ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଏବେ ଉପକୂଳ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁସାରେ, ଗଭୀର ଅବପାତଟି ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରୁଛି । କଳିଙ୍ଗପଟନମ୍ ନିକଟରେ ଏହା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ସଦ୍ୟତମ IMD ବୁଲେଟିନ୍ ଅନୁସାରେ, ୨୩ ସେପ୍ଟେମ୍ବର ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଗଭୀର ଅବପାତଟି କଳିଙ୍ଗପଟନମ୍ଠାରୁ ପ୍ରାୟ ୩୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମରେ, ବିଶାଖାପଟନମ୍ଠାରୁ ୯୦ କିମି ପୂର୍ବ-ଉତ୍ତରପୂର୍ବରେ ଏବଂ ଗୋପାଳପୁରଠାରୁ ପ୍ରାୟ ୧୬୦ କିମି ଦକ୍ଷିଣ-ପଶ୍ଚିମରେ ରହିଥିଲା ।ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାକୁ ପ୍ରାୟ ୧୩ କିମି ବେଗରେ ଗତି କରୁଥିଲା । IMD ଅନୁସାରେ, ଗଭୀର ଅବପାତଟି ବିଶାଖାପଟନମ୍ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ। କଳିଙ୍ଗପଟନମ୍ର ଦକ୍ଷିଣ-ପଶ୍ଚିମ ଦିଗ ଦେଇ ଏହା ଆଗକୁ ବଢ଼ିବାର ଆକଳନ କରାଯାଇଛି । ଗଭୀର ଅବପାତର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ବର୍ଷା ଓ ପବନର ପ୍ରଭାବ ଜାରି ରହିଛି । ଦକ୍ଷିଣ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୫୫ ରୁ ୬୫ ବେଗରେ ପବନ ଏବଂ ଝଟକା ପବନ ୭୫ କିମି ପ୍ରତିଘଣ୍ଟା ପର୍ଯ୍ୟନ୍ତ ରହିପାରେ । ସମୁଦ୍ର ମଧ୍ୟ ଅଶାନ୍ତ ରହିବାର ସତର୍କତା ଜାରି ହୋଇଛି । ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ବିଶେଷକରି ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଅତ୍ୟଧିକ ବର୍ଷାର ସମ୍ଭାବନା ରହିଛି।
ପ୍ରବଳ ବର୍ଷା ସମୟରେ ଦୃଶ୍ୟମାନତା ମଧ୍ୟ ହ୍ରାସ ପାଇପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହି ପାଣିପାଗ ପ୍ରଣାଳୀ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବା ଅପେକ୍ଷା ଗଭୀର ଅବପାତ ଭାବେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଧିକ। ବର୍ତ୍ତମାନ ମୁଖ୍ୟ ଚିନ୍ତା ରହିଛି ପ୍ରବଳ ବର୍ଷା, ପବନ ଓ ସମୁଦ୍ରର ରୁକ୍ଷତାକୁ ନେଇ । ଗଭୀର ଅବପାତ ଉପକୂଳ ଅତିକ୍ରମ କରିବା ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଓଡ଼ିଶାର ବନ୍ଦରଗୁଡ଼ିକରେ ସତର୍କତା ସଙ୍କେତ ଜାରି ରହିଛି । ଏହି ଗଭୀର ଅବପାତର ପ୍ରଭାବରେ ପୂର୍ବରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗଛ ଉପୁଡ଼ିବା, ରାସ୍ତା ଅବରୋଧ ଓ ଜଳବନ୍ଦୀ ଭଳି ସମସ୍ୟା ଦେଖାଦେଇଛି। ପ୍ରଶାସନ ପକ୍ଷରୁ ମଧ୍ୟ ସମ୍ଭାବ୍ୟ ବର୍ଷା ଓ ପବନକୁ ନଜରରେ ରଖି ସତର୍କତାମୂଳକ ପଦକ୍ଷେପ ଜାରି ରହିଛି ।
