ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ପାଇଁ ପାଞ୍ଚ ଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆବୁଧାବି ପହଞ୍ଚିବା ପରଠୁ ଆଜି ଯାଏଁ ଅନ୍ତର୍ଜାତୀୟ ନିବେଶକଙ୍କ ସହ ମାରାଥନ ବୈଠକ କରୁଛନ୍ତି । ଇନଭେଷ୍ଟର୍ସ ମିଟ ଅଭିଯାନର ପ୍ରଥମ ଦିନରେ ଆଇଏଚସି ଗ୍ରୁପ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ଦେଖାଇଛି । ୧୪ ପ୍ରକଳ୍ପରେ ୨.୧୦୫ ଟ୍ରିଲିୟନ ନିବେଶ ହେବ ବୋଲି ଆକଳନ କରାଯାଉଛି । ସେହିପରି ଓଡ଼ିଶାଭିତ୍ତିକ କମ୍ପାନିଙ୍କ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ରାଉଣ୍ଡଟେବଲୁ ବୈଠକ କରିଛନ୍ତି । ଅନେକ ଆଶା ଓ ସମ୍ଭାବନାକୁ ନେଇ ୟୁଏଇରେ ମାରାଥନ ବୈଠକ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଉଦ୍ଦେଶ୍ୟ ଓଡ଼ିଶାକୁ ଅର୍ଥନୀତିକୁ ଶୀର୍ଷ ସୋପନରେ ପହଞ୍ଚାଇବା ଓ ରାଜ୍ୟକୁ ଶିଳ୍ପସମୃଦ୍ଧ କରି ରୋଜଗାରର ଅବସର ସୃଷ୍ଟି କରିବା। ଅନେକ ଅନ୍ତର୍ଜାତୀୟ କମ୍ପାନି ସହ ବୈଠକ କରି ଓଡ଼ିଶାରେ ନିବେଶ କେତେ ଲାଭବାନ ବୁଝାଉଛନ୍ତି। ରଣନୀତିକ ଅବସ୍ଥାନ, ପ୍ରାକୃତିକ ସଂପଦ, ଶିଳ୍ପ କ୍ଷମତା ସହ ଭିତ୍ତିଭୂମିର ଉଦାହରଣ ରଖି ନିବେଶକଙ୍କୁ ଆକୃଷ୍ଟ ଉଦ୍ୟମ କରୁଛନ୍ତି।ଓଡ଼ିଶାର ୟୁଏଇ ନିବେଶକ ସଂଯୋଗ ଅଭିଯାନର ପ୍ରଥମ ଦିନରେ ଆବୁଧାବି ସ୍ଥିତ ଇଣ୍ଟରନ୍ୟାସନାଲ ହୋଲଡିଂ କମ୍ପାନି ସହ ଏକ ଉଚ୍ଚସ୍ତରୀୟ ବୈଠକ କରି ନିବେଶ ପାଇଁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଧାତୁ ଶିଳ୍ପ, ଦୁର୍ଲଭ ମୃତ୍ତିକା ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ, କୋଇଲାରୁ ରସାୟନ ଉତ୍ପାଦନ, ବନ୍ଦରଭିତ୍ତିକ ଏସଇଜେଡ୍ ଏବଂ ଶିଳ୍ପ ଭିତ୍ତିଭୂମି କ୍ଷେତ୍ରରେ ନିବେଶ ସମ୍ଭାବନା ଉପରେ ଆଲୋଚନା ହୋଇଛି। ଆଦାନୀ ଗ୍ରୁପ୍ ଓ ଆଇଏଚସି ଗ୍ରୁପ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ। ୧୪ଟି ପ୍ରକଳ୍ପରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରକଳ୍ପଗୁଡ଼ିକରେ ପ୍ରାୟ ୨.୧୦୫ ଟ୍ରିଲିୟନ୍ ନିବେଶ ହେବାର ଆକଳନ କରାଯାଉଛି।
ଓଡ଼ିଶା ଇନଭେଷ୍ଟର୍ସ ମିଟର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ ଗ୍ରୁପ ବା ଆଇବିପିଜି ସହ ରାଉଣ୍ଡଟେବୁଲ ଆଲୋଚନାରେ ଯୋଗ ଦେଇଛନ୍ତି। ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନି ଓ ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଛି । ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରମୁଖ ୟୁଏଇ ବ୍ରାଣ୍ଡ ପାଇଁ କଣ୍ଟ୍ରାକ୍ଟ ମ୍ୟାନୁଫ୍ୟାକଚରିଂ କ୍ଷେତ୍ରରେ ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି । ରାଉଣ୍ଡଟେବୁଲ ଆଲୋଚନାରେ ରୁଚି, ଫାର୍ମ ବି, ବିୱାନ, ଓରି କ୍ଲିନ ଭଳି ଓଡ଼ିଶାଭିତ୍ତିକ କମ୍ପାନି ମଧ୍ୟ ଯୋଗ ଦେଇଥିଲେ । ଓଡ଼ିଶାର ଦକ୍ଷ ମାନବ ସମ୍ୱଳ ଓ କୁଶଳୀ କାରିଗରଙ୍କ ପାଇଁ ୟୁଏଇରେ ବୃତ୍ତିଭିତ୍ତିକ ସୁଯୋଗ ନେଇ ବିଭିନ୍ନ କଂପାନି ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।
