ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ସୃଷ୍ଟି,ବିଭିନ୍ନ ପାଣିପାଗ ମଡେଲ୍ ବାତ୍ୟାର ଭିନ୍ନ ଭିନ୍ନ ରୂପ ଦେଖାଉଛନ୍ତି

ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ସୃଷ୍ଟି,ବିଭିନ୍ନ ପାଣିପାଗ ମଡେଲ୍ ବାତ୍ୟାର ଭିନ୍ନ ଭିନ୍ନ ରୂପ ଦେଖାଉଛନ୍ତି

ବଙ୍ଗୋପସାଗରରେ ବାତ୍ୟା ଆସୁଥିବା ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ । ଶନିବାର ସକାଳେ ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ସୃଷ୍ଟି ହୋଇଛି । ସନ୍ଧ୍ୟା ସୁଦ୍ଧା ଅବପାତ, ରବିବାର ଗଭୀର ଅବପାତ ଏବଂ ୨୬ ତାରିଖରେ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ୨୭ ତାରିଖ ବେଳକୁ ଏହା ଶକ୍ତିଶାଳୀ ବାତ୍ୟାର ରୂପ ନେବ । ବାତ୍ୟା ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ।ତେବେ ବିଭିନ୍ନ ପାଣିପାଗ ମଡେଲ୍ ବାତ୍ୟାର ଭିନ୍ନ ଭିନ୍ନ ରୂପ ଦେଖାଉଛନ୍ତି । ଏହା ୨୮ ସକାଳେ କିମ୍ବା ଦିନବେଳା ଆନ୍ଧ୍ର ଉପକୂଳରେ କାକିନାଡ଼ାରେ ମାଡ଼ ହେବା ପୂର୍ବାନୁମାନ କରାଯାଇଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୪୦ କି.ମି. ଡେଇଁପାରେ ବୋଲି ୟୁରୋପୀୟ ପାଣିପାଗ ସଂସ୍ଥା ECMWF କହୁଛି । ଏହା ବିଶାଖାପାଟଣାର ଦକ୍ଷିଣରେ ମାଡ଼ ହେବା ନେଇ ୟୁରୋପିଆନ୍ ECMWF ଆକଳନ କରିଛି ।ଆମେରିକୀୟ ପାଣିପାଗ ମଡେଲ୍ GFS ଏବଂ ଜର୍ମାନର ICON ମଡେଲ୍ ମଧ୍ୟ ବାତ୍ୟା ପୂର୍ବାନୁମାନ କରିଛି । ବିଶ୍ୱସ୍ତରୀୟ ପାଣିପାଗ ମଡେଲ୍ ଏବଂ ଆନ୍ଧ୍ରପ୍ରଦେଶ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆକଳନ ଅନୁସାରେ, ଏହି ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୮ ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍ ଓ କାକିନାଡ଼ା ମଧ୍ୟରେ ସ୍ଥଳଭାଗ ଛୁଇଁବାର ୭୫% ରୁ ୯୪% ସମ୍ଭାବନା ରହିଛି ।ସେପଟେ ଭାରତୀୟ ପାଣିପାଗ ବିଭାଗ ଏହାର ଗତିପଥ ଉତ୍ତର ଆନ୍ଧ୍ରରୁ ଦକ୍ଷିଣ ଓଡ଼ିଶା ମଧ୍ୟରେ ରହିବ ବୋଲି ଆକଳନ କରୁଛି । ଏହି ଗତିପଥ ଚୂଡ଼ାନ୍ତ ନୁହେଁ । ବାତ୍ୟାର ପ୍ରାରମ୍ଭିକ ଅବପାତ ସୃଷ୍ଟି ହେବା ପରେ ଏହାର ସଠିକ୍ ପଥ ଓ ସ୍ଥଳଭାଗ ଛୁଇଁବାର ସ୍ଥାନ ସ୍ପଷ୍ଟ ହେବ । ଯଦି ବାତ୍ୟା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଏଁ, ତେବେ ଓଡ଼ିଶା ଉପରେ ସିଧାସଳଖ ବାତ୍ୟା ମାଡ଼ର ଭୟ କମିଯିବ । ତଥାପି, ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ଆଦି ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଓ ପବନର ପ୍ରଭାବ ଦେଖିବାକୁ ମିଳିପାରେ ।

Posted in ରାଜ୍ୟ, ଦେଶ ବିଦେଶ.