୨୦୨୫ ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲା: ଲସ୍କର-ଏ-ତୈବା ମୁଖ୍ୟ ହାଫିଜ୍ ମହମ୍ମଦ ସଇଦଙ୍କ ବିରୋଧରେ କୋର୍ଟ ସମନ ପଠାଇବ NIA

୨୦୨୫ ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲା: ଲସ୍କର-ଏ-ତୈବା ମୁଖ୍ୟ ହାଫିଜ୍ ମହମ୍ମଦ ସଇଦଙ୍କ ବିରୋଧରେ କୋର୍ଟ ସମନ ପଠାଇବ NIA

୨୦୨୫ ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ପାକିସ୍ତାନରେ ଥିବା ଲସ୍କର-ଏ-ତୈବା ମୁଖ୍ୟ ହାଫିଜ୍ ମହମ୍ମଦ ସଇଦଙ୍କ ବିରୋଧରେ ଭାରତର ଆଇନଗତ ପଦକ୍ଷେପ ଆହୁରି ତୀବ୍ର ହୋଇଛି। ଜୁଲାଇରେ ଜମ୍ମୁର ସ୍ୱତନ୍ତ୍ର ଏନଆଇଏ କୋର୍ଟ ତାଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି କରିଥିବାବେଳେ, ଏବେ ତାଙ୍କୁ କୋର୍ଟ ସମନ ପ୍ରଦାନ ପାଇଁ କୂଟନୈତିକ ମାଧ୍ୟମରେ ପଦକ୍ଷେପ ନିଆଯାଉଛି।  ସରକାରୀ ସୂତ୍ର ଅନୁସାରେ, ସମନକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ମାଧ୍ୟମରେ ପାକିସ୍ତାନକୁ ପଠାଯିବାର ପ୍ରକ୍ରିୟା ଚାଲିଛି। ଏହାର ଉଦ୍ଦେଶ୍ୟ ହେଉଛି ସଇଦଙ୍କୁ ଭାରତୀୟ କୋର୍ଟରେ ହାଜର ହେବା ପାଇଁ ଆନୁଷ୍ଠାନିକ ଭାବେ ସୁଯୋଗ ଦେବା।

ଜୁଲାଇ ୬ରେ ଏନଆଇଏ ପହଲଗାମ ଆକ୍ରମଣ ମାମଲାରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରି ହାଫିଜ୍ ସଇଦଙ୍କୁ ଅଭିଯୁକ୍ତ ଭାବେ ନାମିତ କରିଥିଲା। ତାଙ୍କୁ ବ୍ୟକ୍ତିଗତ ଭାବେ ଏବଂ  ଲସ୍କର-ଏ-ତୈବା ଓ ଏହାର ପ୍ରକ୍ସି ସଂଗଠନ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF)ର ମୁଖ୍ୟ ଭାବେ ଚାର୍ଜସିଟ୍‌ରେ ସାମିଲ କରାଯାଇଛି। ଏନଆଇଏ ଅନୁସାରେ, ଚାର୍ଜସିଟ୍‌ରେ ଭାରତ ବିରୋଧରେ ଯୁଦ୍ଧ ଚଳାଇବା ଏବଂ ସୀମାପାରରୁ ଷଡ଼ଯନ୍ତ୍ର କରିବା ସମ୍ପର୍କିତ ଅଭିଯୋଗ ରହିଛି। ଏହି ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ପୂର୍ବରୁ ଦାଖଲ ହୋଇଥିବା ୧,୫୯୭ ପୃଷ୍ଠାର ଚାର୍ଜସିଟ୍‌ର ଅନୁସରଣରେ ଦାଖଲ ହୋଇଛି।ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲର ଦୁଇ ଦିନ ପରେ,ଜୁଲାଇ ୮ରେ ସ୍ୱତନ୍ତ୍ର ଏନଆଇଏ କୋର୍ଟ ସଇଦଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି କରିଥିଲା।ଏନଆଇଏ ତାଙ୍କୁ ଫେରାର ଅଭିଯୁକ୍ତ ଦର୍ଶାଇ ଗିରଫ ଓ ହେପାଜତରେ ପଚରାଉଚରା ଆବଶ୍ୟକ ବୋଲି କୋର୍ଟକୁ ଜଣାଇଥିଲା।ସଇଦ ପାକିସ୍ତାନରେ ରହୁଥିବାରୁ ତାଙ୍କୁ ଭାରତ ଆଣିବା ପ୍ରକ୍ରିୟା ଏକ ବଡ଼ ଆଇନଗତ ଚ୍ୟାଲେଞ୍ଜ ହୋଇଛି। ସମନ ପ୍ରଦାନ ଓ ଆଇନ ଅନୁସାରେ ଆବଶ୍ୟକ ପ୍ରକ୍ରିୟା ସମାପ୍ତ ହେବା ପରେ ମଧ୍ୟ ଯଦି ସେ କୋର୍ଟରେ ହାଜର ନହୁଅନ୍ତି, ତେବେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯାଇପାରେ।

Posted in ଦେଶ ବିଦେଶ.