍ତରକୁ ନେଇଥିଲେ, ତାହା ପ୍ରତିଟି ଓଡ଼ିଆଙ୍କ ହୃଦୟରେ ସଦାସର୍ବଦା ଗର୍ବ ଓ ଗୌରବର ପ୍ରତୀକ ହୋଇ ରହିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତରେ ଏକ ବଡ଼ କଥା କହିଛନ୍ତି-
ଆଜି, ଭାରତ ଏବଂ ଇଣ୍ଡୋନେସିଆ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଏକାଠି ଠିଆ ହୋଇଛନ୍ତି। ଏହି ଶତାବ୍ଦୀର ପ୍ରଥମ ଚତୁର୍ଥାଂଶ ବିତିଯାଇଛି, ଏବଂ ଆଗାମୀ ୨୫ ବର୍ଷ ଆମ ଉଭୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଜି, ଇଣ୍ଡୋନେସିଆର ଏହି ମହାନ ଭୂମିରେ, ମୁଁ ଉଭୟ ଦେଶ ପାଇଁ ସହଭାଗୀ ବିକାଶର ଆତ୍ମବିଶ୍ୱାସ ସହିତ ଆପଣଙ୍କ ସମ୍ମୁଖରେ ଆସିଛି। ମୁଁ ଏହି ସଂକଳ୍ପ ନେଇ ଆସିଛି ଯେ ଭାରତ ଏବଂ ଇଣ୍ଡୋନେସିଆ ଏକାଠି ସମଗ୍ର ମାନବଜାତିକୁ ନୂତନ ଶକ୍ତିରେ ପରିପୂର୍ଣ୍ଣ କରିପାରିବେ। ଯେତେବେଳେ ଭାରତର ୧.୪ ବିଲିୟନ ନାଗରିକ ଏବଂ ଇଣ୍ଡୋନେସିଆର ୨୯୦ ନିୟୁତ ନାଗରିକ ମିଳିତ ପ୍ରୟାସ ମାଧ୍ୟମରେ ଏକାଠି ଆଗକୁ ବଢ଼ିବେ, ସେତେବେଳେ ବିଶ୍ୱ ଏକ ନୂତନ ଇତିହାସ ସୃଷ୍ଟି ହେବାର ସାକ୍ଷୀ ହେବ। ଭାରତ ବିଶ୍ୱର ଏପରି ଏକ ଦେଶ ଯାହା ବିସ୍ତାରବାଦ ନୁହେଁ, ବରଂ ବିକାଶ ନୀତି ଅନୁସରଣ କରେ, ଏବଂ ସେଥିପାଇଁ ଆମେ ଭାରତରେ କହିଥାଉ – ସବକା ସାଥ ସବକା ବିକାଶ: ସମସ୍ତଙ୍କ ସହିତ, ସମସ୍ତଙ୍କ ପାଇଁ ବିକାଶ। ଆଜି, ଏହି ମନ୍ତ୍ର ଏବଂ ଏହି ଆତ୍ମା ସହିତ, ମୁଁ ଆପଣମାନଙ୍କ ସମସ୍ତଙ୍କ ମଧ୍ୟରେ, ଇଣ୍ଡୋନେସିଆର ସଂସଦର ସଦସ୍ୟମାନଙ୍କ ନିକଟକୁ ଆସିଛି।
ଭାରତ, ଇଣ୍ଡୋନେସିଆ ଏବଂ ଭାରତ ମହାସାଗର… ଏହି ନାମଗୁଡ଼ିକ ଆମର ପାରସ୍ପରିକ ସମ୍ପର୍କର ସାକ୍ଷୀ। ହଜାର ହଜାର ବର୍ଷ ଧରି, ଆମର ବନ୍ଦରଗୁଡ଼ିକ ବିଶ୍ୱକୁ ସଂଯୋଗ କରିଛି। ଆମର ଜାହାଜଗୁଡ଼ିକ ବାଣିଜ୍ୟ ଏବଂ ସଂସ୍କୃତିକୁ ବହୁ ଦୂରକୁ ନେଇଆସିଛି। ଆମର ଭବିଷ୍ୟତର ବିଶାଳ ସମ୍ଭାବନା ସମୁଦ୍ର ସହିତ ଜଡିତ। ତେଣୁ, ଆଜି, ସମୁଦ୍ରର ଏହି ବିଶାଳତାକୁ ନେଇ, ମୁଁ ଆପଣଙ୍କୁ ଭାରତ-ଇଣ୍ଡୋନେସିଆ ସମ୍ପର୍କକୁ ନୂତନ ଉଚ୍ଚତାରେ ପହଞ୍ଚାଇବାକୁ ଅନୁରୋଧ କରିବି। ଆମର ସମ୍ପର୍କ ରାମାୟଣ ଏବଂ ମହାଭାରତର ଐତିହ୍ୟ। ଆମର ସମ୍ପର୍କ ଶତାବ୍ଦୀ ପୂର୍ବର ନାଳନ୍ଦାର ଜ୍ଞାନରୁ ଆରମ୍ଭ ହୋଇଛି। ଆମର ସମ୍ପର୍କ ୱାୟାଙ୍ଗ, ନୃତ୍ୟ ଏବଂ ସଙ୍ଗୀତ ମାଧ୍ୟମରେ। ଆମେ ଇଣ୍ଡୋନେସିଆର ଜାତୀୟ ପ୍ରତୀକ ଗରୁଡ ଦ୍ୱାରା ଯୋଡ଼ି ହୋଇଛୁ। ଆମେ ବାଲି ଯାତ୍ରାର ଉତ୍ସବ ଏବଂ ଆନନ୍ଦ ଦ୍ୱାରା ଯୋଡ଼ି ହୋଇଛୁ। ଏବଂ, ଯେତେବେଳେ ଆମେ ସ୍ୱାଦ ବିଷୟରେ କଥା ହେଉ, ତେବେ କେଉଁଟି ଅଧିକ ସୁଆଦିଆ, କୃପୁକ କିମ୍ବା ପାପଡ଼ ତାହା କହିବା କଷ୍ଟକର। କିନ୍ତୁ ଗୋଟିଏ କଥା ନିଶ୍ଚିତ: ମସଲା ଏବଂ ବୁମ୍ବୁ ଉଭୟ ଆମ ଜୀବନରେ ସ୍ୱାଦ ଯୋଗାନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
