ବିଶ୍ୱର ସବୁଠୁ ଧନୀ ନେତା ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ,

ବିଶ୍ୱର ସବୁଠୁ ଧନୀ ନେତା ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ,

ଅନ୍ତର୍ଜାତୀୟ ରାଜନୀତିରେ ଯେବେବି ପ୍ରଭାବ ଓ କ୍ଷମତାର ଉଲ୍ଲେଖ ହୁଏ ସେତେବେଳେ ବିଶ୍ୱର ଶୀର୍ଷ ରାଷ୍ଟ୍ରମୁଖ୍ୟଙ୍କ ନାମ ସାମ୍ନାକୁ ଆସିଥାଏ। ତେବେ ବୈଶ୍ୱିକ ମଞ୍ଚର ଏହି ଶକ୍ତିଶାଳୀ ଲୋକେ କେବଳ ରାଜନୈତିକ ନିଷ୍ପତ୍ତି ଓ କୂଟନୀତି ଲାଗି ନୁହେଁ ବରଂ ସେମାନଙ୍କ ଅଚଳାଚଳ ସମ୍ପତ୍ତି ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସାମ୍ନାକୁ ଆସିଥିବା ବିଶ୍ୱର ସବୁଠୁ ଧନୀ ନେତାଙ୍କ ନୂଆ ସୂଚୀରେ ଶାସନ ଓ ସମ୍ପତ୍ତିର ତାଳମେଳକୁ ଉଜାଗର କରିଛି। ଏହି ତାଲିକାରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

ପୁଟିନଙ୍କ ସମ୍ପତ୍ତି ଆଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଗଲଫ ଦେଶର ସୁଲତାନ ମଧ୍ୟ କିଛି ନୁହନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯଦିଓ ନିଜକୁ ବିଶ୍ୱର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଗଣୁଛନ୍ତି ଓ ତାଙ୍କ ପୁରା ପରିବାର ଗତ ଏକ ଦଶନ୍ଧୀରୁ ଅଧିକ କାଳ ହେଲା ବଡ଼ ବ୍ୟବସାୟୀକ ସାମ୍ରାଜ୍ୟ ସଞ୍ଚାଳନ କରି ଆସୁଛନ୍ତି, ହେଲେ ସମ୍ପତ୍ତି ମାମଲାରେ ସେ ଋଷିଆ ରାଷ୍ଟ୍ରପତିଙ୍କ ଆଖପାଖରେ ମଧ୍ୟ ନାହାନ୍ତି। ଟ୍ରମ୍ପଙ୍କ ମୋଟ ସମ୍ପତ୍ତି ୫ରୁ ୬ ବିଲିୟନ ଡଲାର ଆଖପାଖରେ ଥିବା ବେଳେ ପୁଟିନଙ୍କ ମୋଟ ସମ୍ପତ୍ତି ୨୦୦ ବିଲିୟନ ଡଲାର ବୋଲି ଆମେରିକୀୟ ନିବେଶକ ବିଲ ବ୍ରାଉଡର ଆକଳନ କରିଛନ୍ତି। ତେବେ କ୍ରେମଲିନ ସବୁ ଥର ଭଳି ଏଥର ମଧ୍ୟ ପୁଟିନଙ୍କ ସମ୍ପତ୍ତି ସୂଚୀକୁ ଅସ୍ୱୀକାର କରିଛି।

ବିଶ୍ୱର ସବୁଠୁ ଧନୀ ନେତା
ବିଶ୍ୱର ସବୁଠୁ ଧନୀ ନେତାଙ୍କ ସୂଚୀରେ ପୁଟିନଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଥାଇଲ୍ୟାଣ୍ଡ ରାଜା ଭାଜିରାଲୋଙ୍ଗକର୍ଣ୍ଣ, ଯାହାଙ୍କ ମୋଟ ସମ୍ପତ୍ତି ୪୩ବିଲିୟନ ଡଲାର ରେକର୍ଡ କରାଯାଇଛି। ତାଙ୍କ ପଛକୁ ଅଛନ୍ତି ବ୍ରୁନେଇ ସୁଲତାନ ହସନାଲ ବୋଲ୍କିୟାହ ଓ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ଅଲ-ନାହାୟନ। ଏହି ଦୁଇଜଣଙ୍କ ଅନୁମାନିକ ସମ୍ପତ୍ତି ପ୍ରତ୍ୟେକଙ୍କ ୩୦ ବିଲିୟନ ଡଲାର ଆକଳନ କରାଯାଇଛି। ସେହିପରି ସାଉଦୀ ଆରବର ପ୍ରଭାବଶାଳୀ କ୍ରାଉନ ପ୍ରିନ୍ସ ଓ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନ ୨୦ ବିଲିୟନ ଡଲାରର ବ୍ୟକ୍ତିଗତ ସମ୍ପତ୍ତି ସହିତ ସୂଚୀର ପ୍ରମୁଖ ଆକର୍ଷଣ ମଧ୍ୟରେ ଜଣେ ହୋଇ ଅଛନ୍ତି।

ରାଜ ପରିବାର ବାଦେ ଯଦି ଗଣତାନ୍ତ୍ରିକ ଦେଶ ମୁଖ୍ୟଙ୍କ କଥା କୁହାଯାଏ ତେବେ ଡୋନାଲ୍ଡ ଟ୍ରମ୍ପ ୬ ବିଲିୟନ ସମ୍ପତ୍ତି ସହ ତାଲିକାର ଷଷ୍ଠ ସ୍ଥାନରେ ଅଛନ୍ତି। ଏହା ଛଡା ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ମିଳିତ ସମ୍ପତ୍ତି ୫୬୩ ମିଲିୟନ ପାଉଣ୍ଡ ଆକଳନ କରାଯାଇଛି। ଏହି ସୂଚୀ ସ୍ପଷ୍ଟ ଦର୍ଶାଉଛି କିଛି ନେତା ବ୍ୟବସାୟୀକ ଦୁନିଆରୁ ଅପାର ସଫଳତା ହାସଲ କରିଛନ୍ତି।

Posted in ଦେଶ ବିଦେଶ.