ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ତଳକୁ ଖସିଲେ ଭାରତର ୭୧% ୟୁନିଭର୍ସିଟି, ୩୪ଟି ନୂଆ ସଂସ୍ଥାନ ସାମିଲ୍

ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ତଳକୁ ଖସିଲେ ଭାରତର ୭୧% ୟୁନିଭର୍ସିଟି, ୩୪ଟି ନୂଆ ସଂସ୍ଥାନ ସାମିଲ୍

ବିଶ୍ୱର ସବୁଠାରୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଗୁଡ଼ିକର ତାଲିକା ଜାରି କରୁଥିବା କ୍ୟୁଏସ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ ୨୦୨୭ ପାଇଁ ନୂଆ ତାଲିକା ଜାରି କରିଛି। କ୍ୟୁଏସ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ ଏସିଆ ୨୦୨୭ରେ ଭାରତର ୭୧ ପ୍ରତିଶତ ୟୁନିଭର୍ସିଟି ଖରାପ ପ୍ରଦର୍ଶନ କରି ତାଲିକାରୁ ତଳକୁ ଖସିଛନ୍ତି। ତେବେ ଖୁସୀର କଥା ହେଲା ୨୦୨୭ର ତାଲିକାରେ ଭାରତର ୩୪ଟି ନୂଆ ୟୁନିଭର୍ସିଟି ସ୍ଥାନ ପାଇଛି। ଫଳରେ ଦେଶରେ ମୋଟ ୩୨୫ ୟୁନିଭର୍ସିଟି ଏହି ଲିଷ୍ଟରେ ସାମିଲ୍ ହୋଇଛନ୍ତି।

ଏସିଆ ମହାଦେଶର ୟୁନିଭର୍ସିଟି କ୍ୟୁଏସ ରାଙ୍କିଙ୍ଗରେ ଚୀନ ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। କିନ୍ତୁ ଦୁଃଖର କଥା ହେଲା ଭାରତର ସର୍ବୋଚ୍ଚ ସ୍ଥାନରେ ଥିବା ୬ଟି ୟୁନିଭର୍ସିଟି, ନୂଆ ତାଲିକାରେ ତଳକୁ ଖସିଛନ୍ତି। ଦିଲ୍ଲୀ ଆଇଆଇଟି ଯଦିଓ ଦେଶରେ ଶୀର୍ଷ ୟୁନିଭର୍ସିଟି ସ୍ଥାନ ବଜାଇ ରଖିଛି, ହେଲେ କ୍ୟୁଏସ ୨୦୨୭ ତାଲିକାରେ ଏହାର ସ୍ଥାନ ୫୯ରୁ ୬୬ ତମ ସ୍ଥାନକୁ ଖସିଆସିଛି।

ସେହିପରି ଇଣ୍ଡିଆନ ଇନଷ୍ଟିଟ୍ୟୁଟ୍ ଅଫ୍ ସାଇନ୍ସ(IISc) ବେଙ୍ଗାଲୁରୁ ୬୪ ତମ ସ୍ଥାନରୁ ୭୯ ତମ ସ୍ଥାନକୁ ଖସି ଆସିଥିବା ବେଳେ ଆଇଆଇଟି ବମ୍ବେ ୭୧ରୁ ୮୩ ତମ ସ୍ଥାନକୁ ଖସିଛି। ୟୁନିଭର୍ସିଟି ଅଫ୍ ଦିଲ୍ଲୀ ଶୀର୍ଷ ୧୦୦ ୟୁନିଭର୍ସିଟି ମଧ୍ୟରୁ ବାହାରି ଯାଇ ପୂର୍ବ ବର୍ଷର ୯୫ ତମ ସ୍ଥାନରୁ ସିଧା ୧୦୬ ତମ ସ୍ଥାନରେ ପହଞ୍ଚିଛି।

