ସୋସିଆଲ ମିଡିଆରେ ସମୟ ନଷ୍ଟ ନକରି ପାଠପଢ଼ାରେ ଫୋକସ୍ କରିବାକୁ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ସୋସିଆଲ ମିଡିଆରେ ସମୟ ନଷ୍ଟ ନକରି ପାଠପଢ଼ାରେ ଫୋକସ୍ କରିବାକୁ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

କାହିଁ କେଉଁ କାଳରୁ ରହିଆସିଛି ଗୁରୁ-ଶିଷ୍ୟ ମହାନ ପରମ୍ପରା । ଆଜି ସବୁ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳନ ହୋଇଛି। ଏହି ଅବସରରେ କଟକରେ ରାଜ୍ୟସ୍ତରୀୟ ସମାରୋହକୁ ସମ୍ୱୋଧିତ କରି ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆଜି ଗୁରୁ ଦିବସ ପରେ ସ୍କୁଲ ଛୁଟି ନହୋଇ ପାଠପଢ଼ା ହୋଇଥିବା ବେଳେ, ବନ୍ୟା ପ୍ରଭାବିତ ଅଞ୍ଚଳରେ ବହୁ ସ୍କୁଲରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି ।ସ୍କୁଲକୁ ଗଲେ … ଶ୍ରେଣୀଗୃହ ବୁଲିଲେ … ପିଲାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ଗୁରୁ ଦିବସରେ ମନେ ପକାଇଲେ … ନିଜ ଶିକ୍ଷକତା ବେଳର କଥା । କଟକସ୍ଥିତ ବୋର୍ଡ ହାଇସ୍କୁଲରେ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁ ଦିବସ ସମାରୋହରେ ଯୋଗଦେଇ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଗଢ଼ିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ  ଦେଇଛନ୍ତି । ଏଥିସହ ସୋସିଆଲ ମିଡିଆରେ ସମୟ ନଷ୍ଟ ନକରି ପାଠପଢ଼ାରେ ଫୋକସ୍ କରିବାକୁ କହିଛନ୍ତି । ସରକାରଙ୍କ ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କଥା ଦୋହରାଇବା ସହ ଆଗାମୀ ୩ ବର୍ଷରେ ୪୫ ହଜାର ଶିକ୍ଷକ ପଦ ପୂରଣ ହେବ ବୋଲି ଘୋଷଣା କରିଛନ୍ତି।


 ରାଜ୍ୟ କୋଣ ଅନୁକୋଣରେ ଆଜି ଗୁରୁପୂଜା କରିଛନ୍ତି ବିଦ୍ୟାର୍ଥୀ । ଫୁଲଚନ୍ଦନ ଦେଇ ଗୁରୁବନ୍ଦନା କରିବା ସହିତ, ବିଭିନ୍ନ ସ୍ଥାନରେ ଭାଷଣ ଓ ଅନ୍ୟ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଛି । ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସରେ ଗୁରୁଦିବସ ପାଳନର ମହତ୍ତ୍ୱ ଏବଂ ସମାଜ ଗଠନରେ ଗୁରୁଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଛନ୍ତି । ତେବେ ଏ ବର୍ଷ ଗୁରୁଦିବସରେ ସ୍କୁଲରେ ବନ୍ଦ ହୋଇନି ପାଠପଢ଼ା । ପୂର୍ବରୁ ଗୁରୁଦିବସ ପାଳନ ପରେ ସ୍କୁଲ ଛୁଟି ହୋଇଯାଉଥିବା ବେଳେ, ଏଥର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲରେ ଗୁରୁପୂଜା ପରେ ପୂର୍ବବତ୍ ପାଠପଢ଼ା ହୋଇଥିବା ଦେଖିବାକୁ ମିଳିଛି ।…

ମାଲକାନାଗିରିରୁ ବାଲେଶ୍ବର ସବୁଠି ଗୁରୁ ଦିବସ ପାଳନ କରାଯାଇଛି। କିନ୍ତୁ ବନ୍ୟାଞ୍ଚଳରେ ସ୍କୁଲରେ ପାଳନ ହୋଇପାରିଲାନି ଗୁରୁଦିବସ। ଯାଜପୁର ଦଶରଥପୁର ବ୍ଲକର ୪୦ ଦିନ ହେଲାଣି ୧୯ଟି ପଞ୍ଚାୟତର ୬୭ଟି ବିଦ୍ୟାଳୟରେ ତାଲା ଝୁଲୁଛି। ବନ୍ୟାରେ ୩୭ ଦିନରୁ ଅଧିକ ହେବ ସ୍କୁଲ ବୁଡି ରହିଥିବାରୁ ପାଠପଢ଼ା ଠପ୍ ହୋଇଯାଇଛି। ବାଲେଶ୍ବରର ଭୋଗରାଇରେ ମଧ୍ୟ ସ୍ଥିତି ସମାନ। ଭୋଗରାଇ ବ୍ଲକର ୫୦ରୁ ଅଧିକ ସ୍କୁଲରେ ଗୁରୁଦିବସ ପାଳନ କରାଯାଇ ନାହିଁ।

Posted in ରାଜ୍ୟ.