ଦୀର୍ଘ ଆଠ ବର୍ଷର ନୀରବତା ପରେ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପୁଣି ଥରେ ଛାତ୍ର ନିର୍ବାଚନର ଡାକରା ଶୁଣିବାକୁ ମିଳିଲା। ଛାତ୍ରଛାତ୍ରୀଙ୍କ ଭିତରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନେତୃତ୍ୱ ନେବାର ଦକ୍ଷତା ଏବଂ ନିଜ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବାର ଆଶା ନେଇ ଆରମ୍ଭ ହୋଇଥିବା ପ୍ରକ୍ରିୟା ଶେଷରେ ଯେଉଁ ରୂପ ନେଲା, ତାହା ସମଗ୍ର ଶିକ୍ଷା ବ୍ୟବସ୍ଥା ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି।ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ସହ ରାଜଧାନୀର ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ଅନେକ କଲେଜରେ ନିର୍ବାଚନ ଫଳାଫଳକୁ ନେଇ ଯେଉଁ ହାଇଡ୍ରାମା, ଉତ୍ତେଜନା ଓ ହିଂସାକାଣ୍ଡ ଦେଖିବାକୁ ମିଳିଲା, ତାହା ଭବିଷ୍ୟତ ପାଇଁ ଆଦୌ ଶୁଭଙ୍କର ସଙ୍କେତ ନୁହେଁ।
ଗଣତନ୍ତ୍ରର ପାଠଶାଳା କୁହାଯାଉଥିବା କ୍ୟାମ୍ପସରେ ବାଲାଟ୍ ବକ୍ସ ଫିଙ୍ଗାଯିବା, ବୋମା ଫୁଟିବା ଏବଂ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ କୌଣସି ସୁସ୍ଥ ପରମ୍ପରାକୁ ଦର୍ଶାଉ ନାହିଁ। ନିର୍ବାଚନ ଜରିଆରେ କ୍ୟାମ୍ପସ ଭିତରେ ବୌଦ୍ଧିକ ବିତର୍କ, ଶିକ୍ଷାର ମାନ ବୃଦ୍ଧି ଏବଂ ଛାତ୍ର ସମସ୍ୟାର ସମାଧାନ ଉପରେ ଚର୍ଚ୍ଚା ହେବା କଥା। ମାତ୍ର ବାସ୍ତବତା ହେଉଛି, କ୍ୟାମ୍ପସ ନିର୍ବାଚନ ଏବେ ମୁଖ୍ୟଧାରାର ରାଜନୈତିକ ଦଳଗୁଡ଼ିକର ଶକ୍ତି ପ୍ରଦର୍ଶନର ଆଖଡ଼ା ପାଲଟିଛି। ରାଜନୈତିକ ଦଳଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ନିଜର ସ୍ୱାର୍ଥ ସାଧନ ପାଇଁ ମୋହରା ବନାଇବା ସବୁଠାରୁ ଦୁର୍ଭାଗ୍ୟଜନକ ବିଷୟ। ବାହାର ରାଜନେତାଙ୍କ ହସ୍ତକ୍ଷେପ, କଳାଧନର ପ୍ରୟୋଗ ଏବଂ ଅସାମାଜିକ ତତ୍ତ୍ୱଙ୍କ ଅନୁପ୍ରବେଶ ଶିକ୍ଷାନୁଷ୍ଠାନର ଶାନ୍ତ ପରିବେଶକୁ କଳୁଷିତ କରୁଛି।