କ୍ୟୁଏସ୍ ରାଙ୍କିଙ୍ଗରେ ୨୦୧୬ ଠାରୁ ୧୩ ଗୁଣ ଭଲ ପ୍ରଦର୍ଶନ କରିଛି ଭାରତ

କ୍ଯୁଏସ ରାଙ୍କିଙ୍ଗରେ ଭାରତର ପ୍ରଦର୍ଶନରେ ଅନେକ ସୁଧାର ଆସିଛି। ୨୦୧୬ ପର ଠାରୁ ରାଙ୍କିଙ୍ଗରେ ଭାରତର ଉପସ୍ଥିତି ୧୬ ଗୁଣାରୁ ଅଧିକ ବଢ଼ିଛି। ଏହି ତାଲିକାରେ ୨୦୧୬ରେ ମାତ୍ର ୨୪ ୟୁନିଭର୍ସିଟି ସ୍ଥାନ ପାଇଥିଲା। ହେଲେ ବର୍ତ୍ତମାନର ଲିଷ୍ଟ ୩୨୫ ହୋଇଛି। ଚଳିତ ବର୍ଷ ନୂଆ କରି ତାଲିକାରେ ଏସଆରଏମ ୟୁନିଭର୍ସିଟି(ଆନ୍ଧ୍ରପ୍ରଦେଶ), ମାଲବୀୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଜୟପୁର ଏବଂ ଶୋଭିତ ବିଶ୍ୱବିଦ୍ୟାଳୟ ସାମିଲ ହୋଇଛନ୍ତି।

କ୍ୟୁଏସ ରାଙ୍କିଙ୍ଗ୍ ତାଲିକାର ସଦ୍ୟତମ ସଂସ୍କରଣରେ ଏସିଆର ୨୬ଟି ଏଜୁକେସନ ସିଷ୍ଟମର ୧,୭୨୨ଟି ବିଶ୍ୱବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ସାମଗ୍ରୀକ ସ୍ତରରେ ରାଙ୍କିଙ୍ଗରେ ହ୍ରାସ ଘଟିଥିଲେ ବି ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଗବେଷଣା ଫଳାଫଳ ଏକ ଶକ୍ତିଶାଳୀ ଦିଗ ଭାବରେ ଉଭା ହୋଇଛି।

ଏସିଆର ଶୀର୍ଷ ୫୦ ୟୁନିଭର୍ସିଟି ମଧ୍ୟରେ ଭାରତର ୨୭ ୟୁନିଭର୍ସିଟି ସାମିଲ

ଯଦିଓ ବିଶ୍ୱସ୍ତରରେ ଭାରତର ୟୁନିଭର୍ସିଟିଗୁଡ଼ିକ ସେତେଟା ଭଲ ସ୍ଥିତିରେ ନାହାନ୍ତି ତଥାପି ଏସୀୟ ସ୍ଥରରେ ଭାରତର ସ୍ଥିତି ଉଲ୍ଲେଖନୀୟ ରହିଛି। ପ୍ରତ୍ୟେକ ଶିକ୍ଷାଗତ କର୍ମଚାରୀଙ୍କ ଗବେଷଣା ଫଳାଫଳ ଆଧାରରେ, ଏସିଆର ଶ୍ରେଷ୍ଠ ୫୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ୨୭ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ସେଥିମଧ୍ୟରୁ ୫ଟି ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୧୦ ମଧ୍ୟରେ ରହିଛନ୍ତି।

ଏହି ମାନଦଣ୍ଡରେ IISc ପ୍ରଥମ ସ୍ଥାନରେ ରହିଥିବା ବେଳେ, IIT ମାଡ୍ରାସ ତୃତୀୟ ଏବଂ IIT ଦିଲ୍ଲୀ ସପ୍ତମ ସ୍ଥାନରେ ରହିଛନ୍ତି।ତେବେ ଏସୀୟ ଦେଶ ତୁଳନାରେ ଶୀର୍ଷ ୫୦ ୟୁନିଭର୍ସିଟି ମଧ୍ୟରେ ଭାରତର ୨୫ଟି ବିଶ୍ୱ ବିଦ୍ୟାଳୟ ସ୍ଥାନ ପାଇଛି।

