ଜଟଣୀରେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହେଲା ଦ୍ୱାଦଶତମ ‘ଶାରଦୀୟ ଉତ୍ସବ ଓ ରାବଣ ପୋଡ଼ି

ଜଟଣୀରେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହେଲା ଦ୍ୱାଦଶତମ ‘ଶାରଦୀୟ ଉତ୍ସବ ଓ ରାବଣ ପୋଡ଼ି

ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅସତ୍ୟ ଉପରେ ସତ୍ୟର ପ୍ରତିଷ୍ଠା ନେଇ ସ୍ଥାନୀୟ ଥାନା ଛକସ୍ଥିତ ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ଦ୍ୱାଦଶତମ ‘ଆମ ଜଟଣୀ ଶାରଦୀୟ ଉତ୍ସବ ଓ ଭବ୍ୟ ରାବଣ ପୋଡ଼ି କାର୍ଯ୍ୟକ୍ରମ’। ‘କର୍ମ ମନ୍ଦିର ଅନୁଷ୍ଠାନ’ର ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବ ଅନୁଷ୍ଠାନର ଟ୍ରଷ୍ଟି ସବିତା ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ରାଜ୍ୟ ବିଜେପି ମୁଖପାତ୍ର ସୁଦୀପ୍ତ ରାୟଙ୍କ ସଂଯୋଜନାରେ ବେଶ୍ ଆଡ଼ମ୍ବରପୂର୍ଣ୍ଣ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି। ଚଳିତ ବର୍ଷ ଏହି ଭବ୍ୟ ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ରହିଥିଲା ‘ବିଶ୍ୱଶାନ୍ତି’। ଏହି କାର୍ଯ୍ୟକ୍ରମରେ ଆଇଓସିଏଲ୍‌ର ମୁଖ୍ୟ ମହାପ୍ରବନ୍ଧକ କମଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ବସନ୍ତ କୁମାର ହାତୀ ଏବଂ ଇଣ୍ଡିଆନ୍ ଅଏଲ୍ ହେଡ୍ ସତୀଶ ଲୁବ୍ରିକାଣ୍ଡ ଉପସ୍ଥିତ ରହି ଉତ୍ସବର ଶୋଭା ବୃଦ୍ଧି କରିଥିଲେ।

ଉତ୍ସବ ମଞ୍ଚରେ ଓଡ଼ିଶାର କଳା ଓ ସଂସ୍କୃତିର ନିଆରା ଝଲକ ଦେଖିବାକୁ ମିଳିଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକକଳାକାରମାନେ ସମ୍ବଲପୁରୀ ନୃତ୍ୟ ଏବଂ ମୟୂରଭଞ୍ଜର ପାରମ୍ପରିକ ଛଉ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିବିଶେଷ, ଜଟଣୀର ସମସ୍ତ ପୂଜା କମିଟି ଏବଂ ବ୍ୟବସାୟୀ ସଂଘର ମୁଖ୍ୟ କର୍ମକର୍ତ୍ତାମାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଆକର୍ଷଣୀୟ ଆତସବାଜି ଓ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ରାବଣ ପ୍ରତିମୂର୍ତ୍ତି ଦହନ କରାଯାଇଥିଲା। ରାବଣ ପୋଡ଼ି ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳ ତଥା ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଜନସାଧାରଣ ଏକତ୍ରିତ ହୋଇଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ମନୋଜ ମିଶ୍ର, ପ୍ରଶାନ୍ତ ପ୍ରଧାନ, ମହେଶ ମିଶ୍ର, ତିରୁପତି ଶତପଥୀ, ପ୍ରଦୀପ ଜେନା, ପ୍ରଶାନ୍ତ କାଣ୍ଡି ଏବଂ ନାଗଭୂଷଣ ରାୟ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରି ସୁଚାରୁ ରୂପେ ପରିଚାଳନା କରିଥିଲେ।

Posted in ରାଜ୍ୟ.