SRO ବୈଜ୍ଞାନିକଙ୍କ ସ୍ୱେଚ୍ଛାକୃତ ଅବସର ଓ ଇସ୍ତଫା ଉପରେ ସରକାରଙ୍କ ରୋକ୍

SRO ବୈଜ୍ଞାନିକଙ୍କ ସ୍ୱେଚ୍ଛାକୃତ ଅବସର ଓ ଇସ୍ତଫା ଉପରେ ସରକାରଙ୍କ ରୋକ୍

ଗଗନଯାନ ମିଶନକୁ ଲାଗିବନି ଝଟକା । ISRO ବୈଜ୍ଞାନିକଙ୍କ ସ୍ୱେଚ୍ଛାକୃତ ଅବସର ଓ ଇସ୍ତଫା ଉପରେ ସରକାରଙ୍କ ରୋକ୍ । ମହାକାଶ ବିଭାଗ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମା ଅନୁସାରେ, ଗଗନଯାନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟରେ ସାମିଲ ଥିବା ISRO ର ବୈଜ୍ଞାନିକ ଓ ବୈଷୟିକ କର୍ମଚାରୀମାନଙ୍କ ସ୍ୱେଚ୍ଛାକୃତ ଅବସର କିମ୍ବା ଇସ୍ତଫା ପତ୍ରକୁ ଏବେ ସହଜରେ ଗ୍ରହଣ କରାଯିବ ନାହିଁ ।

ଗଗନଯାନ ଭଳି ଦେଶର ସମ୍ମାନଜନକ ଓ ଅତି ଗୁରୁତ୍ୱପୂର୍ଣ୍ଣ ମିଶନରେ କାମ କରୁଥିବା ଗ୍ରୁପ୍ ‘A’ ସ୍ତରର ଅନେକ ବୈଜ୍ଞାନିକ ଓ ବୈଷୟିକ ବିଶେଷଜ୍ଞ ଚାକିରି ଛାଡ଼ିବାକୁ ଆବେଦନ କରୁଛନ୍ତି । ଘରୋଇ ସେକ୍ଟରରେ ଚାହିଦା ବଢ଼ୁଥିବାରୁ ଏଭଳି ଟ୍ରେଣ୍ଡ ଦେଖିବାକୁ ମିଳିଛି । ଏହା ଦ୍ୱାରା ଦେଶର ପ୍ରକଳ୍ପ କାମ ବାଧାପ୍ରାପ୍ତ ହେଉଥିବାରୁ ସରକାର ଏହି କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି ।

ଗଗନଯାନ ବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ମିଶନ ଶେଷ ନହେବା ପର୍ଯ୍ୟନ୍ତ ଏହି କର୍ମଚାରୀମାନଙ୍କ ଇସ୍ତଫା କିମ୍ବା VRS ଆବେଦନକୁ ସାଧାରଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ । ISRO ର କୌଣସି ସେଣ୍ଟର ଡିରେକ୍ଟର କିମ୍ବା ୟୁନିଟ୍ ହେଡ୍ ନିଜ ଆଡ଼ୁ ଏହି ଇସ୍ତଫା ଗ୍ରହଣ କରିପାରିବେ ନାହିଁ । ଏହି ସବୁ ଆବେଦନକୁ ନିଜ ସୁପାରିଶ ସହ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ବିଭାଗ ପାଖକୁ ପଠାଇବାକୁ ହେବ ।

ଏହି ନୂଆ ନିୟମ ବୈଜ୍ଞାନିକ, ଇଞ୍ଜିନିୟର-SG କିମ୍ବା ଏହାର ସମକକ୍ଷ (ପେ-ଲେଭଲ୍ 13A) ପର୍ଯ୍ୟନ୍ତ କର୍ମଚାରୀଙ୍କ ପାଇଁ ଲାଗୁ ହେବ । ମହାକାଶ ବିଭାଗର ଯୁଗ୍ମ ସଚିବ ଏସ୍.ଆର୍. ରାଜଶେଖରଙ୍କ ଦ୍ୱାରା ଏହି ଅଫିସ୍ ମେମୋରାଣ୍ଡମ୍ ଜାରି କରାଯାଇଛି । ଗଗନଯାନ ହେଉଛି ଭାରତର ପ୍ରଥମ ମାନବବାହୀ ମହାକାଶ ଅଭିଯାନ, ଯାହା ମାଧ୍ୟମରେ ଭାରତୀୟ ମହାକାଶଚାରୀଙ୍କୁ ମହାକାଶକୁ ପଠାଯିବାର ଯୋଜନା ରହିଛି । ଏହି ସମୟରେ ଅଭିଜ୍ଞ ବୈଜ୍ଞାନିକମାନଙ୍କୁ ସଂସ୍ଥାରେ ଧରି ରଖିବା ମିଶନର ସଫଳତା ଏବଂ ସମୟ ସୀମା ପାଇଁ ଅତ୍ୟନ୍ତ ଜରୁରୀ । ଦେଶର ଏହି ମେଗା ପ୍ରୋଜେକ୍ଟକୁ କୌଣସି ପ୍ରକାର ବାଧାବିଘ୍ନରୁ ରକ୍ଷା କରିବା ପାଇଁ ସରକାର ଏହି ସକ୍ରିୟ ପ୍ରଶାସନିକ ପଦକ୍ଷେପ ନେଇଛନ୍ତି ।

Posted in ଦେଶ ବିଦେଶ.