ରିସର୍ଚ୍ଚ କ୍ଷେତ୍ରରେ ଭାରତର ସ୍ଥିତି

ରିସର୍ଚ୍ଚର କ୍ଷମତା କୌଣସି ୟୁନିଭର୍ସିଟିର ଡକକ୍ଟରେଟ ଶିକ୍ଷାବିଦ କେତେ ଅଛନ୍ତି ତା ଉପରେ ମଧ୍ୟ ନିର୍ଭର କରେ। ଏସିଆରେ ପିଏଚଡିଧାରୀ ଶିକ୍ଷାବିଦଙ୍କ ଅନୁପାତ ମମଲାରେ ୧୫ ଭାରତୀୟ ବିଶ୍ୱ ବିଦ୍ୟାଳୟ ଶୀର୍ଷ ସ୍ଥାନରେ ଅଛନ୍ତି। ତେବେ ଅଧିକ ଗବେଷଣା ଫଳାଫଳ ସେହି ଅନୁପାତରେ ଶୈକ୍ଷିକ ପ୍ରଭାବ ସୃଷ୍ଟି କରିପାରି ନାହିଁ। ପ୍ରତି ଗବେଷଣା ପତ୍ର ପାଇଁ ଏସିଆର ଶ୍ରେଷ୍ଠ ୫୦ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ କେବଳ ୩ ଟି ଭାରତୀୟ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି।

ନିଯୁକ୍ତି ଦେବାର ସୁନାମ ଅର୍ଜନ କରିଥିବା ୟୁନିଭର୍ସିଟି ମଧ୍ୟରେ କ୍ୟୁସ ଏସିଆ ରାଙ୍କିଙ୍ଗରେ ଆଇଟି ବମ୍ବେ ଓ ଆଇଆଇଟି ଦିଲ୍ଲୀ ଯଥାକ୍ରମେ ସପ୍ତମ ଓ ଦଶମ ସ୍ଥାନରେ ଅଛନ୍ତି। ତେବେ ଏ କ୍ଷେତ୍ରରେ କେତେକ ନିର୍ଦ୍ଦିଷ୍ଟ ୟୁନିଭର୍ସିଟି ଭଲ ପ୍ରଦର୍ଶନ କରୁଥବା ବେଳେ ଅନ୍ୟମାନଙ୍କର ତାଲିକାର ନାଁ ନାହିଁ।

ଅନ୍ତର୍ଜାତୀୟ ଫେକଲ୍ଟି ଓ ଛାତ୍ରଛାତ୍ରୀ ଆଣିବାର ପଛରେ ଭାରତୀୟ ବିଶ୍ୱ ବିଦ୍ୟାଳୟ

କ୍ୟୁଏସ ରାଙ୍କିଙ୍ଗ ଅନୁସାରେ, ଆନ୍ତର୍ଜାତୀୟ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବା କ୍ଷେତ୍ର କିମ୍ବା ଛାତ୍ର ବିନିମୟ କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ଭାରତ ଆଞ୍ଚଳିକ ହାରାହାରି ତୁଳନାରେ ପଛରେ ରହିଛି। ଏ ଦିଗରେ ମାତ୍ର ୧୫% ୟୁନିଭର୍ସିଟି ଭଲ ପ୍ରଦର୍ଶନ କରିଥିବା ବେଳେ ୮୫ ପ୍ରତିଶତ ଭାରତୀୟ ୟୁନିଭର୍ସିଟିର ରାଙ୍କ ତଳକୁ ଖସିଛି। ତେବେ ଭାରତର ଚଣ୍ଡିଗଡ଼ ୟୁନିଭର୍ସିଟି, ଲଭଲି ପ୍ରଫେସନାଲ ୟୁନିଭର୍ସିଟି ଏବଂ ମଣିପାଲ ଆକାଡେମିକ ଅଫ୍ ହାଅର ଏଜୁକେସନ କ୍ୟୁସଏ ରାଙ୍କିଙ୍ଗରେ ଭଲ ପ୍ରଦର୍ଶନ କରିଛନ୍ତି।

ଏସିଆର ଶ୍ରେଷ୍ଠ ୟୁନିଭର୍ସିଟି ତାଲିକାରେ ଚଳିତ ବର୍ଷ ୟୁନିଭର୍ସିଟି ଅଫ୍ ହଂକଂ ଶୀର୍ଷରେ ରହିଥିବା ବେଳେ ଚୀନର ପେକିଂ ୟୁନିଭର୍ସିଟି ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ସିଙ୍ଗହୁଆ ବିଶ୍ୱବିଦ୍ୟାଳୟ ନବମ ସ୍ଥାନରୁ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ସିଙ୍ଗାପୁରର NUS ଏବଂ NTU ତଳକୁ ଖସି ଯାଇଛନ୍ତି।

Posted in ଦେଶ ବିଦେଶ.