ପ୍ରଶ୍ନ ଉଠୁଛି— ଯୁବପିଢ଼ିଙ୍କୁ ଆମେ କେଉଁ ଦିଗକୁ ଠେଲି ଦେଉଛୁ? ଯେଉଁ ବୟସରେ ହାତରେ କଲମ ଓ ବହି ଧରି ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବା କଥା, ସେହି ବୟସରେ ଯୁବକମାନେ ରାଜନୈତିକ ପ୍ରରୋଚନାରେ ପଡ଼ି ଆଇନକୁ ହାତକୁ ନେବା ଏବଂ ପରସ୍ପର ଉପରକୁ ଆକ୍ରମଣ କରିବା ଅତ୍ୟନ୍ତ ବିପଦଜ୍ଜନକ। ଏହା କେବଳ ଛାତ୍ରଛାତ୍ରୀଙ୍କ କ୍ୟାରିୟର ନଷ୍ଟ କରୁନାହିଁ, ବରଂ ସେମାନଙ୍କ ମାନସିକତାରେ ହିଂସା ଓ ଅସହିଷ୍ଣୁତାର ବିଷ ଭରିଦେଉଛି। କ୍ୟାମ୍ପସରେ ଯଦି ଭୟର ବାତାବରଣ ସୃଷ୍ଟି ହୁଏ, ତେବେ ସାଧାରଣ ଛାତ୍ରଛାତ୍ରୀ, ବିଶେଷକରି ଛାତ୍ରୀମାନେ ଅସୁରକ୍ଷିତ ମଣିବେ ଏବଂ ପାଠପଢ଼ାର ମୂଳ ଉଦ୍ଦେଶ୍ୟ ଧୂଳିସାତ ହୋଇଯିବ।
୮ ବର୍ଷ ଧରି ଛାତ୍ର ନିର୍ବାଚନ ବନ୍ଦ ରହିବା ପଛରେ ମଧ୍ୟ ହିଂସା ଓ ଅଶାନ୍ତି ମୁଖ୍ୟ କାରଣ ଥିଲା। ଏବେ ପୁଣି ନିର୍ବାଚନ ଫେରିବା ପରେ ଯଦି ପୁରୁଣା ଘଟଣାର ପୁନରାବୃତ୍ତି ଘଟେ, ତେବେ ଲିଙ୍ଗଡୋ କମିଟିର ସୁପାରିସ କେବଳ କାଗଜପତ୍ରରେ ସୀମିତ ରହିଯିବା ସ୍ପଷ୍ଟ। ନିୟମ ଅନୁସାରେ ନିର୍ବାଚନରେ କୌଣସି ରାଜନୈତିକ ଦଳର ବ୍ୟାନର କିମ୍ବା ବାହାର ପ୍ରଭାବ ରହିବା କଥା ନୁହେଁ। କିନ୍ତୁ ବାସ୍ତବରେ ଦଳୀୟ ଛାତ୍ର ସଂଗଠନ ନାମରେ ବଡ଼ ବଡ଼ ରାଜନୈତିକ ନେତାମାନେ ପରଦା ପଛରୁ ନିୟନ୍ତ୍ରଣ କରୁଛନ୍ତି, ଯାହା ଶିକ୍ଷା ବ୍ୟବସ୍ଥା ପାଇଁ କାଳ ସାଜିଛି।
ଏହି ସ୍ଥିତିରେ ପରିବର୍ତ୍ତନ ନ ଆସିଲେ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜର ଗାରିମା ହରାଇ ବସିବେ। କେବଳ ପୋଲିସ ମୁତୟନ କରି କିମ୍ବା ସାମୟିକ ଭାବେ କଲେଜ ବନ୍ଦ କରି ଏହି ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ନୁହେଁ। ଏଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ପ୍ରଶାସନ ଏବଂ ସର୍ବୋପରି ରାଜନୈତିକ ଦଳଗୁଡ଼ିକ ନିଜ ଆଚରଣରେ ଆତ୍ମସମୀକ୍ଷା କରିବା ଆବଶ୍ୟକ। ରାଜନୈତିକ ଦଳମାନେ ଛାତ୍ରଛାତ୍ରୀଙ୍କୁ ନିଜର ‘ଭୋଟ ବ୍ୟାଙ୍କ’ କିମ୍ବା ହିଂସାର ହତିଆର କରିବା ବନ୍ଦ କରିବା ଉଚିତ। ଛାତ୍ର ନିର୍ବାଚନ ହେଉ, ମାତ୍ର ତାହା ନୀତି, ଆଦର୍ଶ ଓ ସଂସ୍କାରର ପ୍ରତୀକ ହେଉ— ହିଂସା, ବୋମା ଏବଂ ବାହୁବଳର ନୁହେଁ। ନଚେତ୍ ଶିକ୍ଷା ମନ୍ଦିରରେ ରାଜନୀତିର ଏହି କଳା ଛାଇ ଆଗାମୀ ପିଢ଼ିର ଭବିଷ୍ୟତକୁ ସମ୍ପୂର୍ଣ୍ଣ ଅନ୍ଧକାରମୟ କରିଦେବ।
