ଦେଶଭକ୍ତିର ରଙ୍ଗରେ ରଙ୍ଗୀନ ଓଡ଼ିଶା। ଆଜିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ

ଦେଶଭକ୍ତିର ରଙ୍ଗରେ ରଙ୍ଗୀନ ଓଡ଼ିଶା। ଆଜିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ

ଦେଶଭକ୍ତିର ରଙ୍ଗରେ ରଙ୍ଗୀନ ଓଡ଼ିଶା। ଆଜିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ। ଅଗଷ୍ଟ ୧୭ ତାରିଖ ଯାଏଁ ଚାଲିବ ଏହି ଅଭିଯାନ। ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡ଼ାଇବା ସହ ଦେଶଭକ୍ତିର ବାର୍ତ୍ତା ଦିଆଯାଉଛି। ଏହି ଅବସରରେ ଭୁବନେଶ୍ୱରରେ ଆୟୋଜିତ ହୋଇଛି ବିଶାଳ ତ୍ରିରଙ୍ଗା ରାଲି। ଯେଉଁଥିରେ ସାମିଲ ହୋଇ ଏକତାର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ତ୍ରିରଙ୍ଗାରେ ରଙ୍ଗୀନ ରାଜଧାନୀ। ହାତରେ ହାତ ମିଶାଇ ରାସ୍ତାକୁ ଓହ୍ଲାଇଲେ ଯୁବବର୍ଗ, ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍, ସ୍ୱେଚ୍ଛାସେବୀ ଓ ସରକାରୀ ଅଧିକାରୀ। ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଅଂଶ ଭାବେ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ତ୍ରିରଙ୍ଗା ରାଲି। ହାତୀଆସୁଣୀ ଗ୍ରାଉଣ୍ଡରୁ ଲୁମ୍ବିନୀ ବିହାର ରୋଡ୍ ପର୍ଯ୍ୟନ୍ତ ଚାଲିଛି ଏହି ବିଶାଳ ରାଲି। ତ୍ରିରଙ୍ଗା ଧରି ଦେଶଭକ୍ତିର ନାରା ସହ ରାଲିରେ ସାମିଲ ହୋଇଛନ୍ତି ବହୁ ସଂଖ୍ୟାରେ ଲୋକ।

ରାଲିରେ ଯୋଗଦେଇ ଏକତାର ସୂତ୍ରରେ ବାନ୍ଧି ହୋଇ ଦେଶ ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଅର୍ଥନୀତିରେ ଦେଶ ତୃତୀୟ ସ୍ଥାନ ଆଡ଼କୁ ଅଗ୍ରସର ହେଉଛି। ଆଉ ଦେଶର ବିକାଶରେ ଓଡ଼ିଶାର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ବିଶେଷକରି ଯୁବବର୍ଗଙ୍କୁ ନେଇ ମଧ୍ୟ ବଡ଼ ବାର୍ତ୍ତା ଦେଇଛନ୍ତି ମୋହନ ମାଝୀ। ଜେନ୍-ଜିଙ୍କୁ ‘ଘରେ ଘରେ ତ୍ରିରଙ୍ଗା’ ଯାତ୍ରାରେ ସାମିଲ ହେବା ସହ ବାହ୍ୟଶକ୍ତିର ପ୍ରଭାବରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଛନ୍ତି। ଡିଜିଟାଲ ଯୁଗରେ ସୋସିଆଲ ମିଡିଆର ଅପବ୍ୟବହାର ଏବଂ ନିଶାଦ୍ରବ୍ୟର କୁପ୍ରଭାବ ଯୁବବର୍ଗଙ୍କୁ ପଥଭ୍ରଷ୍ଟ କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଦେଶର ଯୁବଶକ୍ତିଙ୍କୁ ସଶକ୍ତ ଓ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସ ଜାରି ରହିଛି ବୋଲି ମଧ୍ୟ ସେ କହିଛନ୍ତି।

ରାଜ୍ୟବ୍ୟାପୀ ଅଗଷ୍ଟ ୯ରୁ ୧୭ ତାରିଖ ଯାଏଁ ଚାଲିବ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ। ରାଜଧାନୀଠାରୁ ଆରମ୍ଭ କରି ପ୍ରତିଟି ବ୍ଲକ ଓ ପଞ୍ଚାୟତରେ ଏହି ଅଭିଯାନକୁ ଜନଭାଗିଦାରୀରେ ସଫଳ କରିବାକୁ ଯୋଜନା ହୋଇଛି। ଅଭିଯାନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଛି।

ତ୍ରିରଙ୍ଗା କେବଳ ଏକ ପତାକା ନୁହେଁ, ଏହା ଦେଶର ଗୌରବ, ଏକତା ଓ ଅଖଣ୍ଡତାର ପ୍ରତୀକ। ଆଉ ଏହି ବାର୍ତ୍ତାକୁ ନେଇ ଏବେ ଘରେ ଘରେ ପହଞ୍ଚୁଛି ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ। ତ୍ରିରଙ୍ଗା ତଳେ ଏକାଠି ହୋଇ ଦେଶ ପାଇଁ କାମ କରିବାର ସଂକଳ୍ପ ନେଇଛନ୍ତି ଓଡ଼ିଶାବାସୀ।କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସହଯୋଗରେ ଆୟୋଜିତ ହେଉଛି ଏହି ଅଭିଯାନ। ଏନସିସି, ଏନଏସଏସ ସ୍ୱେଚ୍ଛାସେବୀଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ଯୁବବର୍ଗ ଓ ସାଧାରଣ ଲୋକ—ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ। ଏକ ଦେଶ, ଏକ ଭାବନା ଏବଂ ଏକତାର ଶକ୍ତି ସହ ଆଗକୁ ବଢ଼ିବାର ବାର୍ତ୍ତା ଦେଉଛି ଓଡ଼ିଶାର ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ।

Posted in ରାଜ୍ୟ.